ବିଶ୍ୱକପରେ ଆଜି ମୁହାଁମୁହିଁ ହେଉଛନ୍ତି ପାକିସ୍ତାନ-ଆଫଗାନିସ୍ତାନ । ଆଫଗାନିସ୍ତାନକୁ ମାତ୍ ଦେଇ ପାକିସ୍ତାନ ସେମିଫାଇନାଲ ଟିକେଟ ହାତେଇବାକୁ ଲକ୍ଷ୍ୟ ରଖିଛି । ଅନ୍ୟପଟେ ପାକିସ୍ତାନକୁ ମାତ୍ ଦେଇ ବିଶ୍ୱକପରେ ବିଜୟର ସ୍ୱାଦ ଚାଖିବା ଲକ୍ଷ୍ୟରେ ରହିଛି ଆଫଗାନିସ୍ତାନ । ଚଳିତ ବିଶ୍ୱକପରେ ଆଫଗାନିସ୍ତାନ ଏବେ ସୁଦ୍ଧା ଗୋଟିଏ ମଧ୍ୟ ମ୍ୟାଚ୍ ଜିତିପାରିନି ସତ କିନ୍ତୁ ଦମଦାର ପ୍ରଦର୍ଶନ ବଳରେ ଅନ୍ୟ ଟିମକୁ ଅଡୁଆରେ ପକାଇବାକୁ ସକ୍ଷମ ହୋଇଛି ।

Advertisment

ଆଉ ଏସବୁ ଭିତରେ ପାକିସ୍ତାନର ପୂର୍ବତନ ଖେଳାଳି ତଥା ରାୱଲପିଣ୍ଡି ଏକ୍ସପ୍ରେସ ସୋଏବ ଅଖତାର ଏକ ବିବାଦୀୟ ବୟାନ ଦେଇଛନ୍ତି । ଆଫଗାନ୍ ଟିମକୁ ନେଇ ସୋଏବ କହିଛନ୍ତି, ଯଦି ଆଫଗାନିସ୍ତାନର ସମସ୍ତ ଖେଳାଳିଙ୍କ ଆଇଡି କାର୍ଡ ଯାଞ୍ଚ କରାଯିବ ତେବେ ପୂରା ଟିମ୍ ବ୍ୟାନ୍ ହୋଇଯିବ । ସୋଏବ କହିଛନ୍ତି,କେବେ ପେଶାୱାର, ରାୱଲପିଣ୍ଡି ଆଫଗାନିସ୍ତାନର ଘରୋଇ ଗ୍ରାଉଣ୍ଡ ରହିଥିଲା । ପାକିସ୍ତାନରେ ଆଫଗାନିସ୍ତାନ ଖେଳାଳିଙ୍କୁ ଟ୍ରେନିଂ ଦିଆଯାଉଥିଲା । କିନ୍ତୁ ଏବେ ଆଫଗାନିସ୍ତାନ ଡେରାଡୁନକୁ ନିଜର ହୋମଗ୍ରାଉଣ୍ଡ ଭାବେ ବାଛି ନେଇଛନ୍ତି । ଆଫଗାନିସ୍ତାନ ଉପରେ ଭାରତ ଅନେକ ନିବେଶ କରିଛି । କିନ୍ତୁ ଆଫଗାନ୍ ଖେଳାଳିଙ୍କୁ ଭାରତ ସେଭଳି ପରିପକ୍ୱ କରିପାରିନାହିଁ ।

ଏହାଛଡା ସୋଏବ କହିଛନ୍ତି, ସୋସିଆଲ ମିଡିଆରେ ପାକିସ୍ତାନ ବିପକ୍ଷରେ କହିବାରୁ ଦୂରେଇ ରୁହନ୍ତୁ ଆଫଗାନିସ୍ତାନ ଖେଳାଳି । ନଚେତ୍ ଆପଣଙ୍କ ସମସ୍ତ ବନ୍ଧୁ ବାନ୍ଧବ ପେଶାୱର ଓ କରାଚୀ ଚାଲି ଆସିବେ ଓ ଆଫଗାନିସ୍ତାନ ଟିମ୍ ବ୍ୟାନ୍ ମଧ୍ୟ ହୋଇପାରେ ।