କନକ ବ୍ୟୁରୋ: ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କ ଯୋଡି ସବୁବେଳେ ଚର୍ଚ୍ଚାରେ ରହିଥାଏ। ଦୁହେଁ ଦୁହିଁଙ୍କ ସମ୍ପର୍କ ଏବଂ ପରସ୍ପରର ଦେଶ ପ୍ରତି ଥିବା ଭଲପାଇବା ପାଇଁ ଲୋକଙ୍କ ମନ କିଣିନେଇଥାନ୍ତି। ଏବେ ପୁଣି ସେଭଳି ଏକ ଘଟଣା ସାମ୍ନାକୁ ଆସିଛି।
ଦୁହେଁ ପାକିସ୍ତାନର ଏକ ସୋ’ରେ ଭାଗ ନେବାକୁ ଯାଇଥିବା ସମୟର ଏକ ଭିଡିଓ ଏବେ ଭାଇରାଲ ହୋଇଛି। ଭିଡିଓରେ ସୋ’ର ହୋଷ୍ଟ ସାନିଆ ମିର୍ଜାଙ୍କୁ ପଚାରୁଛନ୍ତି ଯେ, କେଉଁ ପ୍ରଶ୍ନ ଶୁଣି ଆପଣ ରାଗି ଯାଆନ୍ତି? ଏହାର ଉତ୍ତରରେ ସାନିଆ ମିର୍ଜା କହୁଛନ୍ତି ଯେ ଭାରତ-ପାକିସ୍ତାନ ମ୍ୟାଚ୍ ସମୟରେ ସେ କାହାକୁ ସମର୍ଥନ କରନ୍ତି ସେ ପ୍ରଶ୍ନ ନକରିବାକୁ ବାରମ୍ବାର ଲୋକଙ୍କୁ କହୁଥିଲେ ବି ସେହି ପ୍ରଶ୍ନ ତାଙ୍କୁ ବାରମ୍ବାର ପଚରାଯାଏ, ଯାହା ତାଙ୍କୁ ବିରକ୍ତ କରେ। ଏମଧ୍ୟରେ ସାନିଆଙ୍କ ସ୍ବାମୀ ଶୋଏବ ଆସି ତାଙ୍କୁ ପୁଣି ସେହି ପ୍ରଶ୍ନ ପଚାରୁଛନ୍ତି। ଏହାର ଉତ୍ତରରେ ସାନିଆ ଶୋଏବଙ୍କୁ ଆଉ ଏକ ପ୍ରଶ୍ନ ପଚାରି ଦ୍ବନ୍ଦ୍ବରେ ପକାଇ ଦେଉଥିବା ଦେଖାଯାଇଛି। ସାନିଆ ପଚାରୁଛନ୍ତି ଯେ, ଟେନିସରେ ଭାରତ-ପାକିସ୍ତାନ ମ୍ୟାଚ୍ ଥିବାବେଳେ ଆପଣ କାହାକୁ ସମର୍ଥନ କରନ୍ତି?
ଏହାର ଉତ୍ତରରେ ଶୋଏବ ମଲିକ କହୁଛନ୍ତି ଯେ, ମୁଁ ମୋ ପତ୍ନୀଙ୍କୁ ସମର୍ଥନ କରେ। କିନ୍ତୁ ମୋ ଦେଶକୁ ଭଲପାଏ। ଏହା ଶୁଣି ସାନିଆ କହୁଛନ୍ତି ଯେ, ମୁଁ ମଧ୍ୟ ମୋ ସ୍ବାମୀଙ୍କୁ ସମର୍ଥନ କରେ। କିନ୍ତୁ ମୋ ଦେଶକୁ ଭଲପାଏ। ତେଣୁ ମୋତେ ଆଉ ଏହି ପ୍ରଶ୍ନ ପଚାର ନାହିଁ।
Follow Us