କନକ ବ୍ୟୁରୋ: ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖ । ବଲାଙ୍ଗୀର ବଲାଙ୍ଗୀର ବେଲପଡାର ବନମାଳ ଗାଁର ଶୁକଦେବ ପରାଭୁଏ, ଟଙ୍କା ପାଇଁ ପରିବାର ସହ ଦାଦନ ଖଟିବାକୁ ତେଲେଙ୍ଗାନା ଯାଇଥିଲେ । ଦୁର୍ଭାଗ୍ୟ ବସତଃ ସେଠାରେ ହୋଇଥିଲା ତାଙ୍କର ମୃତ୍ୟୁ । ହେଲେ ଅଗ୍ରିମ ଟଙ୍କା କିଏ ସୁଝିବ କହି ଶୁକଦେବଙ୍କ ମୃତଦେହ ଦେଇନଥିଲା ଇଟାଭାଟି ମାଲିକ । ଶେଷରେ ନିଜ ୧୨ ବର୍ଷର ନାବାଳିକା ଝିଅକୁ ବନ୍ଧକ ରଖି ସ୍ୱାମୀଙ୍କ ମୃତଦେହ ଗାଁକୁ ଆଣିଥିଲେ ଶୁକଦେବଙ୍କ ସ୍ତ୍ରୀ ।

Advertisment

ଦାଦନର ଦୁଃଖ କେତେ ଭୟଙ୍କର ହୋଇପାରେ, ତାକୁ ଜଣେ ସାଧାରଣ ମଣିଷ ବୁଝିବା କଷ୍ଟକର । ଦାଦନର ଦୁଃଖ ଜଣଙ୍କୁ କେମିତି ଅସହାୟ କରିଦିଏ ତାର ଏକ କରୁଣ ଚିତ୍ର ସାମନାକୁ ଆସିଛି ବଲାଙ୍ଗୀର ବେଲପଡାର ବନମାଳ ଗାଁରୁ ।

ଶୁକଦେବ ପରାଭୁଏ । ୪ମାସ ତଳେ ପିଲାଛୁଆ ଧରି ତେଲେଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିଲେ ଶୁକଦେବ । ଦଲାଲ ଜରିଆରେ ସେଠାରେ ଏକ ଇଟାଭାଟିରେ କାମ କରୁଥିଲେ । ଏଥିପାଇଁ ଆଗୁଆ କିଛି ଟଙ୍କା ନେଇଥିଲେ । ହେଲେ, ଦଇବ ଦାଉ ସାଧିଲା । ଇଟାଭାଟିରୁ ପଡି ଶୁକଦେବ ଗୁରୁତର ହୋଇପଡିଥିଲେ । ପରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ହେଲେ, ତେଲେଂଗାନାର ଡାକ୍ତର କହିଥିଲେ, ହୃଦଘାତରେ ଶୁକଦେବଙ୍କର ମୃତ୍ୟୁ ହୋଇଛି । ତାପରେ ଦେଇଥିବା ଅଗ୍ରିମ ଟଙ୍କା କିଏ ଶୁଝିବ ବୋଲି କହି ଶବକୁ ଛାଡି ନଥିଲା ଇଟାଭାଟି ମାଲିକ । ଶେଷର ବାଧ୍ୟ ହୋଇ, ନାବାଳିକା ଝିଅକୁ ବନ୍ଧକ ଦେଇ, ଗାଁକୁ ସ୍ୱାମୀଙ୍କ ଶବ ଆଣିଥିଲେ ଶୁକଦେବଙ୍କ ପତ୍ନୀ ।

ଶୁକଦେବଙ୍କ ଶବ ଗାଁରେ ପହଁଚିବାରେ, ମାମଲା ନୂଆ ମୋଡ ନେଇଥିଲା । ଶବ ଛାଡିବାକୁ ଆସିଥିବା ତେଲେଙ୍ଗାନାର ଗାଡିକୁ ଆଉ ଛାଡି ନଥିଲେ ଶୁକଦେବଙ୍କ ଗାଁଲୋକେ । ଶେଷରେ ପ୍ରଶାସନ ନିକଟକୁ ଖବର ଯାଇଥିଲା । ଆଉ ତାପରେ ଓଡିଶା ପ୍ରଶାସନ ଓ ତେଲେଙ୍ଗାନା ପ୍ରଶାସନର ଆଲୋଚନା ପରେ, ଇଟାଭାଟି ମାଲିକ ବାଧ୍ୟହୋଇ ନାବାଳିକଙ୍କୁ ଫେରାଇଥିଲେ । ଗାଁକୁ ଫେରିବା ପରେ ଦୁଃଖ ବଖାଣିଛନ୍ତି ଶୁକଦେବଙ୍କ ଝିଅ ।

ଦାଦନର ଏହି ଦୁଃଖ କାହାଣୀ ସାରରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ସରକାର ବିଭିନ୍ନ ଯୋଜନା କରୁଥିଲେ ବି , ଦାଦନକୁ ରୋକିବାରେ ସକ୍ଷମ ହୋଇପାରିନି । ଦଲାଲମାନେ ଗରିବଙ୍କ ଅସହାୟତାର ସୁଯୋଗ ନେଇ ବିପଦଜନକ ଅବସ୍ଥାରେ ଲୋକଙ୍କୁ ଦାଦନ ଖଟାଇବାକୁ ନେଉଛନ୍ତି । ତେବେ ଅଭିଯୋଗ ପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଶ୍ରମ ଅଧିକାରୀ ।

ବଲାଙ୍ଗୀର ଜିଲ୍ଳା ସମେତ ରାଜ୍ୟର ବିଭିନ୍ନ ଅଂଚଳରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଦାଦନ ଖଟିବାକୁ ଯାଆନ୍ତି । ରାଜ୍ୟ ଭିତରେ କାମ ଧନ୍ଧା ନପାଇ ବାହାର ରାଜ୍ୟରେ ଦାଦନ ଖଟନ୍ତି । କିନ୍ତୁ ବିଡମ୍ବନାର ବିଷୟ ହେଉଛି, ଅସ୍ୱାସ୍ଥ୍ୟକର ପରିବେଶ, ଅଧିକ ପରିଶ୍ରମ କରିବା ସତ୍ୱେ ବି ନିର୍ଯାତନାର ଶିକାର ହୁଅନ୍ତି । ହେଲେ ଦାଦନର ଦୁଃଖ ସରେନି ।