ସେମିଫାଇନାଲ ପୂର୍ବରୁ ପାକିସ୍ତାନ ପାଇଁ ଆସିଲା ଖୁସି ଖବର । ପୂରା ଫିଟ୍ ହେଲେ ଦୁଇ ବିସ୍ଫୋରକ ଖେଳାଳୀ ।

197

କନକ ବ୍ୟୁରୋ : ସୁପର-୧୨ ପର୍ଯ୍ୟାୟରେ ଅପରାଜେୟ ଥିବା ପାକିସ୍ତାନ ଆଜି ସେମିଫାଇନାଲ ମୁକାବିଲାରେ ଅଷ୍ଟ୍ରେଲିଆକୁ ଭେଟିବ । ତେବେ ସେମିଫାଇନାଲ ଫାଇଟ ପୂର୍ବରୁ ପାକିସ୍ତାନକୁ ବଡ ଝଟକା ଲାଗିଥିଲା  । କାରଣ ଦଳର ୨ ଷ୍ଟାର ବ୍ୟାଟର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ର୍ପୂବରୁ ଅସୁସ୍ଥ ଥିବା ସୂଚନା ମିଳିଥିଲା । ତେବେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ପୂର୍ବରୁ ସୁସ୍ଥ ହୋଇଛନ୍ତି ପାକିସ୍ତାନର ଦୁଇ ଷ୍ଟାର ବ୍ୟାଟର । ଉଭୟ ମହମ୍ମଦ ରିଜୱାନ ଓ ସୋଏବ ମଲ୍ଲିକଙ୍କୁ ମ୍ୟାଚ୍ ପୂର୍ବରୁ ଫିଟ୍ ଘୋଷଣା କରାଯାଇଛି ।

ପାକିସ୍ତାନର ମେଡିକାଲ ଟିମ୍ ଉଭୟ ଖେଳାଳୀଙ୍କୁ ଟେଷ୍ଟ କରିବା ପରେ ଦୁହିଁଙ୍କୁ ଗ୍ରୀନ୍ ସିଗନାଲ ଦେଇଛନ୍ତି । ତେଣୁ ସେମିଫାଇନାଲ ମୁକାବିଲାରେ ଉଭୟ ଖେଳାଳୀଙ୍କୁ ଦେଖିବାକୁ ମିଳିବ ବୋଲି କୁହାଯାଉଛି । ବୁଧବାର ଖବର ଆସିଥିଲା ଏହି ଦୁଇ ଖେଳାଳୀଙ୍କୁ ଫ୍ଲୁ ହୋଇଥିବା କାରଣରୁ ଅସୁସ୍ଥ ଅଛନ୍ତି । ଯେଉଁଥିପାଇଁ ଉଭୟ ପ୍ରାକ୍ଟିସ ସେସନକୁ ମଧ୍ୟ ଆସିନଥିଲେ । ତେଣୁ ସରଫରାଜ ଅହମ୍ମଦ, ହାଇଦର ଅଲ୍ଲୀଙ୍କୁ ବ୍ୟାକ୍ ଅପ ଖେଳାଳୀ ଭାବେ ରଖାଯାଇଥିଲା ।

ମିଳିଥିବା ସୂଚନା ମୁତାବକ, ଉଭୟଙ୍କୁ ମ୍ୟାଚ୍ ପୂର୍ବରୁ ଫ୍ଲୁ ହୋଇଥିଲା । ଆଉ ଏହାପରେ ଉଭୟଙ୍କର କୋଭିଡ ପରୀକ୍ଷା ମଧ୍ୟ କରାଯାଇଥିଲା । ତେବେ ରିପୋର୍ଟ ନେଗେଟିଭ ଆସିବା ପାକିସ୍ତାନ କ୍ରିକେଟପ୍ରେମୀଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତ କରିଛି । କାରଣ ଚଳିତ ଟୁର୍ଣ୍ଣାମେଣ୍ଟରେ ଜବରଦସ୍ତ ଫର୍ମରେ ରହିଛନ୍ତି ଉଭୟ ରିଜୱାନ ଓ ସୋଏବ । ଖାସକରି ସ୍କଟଲାଣ୍ଡ ବିପକ୍ଷ ଶେଷ ମ୍ୟାଚରେ ମଲ୍ଲିକଙ୍କ ବିସ୍ଫୋରକ ବ୍ୟାଟିଂ ପାକିସ୍ତାନ ପାଇଁ ଶୁଭ ସଂକେତ ।

ସୁପର-୧୨ ପର୍ଯ୍ୟାୟରେ ପାକିସ୍ତାନ ଅପରାଜେୟ ରହିଛି । ଆଉ ଏଥିରେ ରିଜୱାନ ଓ ମଲ୍ଲିକଙ୍କର ବଡ ଯୋଗଦାନ ରହିଛି । ରିଜୱାନ ପ୍ରଥମରୁ ଆକ୍ରମଣାତ୍ମକ ବ୍ୟାଟିଂ କରି ପାକିସ୍ତାନ ପାଇଁ ଭଲ ଆରମ୍ଭ ଦେଉଥିବା ବେଳେ ମିଡିଲ ଅର୍ଡରରେ ସୋଏବ ମଲ୍ଲିକ ବିସ୍ଫୋରକ ଇନିଂସ ଖେଳି ପାକିସ୍ତାନକୁ ବଡ ବିଜୟ ଭେଟି ଦେଇଥିଲେ । ଖାସକରି ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ବିପକ୍ଷରେ ଦଳ ଯେଉଁ ବିଜୟ ହାସଲ କରିଥିଲା ତାହାର ହିରୋ ଥିଲେ ସୋଏବ ମଲ୍ଲିକ ।