କନକ ବ୍ୟୁରୋ : ଆଜି ବିଶ୍ୱକପରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ସେମିଫାଇନାଲ ମୁକାବିଲା ଖେଳାଯିବ । ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟୀ ହୋଇ ଭାରତ ୨୦୧୯ ସେମିଫାଇନାଲର ପ୍ରତିଶୋଧ ନେବା ସହ ଫାଇନାଲ ଟିକେଟ ହାସଲ କରୁ ବୋଲି ଚାହୁଁଛନ୍ତି କ୍ରିକେଟପ୍ରେମୀ । କିନ୍ତୁ ଏସବୁ ଭିତରେ ପୂର୍ବତନ ପାକିସ୍ତାନ କ୍ରିକେଟର ସୋଏବ ଅଖତର ଗୋଟିଏ ପାଦ ଆଗକୁ ଯାଇ କହିଛନ୍ତି, ମୁଁ ମନରୁ ଚାହୁଁଛି ଭାରତ ଏହି ବିଶ୍ୱକପ ଜିତୁ । ଭାରତକୁ ଚାମ୍ପିୟନ ଭାବେ ସୋଏବ ଦେଖିବାକୁ ଚାହୁଁଥିବା ବେଳେ ପାକିସ୍ତାନ କ୍ରିକେଟ ବୋର୍ଡ ଉପରେ ବର୍ଷିଛନ୍ତି ।

Advertisment

ସୋଏବ କହିଛନ୍ତି, ଚଳିତ ବିଶ୍ୱକପରେ ପାକିସ୍ତାନର ପ୍ରଦର୍ଶନ ମୋତେ ନିରାଶ କରିଛି । ପାକିସ୍ତାନ ଯେଉଁଭଳି ଢଙ୍ଗରେ କ୍ରିକେଟ ଖେଳିବା କଥା ତାହା ଖେଳିନାହିଁ । ପାକିସ୍ତାନରେ କ୍ରିକେଟକୁ ବଞ୍ଚାଇବାକୁ ହେଲେ ନୂଆ ଲୋକଙ୍କୁ ଆଣିବାକୁ ପଡିବ । କାରଣ ବୋର୍ଡରେ ୬୦ ବର୍ଷର ସେହି ବ୍ୟକ୍ତି ବସିଛନ୍ତି ଯାହାଙ୍କୁ କ୍ରିକେଟ ବାବଦରେ କିଛି ଜଣାନାହିଁ । ଚିନି ବିକାଳୀ ପାକିସ୍ତାନ କ୍ରିକେଟକୁ ଚଳାଉଛନ୍ତି । ଦିନିକିଆ କ୍ରିକେଟ ପାଇଁ ପାକିସ୍ତାନକୁ ଭିନ୍ନ ରଣନୀତି କରିବାକୁ ପଡିବ । ଦିନିକିଆ ବିଶ୍ୱକପରେ ଆପଣ ଟି-୨୦ ଫର୍ମାଟରେ କ୍ରିକେଟ ଖେଳିପାରିବନି । ଏ ବାବଦରେ ପାକିସ୍ତାନକୁ ଚିନ୍ତା କରିବାର ଆବଶ୍ୟକତା ରହିଛି । ପୂର୍ବଭଳି ପାକିସ୍ତାନ ଆକ୍ରମଣାତ୍ମକ କ୍ରିକେଟ ଖେଳୁନାହିଁ । ପ୍ରତିଦ୍ୱନ୍ଦ୍ୱୀଙ୍କ ବିପକ୍ଷରେ ପାକିସ୍ତାନର ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖିବାକୁ ମିଳୁନାହିଁ । ଯଦି ଏଭଳି ଜାରି ରୁହେ ତେବେ ଖୁବଶୀଘ୍ର ପାକିସ୍ତାନର ଅବସ୍ଥା ୱେଷ୍ଟଇଣ୍ଡିଜ ଭଳି ହେବ ବୋଲି କହିଛନ୍ତି ସୋଏବ ।

ପାକିସ୍ତାନ ଉପରେ ସୋଏବ ବର୍ଷିଥିବା ବେଳେ ଭାରତର ପ୍ରଂଶସା କରିବାକୁ ପଛାଇନାହାନ୍ତି । ଖାସକରି ଟିମ୍ ଇଣ୍ଡିଆର ପ୍ରଦର୍ଶନକୁ ନେଇ ସୋଏବ କହିଛନ୍ତି, ଭାରତ ଏଥର ହୋମଗ୍ରାଉଣ୍ଡରେ ବିଶ୍ୱକପ ଜିତୁ ଏହା ମୁଁ ମନରୁ ଚାହୁଁଛି । କାରଣ ବିଶ୍ୱକପ ବିଜେତା ହେବାକୁ ଟିମ୍ ଇଣ୍ଡିଆ ହକଦାର । ଅଧିନାୟକ ରୋହିତ ଶର୍ମାଙ୍କ ପ୍ରଂଶସା କରି ସୋଏବ କହିଛନ୍ତି, ଏବେ ରୋହିତ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରୁଛନ୍ତି । ପ୍ରଥମରୁ ହିଁ ଆକ୍ରମଣାତ୍ମକ ଢଙ୍ଗରେ ବ୍ୟାଟିଂ କରୁଛନ୍ତି ରୋହିତ । ଯାହା ଟିମର ମିଡ଼ିଲ ଅର୍ଡର ବ୍ୟାଟରଙ୍କୁ ସୁହାଉଛି । ରୋହିତଙ୍କ ବ୍ୟାଟିଂ ପାଇଁ ହିଁ ବିରାଟ, ଶୁଭମନ, ରାହୁଲଙ୍କ ଉପରୁ ଚାପ ହ୍ରାସ ହେଉଛି । ଫଳରେ ଭାରତର ମିଡ଼ିଲ ଅର୍ଡର ବ୍ୟାଟର ଦମଦାର ପ୍ରଦର୍ଶନ କରିବାରେ ସଫଳ ହେଉଛନ୍ତି । କିନ୍ତୁ ପାକିସ୍ତାନ କ୍ଷେତ୍ରରେ ସେଭଳି ଦେଖିବାକୁ ମିଳୁନାହିଁ । ବାବର ଆଜମ ନିଜର ଇନିଂସ ବଳରେ ଅନ୍ୟ ଖେଳାଳୀଙ୍କ ଉପରୁ ଚାପ ହ୍ରାସ କରିବାରେ ସଫଳ ହୋଇନଥିଲେ । ଯାହାର ପରିଣାମସ୍ୱରୂପ ପାକିସ୍ତାନ ବିଶ୍ୱକପର ସେମିଫାଇନାଲ ରେସରୁ ବାଦ୍ ପଡିଲା । ରୋହିତ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ଖେଳୁଥିବାରୁ ଏହା ଟିମ୍ ଇଣ୍ଡିଆ ପାଇଁ ଲାଭଦାୟକ ସାବ୍ୟସ୍ତ ହେଉଛି । ସେହିଭଳି ବୁମରାଙ୍କ ପ୍ରଂଶସା ସହ ସୋଏବ କହିଛନ୍ତି, ଭାରତର ବୋଲିଂ ବାହିନୀକୁ ଶକ୍ତିଶାଳୀ କରିଛନ୍ତି ବୁମରା । ଭାରତର ବୋଲିଂ ବାହିନୀ ହିଁ ଦଳକୁ ବିଶ୍ୱକପ ବିଜୟୀ କରାଇବେ । ହୋମଗ୍ରାଉଣ୍ଡରେ ଭାରତର ବୋଲର ଅବିଶ୍ୱସନୀୟ ପ୍ରଦର୍ଶନ କରୁଛନ୍ତି । ଯାହା ଟିମ୍ ଇଣ୍ଡିଆର ସବୁଠୁ ବଡ ଅସ୍ତ୍ର ।