ଅଜବ ଲାଗିଲେ ବି ସତ: କାର୍ ଚାଳକଙ୍କୁ ଲାଗିଲା ହେଲମେଟ୍ ନପିନ୍ଧିଥିବାର ଫାଇନ୍, କାର ଚାଳକ କହିଲେ, ଚାଲାଣକୁ ଦେଖି ଚିନ୍ତାରେ ପଡ଼ିଗଲେ ଆରଟିଓ ଅଧିକାରୀ. ପ୍ରଶ୍ନ କଲେ କେବେ ଆସିଲା ନୂଆ ନିୟମ ଜଣାନାହିଁ

646

କନକ ବ୍ୟୁରୋ: ନୂଆ ଟ୍ରାଫିକ ନିୟମ ଓ କଟକଣା କଥା ପ୍ରଶାସନ ବାରମ୍ବାର ଦୋହରାଉଥିବା ବେଳେ ସମ୍ବଲପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଅଜବ ନିୟମ । କାର ଚାଳକଙ୍କଠାରୁ ପରିବହନ ବିଭାଗ କାଟିଛି ହେଲମେଟ୍ ନପିନ୍ଧିବା ଫାଇନ୍ । ଯାହାକୁ ନେଇ ପୁଣି ଟ୍ରାଫିକ୍ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଉଠିଛି ।

ସୂଚନା ମୁତାବକ ବୁଧବାର ସମ୍ବଲପୁର ନନ୍ଦପଡା ସ୍ଥିତ ଚନ୍ଦ୍ର କୁମାର ବେହେରା ମେଡିକାଲ କାମରେ ପତ୍ନୀଙ୍କ ସହ ନିଜ କାରରେ ବୁର୍ଲା ଅଭିମୁଖେ ଯାଉଥିଲେ । ସେହି ସମୟରେ ଫାର୍ମ ରୋଡ ସ୍ଥିତ ରାଧାନାଥ କମ୍ୟୁନିଟି ସେଂଟର ନିକଟରେ ପୋଲିସ ହେଲମେଟ୍ ଯାଂଚ କରୁଥିଲେ । ତେବେ ପୋଲିସ ଚନ୍ଦ୍ର ବେହେରାଙ୍କୁ ଅଟକାଇ କାହିଁକି ହେଲମେଟ୍ ପିନ୍ଧି ନାହାନ୍ତି ବୋଲି ଚାଲାଣ କାଟିଥିଲା ।

ଚନ୍ଦ୍ର ବେହେରାଙ୍କ ଇଣ୍ଡିଗୋ ଇସିଏସ କାର ନମ୍ବର ଓଡି ୧୫ଡି ୬୪୪୬ । କିନ୍ତୁ ଏହି ଗାଡି ବିରୋଧରେ ହେଲମେଟ୍ ନପିନ୍ଧିବା ପାଇଁ ୧ହଜାର ଟଙ୍କାର ଚାଲାଣ କଟାଯାଇଛି । ଚନ୍ଦ୍ର ବେହେରା ଜିଲ୍ଲା ପରିବହନ କାର୍ଯ୍ୟାଳୟରେ ପହଂଚି ଫାଇନ୍ ଦାଖଲ କରିଛନ୍ତି । ତେବେ ପରିବହନ ବିଭାଗର ଏହା ଖାମ ଖିଆଲ ମନୋଭାବ ନା ଫାଇନ ଆଦାୟ ନାଁରେ ଦାଦାଗିରି ବୋଲି ପ୍ରଶ୍ନ ଉଠିଛି ।