ଗାଁ ପୋଖରୀରେ ବୁଲିଲେ ଦୁର୍ଲଭ ପ୍ରଜାତିର ବେଙ୍ଗ : ହଳଦିଆ ରଙ୍ଗର ଏହି ବେଙ୍ଗଙ୍କୁ ଦେଖି ଡ଼ରିଲେ ଗାଁ ଲୋକ । 

535

ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଉଛି ଅଜବ ଭିଡ଼ିଓ । ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲାର ଏକ ପୋଖରୀରୁ ଦେଖାଯାଇଛି ବିରଳ ଦୁର୍ଲଭ ପ୍ରଜାତିର ଶହ ଶହ ବେଙ୍ଗ । ସାଧାରଣ ବେଙ୍ଗଙ୍କ ଭଳି ଏହାର ରଙ୍ଗ ମାଟିଆ , କଳା କି ଛିଟପଡ଼ା ନୁହଁ ଏହି ବେଙ୍ଗମାନଙ୍କର ରଙ୍ଗ ରହିଛି ହଳଦିଆ । ତେବେ ପ୍ରଥମଥର ପାଇଁ ଏଭଳି ହଳଦିଆ ବେଙ୍ଗକୁ ଦେଖି ଲୋକମାନେ ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହି ବେଙ୍ଗ ବିଷଧର ହୋଇପାରେ ବୋଲି ଅନୁମାନ କରି ଗାଁଲୋକ ଭୟଭୀତ ହୋଇଯାଇଛନ୍ତି ଏବଂ ବେଙ୍ଗମାନଙ୍କୁ ମାରିବାକୁ ପ୍ରୟାସ ମଧ୍ୟ କରିଛନ୍ତି ।

ତେବେ ଏନେଇ ପରିବେଶବିତ୍ କହିଛନ୍ତି , ଯେ ବେଙ୍ଗମାନଙ୍କର ଏହି ଦୁର୍ଲଭ ପ୍ରଜାତୀକୁ “ଇଣ୍ଡିଆନ୍ ବୁଲ୍ ଫ୍ରଗ୍” ବୋଲି କୁହାଯାଏ । ପ୍ରଜନନ ସମୟରେ ଏହି ବେଙ୍ଗ ନିଜର ରଙ୍ଗ ବଦଳାଏ ଏବଂ ଗାଢ ହଳଦିଆ ରଙ୍ଗର ରୂପ ନିଏ । ଏହି କାରଣରୁ ଲୋକମାନେ ଏହାକୁ ବିଷଧର ବୋଲି ଭାବନ୍ତି । କିନ୍ତୁ ଏହି ପ୍ରଜାତୀର ବେଙ୍ଗ ଆଦୌ ବିଷଧର ନୁହଁନ୍ତି । ପରିବେଶବିତଙ୍କ ମତରେ , ଏହି ଦୁର୍ଲଭ ପ୍ରଜାତିର ବେଙ୍ଗ ଚାଷୀମାନଙ୍କ ପାଇଁ ମଧ୍ୟ ଖୁବ୍ ଲାଭକାରୀ ଏବଂ ଇକୋ-ଫ୍ରେଣ୍ଡଲୀ । ଏଭଳି ପ୍ରଜାତିକୁ ଦେଖି ଡ଼ରିବା ବଦଳରେ ଏମାନଙ୍କ ପ୍ରଜନନ ସମୟରେ ଯେଭଳି କିଛି ଅସୁବିଧା ନହୁଏ ସେ ପ୍ରତି ଧ୍ୟାନ ଦେବା ଦରକାର । ସବିଶେଷ ସୂଚନା ନଥିବା କାରଣରୁ ଲୋକମାନେ ପ୍ରକୃତିର ଏଭଳି ଦୁର୍ଲଭ ପ୍ରଜାତୀକୁ ଅସୁବିଧାରେ ପକାନ୍ତି । ଯାହା ବାସ୍ତବରେ ଲୋକଙ୍କ ହିତରେ ଲାଗିପାରିବ ତାକୁ ଅଜ୍ଞାନତା ବଶତଃ ନିଜେ ହିଁ ମଣିଷମାନେ ନଷ୍ଟ କରିଦିଅନ୍ତି । ଇଣ୍ଡିଆନ୍ ବୁଲ୍ ଫ୍ରଗ୍ ପ୍ରଜାତୀକୁ ନଡ଼ରି ଏମାନଙ୍କ ବିଷୟରେ ଅନ୍ୟ ଲୋକଙ୍କୁ ସୂଚନା ଦେବା ପାଇଁ ପରିବେଶବିତ୍ କହିଛନ୍ତି ।