ଭୋଟ୍ ଦେବି ଯାହାକୁ ତଣ୍ଟିଆ ଖାଇବି ତାହାଠୁ ! ଗର୍ବ ବଢ଼ାଦେଲା କ୍ଷମତା ଗାଦି ? ଅନୁଭବଙ୍କ ସହ ସେଲ୍ଫି ନେବାକୁ ମଞ୍ଚକୁ ଚଢ଼ିଥିଲେ ଯୁବକ, ତଣ୍ଟିଆ ମାରି ମଞ୍ଚରୁ ବିଦା କରିଦେଲେ ବଡ଼ଚଣା ବିଧାୟକ

ଅନୁଭବଙ୍କ ଭଳି ସେଲିବ୍ରିଟିଙ୍କୁ ଦେଖି ଜଣେ ଯୁବକ ତାଙ୍କ ସହ ସେଲ୍ଫି ନେବାକୁ ମଞ୍ଚ ଉପରକୁ ଚଢିଥିଲେ । ମାତ୍ର ସେଲ୍ଫି ନେଲାବେଳେ ତାଙ୍କୁ ବାଧା ଦେଇଥିଲେ ବିଧାୟକ ।

1,874

କନକ ବ୍ୟୁରୋ: ତଣ୍ଟିଆ ମାରିଲେ ଅମର ଶତପଥୀ । ମଞ୍ଚରୁ ଠେଲିଦେଲେ ବଡଚଣା ବିଧାୟକ । ସଭା ମଞ୍ଚରେ ସେଲ୍ଫି ନେଲା ବେଳେ ସାଧାରଣ ଜନତାଙ୍କୁ ଧକ୍କା ମାରି ବିଦା କରିଦେଲେ ବିଧାୟକ ଅମର ଶତପଥୀ । ରାଜନେତାଙ୍କ ହାତରେ ଯେଉଁ ଜନତା କ୍ଷମତା ଦେଇ ବିଧାୟକ କରିଥିଲେ ଆଜି ସେଇ ହାତ ସାଧାରଣ ଜନତା ଉପରେ କେମିତି ଉଠିଗଲା ? ତାହା ଏବେ ଅମରଙ୍କ ଭଳି ଜଣେ ବରିଷ୍ଠ ରାଜନେତାଙ୍କ ଉପରେ ଆଙ୍ଗୁଳି ଉଠାଇଛି ।

ଗତ ୧୯ ତାରିଖ ଦିନ ବଡଚଣା ବାଲିଚନ୍ଦ୍ରପୁର ସାହସପୁର କଲେଜର ବାର୍ଷିକ ଉତ୍ସବରେ ଯୋଗଦେଇ ଥିଲେ ବିଧାୟକ ଅମର ଶତପଥୀ ଏବଂ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ତେବେ ଅନୁଭବଙ୍କ ଭଳି ସେଲିବ୍ରିଟିଙ୍କୁ ଦେଖି ଜଣେ ଯୁବକ ତାଙ୍କ ସହ ସେଲ୍ଫି ନେବାକୁ ମଞ୍ଚ ଉପରକୁ ଚଢିଥିଲେ । ମାତ୍ର ସେଲ୍ଫି ନେଲାବେଳେ ତାଙ୍କୁ ବାଧା ଦେଇଥିଲେ ବିଧାୟକ । ଅମର ଯୁବକଙ୍କୁ ତଣ୍ଟିଆ ମାରି ଅନୁଭବଙ୍କ ପାଖରୁ ଦୂରେଇବାକୁ ଚେଷ୍ଟା କରିଥିବା ଭିଡିଓରେ ଦେଖିବାକୁ ମିଳୁଛି । ତେବେ ବିଧାୟକଙ୍କ ଧକ୍କାରେ ତଳେ ପଳେଯାଇଥିଲେ ଯୁବକ । ଆଉ ତାପରେ ତାଙ୍କୁ କିଛି କର୍ମୀ ମଞ୍ଚରୁ ଘୋଷାଡି ଘୋଷାଡି ତଳକୁ ନେଇ ଯାଇଥିଲେ ।

ତେବେ ଅମର ଶତପଥୀଙ୍କ ଏ ତଣ୍ଟିଆମରା ଭିଡିଓ ଭାଇରାଲ ହେବା ପରେ ଜୋର ଧରିଛି ରାଜନୈତିକ ଚର୍ଚ୍ଚା । ସେପଟେ ଗତ କିଛି ଦିନ ତଳେ ବ୍ରହ୍ମପୁର ସାଂସଦ ବ୍ରହ୍ମ ଚାପୁଡା ମାରି ଚର୍ଚ୍ଚାର ପରିସରକୁ ଆସିଥିଲେ । ଦଳୀୟ କର୍ମୀଙ୍କୁ ସାଂଦସ ଚନ୍ଦ୍ର ଶେଖର ସାହୁ ଚାପୁଡା ମାରିବା ଘଟଣା ତାଙ୍କୁ ବିବାଦୀୟ କରିଥିଲା । ଆଉ ଏବେ କର୍ମୀ ନୁହେଁ ବରଂ ସାଧାରଣ ଜନତା, ଯିଏ ତାଙ୍କୁ ଭୋଟ ଦେଇ ଭୁବନେଶ୍ୱର ପଠାଇଛନ୍ତି ତାଙ୍କୁ ଧକ୍କା ଦେଇଛନ୍ତି ଅମର ଶତପଥୀ ।

ରାଜନେତାଙ୍କ ଏ ଦବଙ୍ଗଗିରି ଦେଖି ସାଧାରଣରେ ପ୍ରଶ୍ନ ଉଠୁଛି କି, ଯେଉଁ ବିଧାୟକ ଭୋଟ ପୂର୍ବରୁ ହାତ ଯୋଡି ନେହୁରା ହୁଅନ୍ତି ସେହି ହାତ କ୍ଷମତା ପାଇଲା ପରେ ଉଠିଯାଏ କେମିତି ? ସାଧାରଣ ଜନତାଙ୍କ ଆସ୍ଥା ବିଶ୍ୱାସକୁ ଭାଙ୍ଗି ନେତାମାନେ ଏତେ ସମ୍ବେଦନହୀନ ହୁଅନ୍ତି କେମିତି? କ୍ଷମତା ଗାଦିରେ ବସିଲା ପରେ କଣ ଜନପ୍ରତିନିଧି ଜନତାଙ୍କୁ ଭୁଲି ଯାଆନ୍ତି ?