କନକ ବ୍ୟୁରୋ: ମେଲବର୍ଣ୍ଣର ଐତିହାସିକ ଗ୍ରାଉଣ୍ଡରେ ଭାରତୀୟ ଟିମ ଦମଦାର ବିଜୟ ହାସଲ କରିବା ପରେ ଏହାକୁ ନେଇ ପାକିସ୍ତାନରେ ଝଡ ଥମିବାର ନାଁ ନେଉନି । କୋହଲିଙ୍କ ବିରାଟ ଇଂନିସକୁ ଚାରିଆଡେ ପ୍ରଂଶସା କରାଯାଉଥିବାବେଳେ, ଏବେ ସୋଏବ୍ ଅଖତର ଏହାକୁ ନେଇ ଏକ ବଡ ବୟାନ ରଖିଛନ୍ତି । ସୋଏବଙ୍କର କହିବା କଥା, ବିରାଟ କୋହଲି ଏବେ ଟି-୨୦ ଇଣ୍ଟରନ୍ୟାସନାଲରୁ ଅବସର ନେଇଯିବା କଥା । ତେବେ ସୋଏବଙ୍କ ଏହି ବୟାନ ପରେ ସୋସିଆଲ୍ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ମେଲବର୍ଣ୍ଣରେ ବିରାଟ କୋହଲି ୮୨ ରନର ଦମଦାର ଇଂନିସ ଖେଳିଥିଲେ । ଯାହା ଫଳରେ ବ୍ୟାକଫୁଟରେ ଥାଇ ବି ଟିମ୍ ଇଣ୍ଡିଆ ବିଶ୍ୱକପରେ ବିଜୟ ହାସଲ କରିଥିଲା । ତେବେ ସୋଏବ ଅଖତର ନିଜର ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି ଯେ, ବିରାଟ କୋହଲି ଟି-୨୦ରୁ ଅବସର ନେଇଯିବା କଥା । କାହିଁକି ନା ଛୋଟ ଫର୍ମାଟରେ ସେ ତାଙ୍କର ଶକ୍ତି ନଷ୍ଟ ନକରନ୍ତୁ । ପାକିସ୍ତାନ ବିପକ୍ଷରେ କୋହଲି ତାଙ୍କର ଯେତିକି ଶକ୍ତି ଖର୍ଚ୍ଚ କଲେ, ଦିନିକିଆରେ ସେତିକି ଶକ୍ତି ଖର୍ଚ୍ଚ କଲେ ସେ ୩ଟି ଶତକ ମାରିପାରିବେ ବୋଲି ସୋଏବ କହିଛନ୍ତି । ତେଣୁ ବିରାଟ କୋହଲି ତୁରନ୍ତ ଟି-୨୦ରୁ ଅବସର ନେଇଯାଆନ୍ତୁ ବୋଲି ସୋଏବ ମତ ରଖିଛନ୍ତି ।
ସୋଏବ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ତିନି ବର୍ଷ ଧରି ବିରାଟ କୋହଲି କଠିନ ପରିସ୍ଥିତି ଦେଇ ଗତି କରୁଥିଲେ । ହେଲେ ଏବେ ସେ ତାଙ୍କର ଫର୍ମ ଫେରି ପାଇଛନ୍ତି । ମ୍ୟାଚରେ ତାଙ୍କର ଆତ୍ମବିଶ୍ୱାସ ମଧ୍ୟ ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ, ଅକ୍ଟୋବର ୨୩ ଭାରତ-ପାକିସ୍ତାନ ମ୍ୟାଚରେ ଟିମ୍ ଇଣ୍ଡିଆ ୪ ୱିକେଟରେ ବିଜୟ ହାସଲ କରିଥିଲା । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୫୯ ରନ୍ କରିଥିବାବେଳେ, ଭାରତ ଶେଷ ଓଭରରେ ବିଜୟ ହାସଲ କରିଥିଲା । ତେବେ ଭାରତର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ବିରାଟ କୋହଲି, ସେ ୫୩ ବଲରୁ ୮୨ ରନ୍ ସଂଗ୍ରହ କରିଥିଲେ ।
Follow Us