କନକ ବ୍ୟୁରୋ : ଭାରତ ଓ ପାକିସ୍ତାନ ମ୍ୟାଚକୁ କ୍ରିକେଟପ୍ରେମୀ ଉତ୍ସୁକତାର ସହ ଚାହିଁ ରହିଥାନ୍ତି । ଆଉ ଏସିଆ କପ୍ କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର ଆଣିଛି । କାରଣ ଏସିଆ କପରେ ସାମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ । ଉଭୟ ଦେଶ ଦ୍ୱିପାକ୍ଷିକ ସିରିଜ ଖେଳୁନଥିଲେ ମଧ୍ୟ ଆଇସିସିର ବିଭିନ୍ନ ଟୁର୍ଣ୍ଣାମେଣ୍ଟରେ ଉଭୟ ଦେଶ ମୁହାଁମୁହିଁ ହୋଇଛନ୍ତି । କ୍ରିକେଟ ପଡିଆରେ ଏହି ମ୍ୟାଚ୍ ଯେତିକି ରୋଚକ ହୋଇଥାଏ କ୍ରିକେଟ ପଡିଆ ବାହାରେ ମଧ୍ୟ ଏହି ମ୍ୟାଚକୁ ନେଇ ଯଥେଷ୍ଟ କ୍ରେଜ ରହିଥାଏ । ଖାସକରି ଉଭୟ ଦେଶର କ୍ରିକେଟପ୍ରେମୀଙ୍କ ଠାରୁ ଆରମ୍ଭ କରି ପୂର୍ବତନ ଖେଳାଳୀଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଦେଖିବାକୁ ମିଳିଥାଏ । ଉଭୟ ଦେଶ ମଧ୍ୟରେ ଯେତେବେଳେ ବି ମ୍ୟାଚ୍ ହୁଏ ପାକିସ୍ତାନର ଦ୍ରୁତ ବୋଲର ସୋଏବ ଅଖତର ଓ ଭାରତୀୟ ବ୍ୟାଟର ବୀରେନ୍ଦ୍ର ସେହୱାଗଙ୍କୁ ନେଇ ଚର୍ଚ୍ଚା ହୋଇଥାଏ । ପଡିଆରେ ଉଭୟ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ଥିଲେ ମଧ୍ୟ ପଡିଆ ବାହାରେ ଉଭୟ ପରସ୍ପରର ଭଲ ବନ୍ଧୁ । କିନ୍ତୁ ଏସବୁ ଭିତରେ ଏବେ ସୋସିଆଲ ମିଡ଼ିଆରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଛି ଯୁଦ୍ଧ । କିନ୍ତୁ ତାହା ପୂରା ମଜାଳିଆ ଢଙ୍ଗରେ । ସେହୱାଗଙ୍କ ଏକ କମେଣ୍ଟକୁ ନେଇ ସୋଏବ କହିଛନ୍ତି, ଯଦି କେବେ ମୋତେ ସେହୱାଗ ମିଳି ଯାଆନ୍ତି ତେବେ ତାଙ୍କୁ ବହୁତ ମାରିବି ।

Advertisment

ସୋଏବ ଅଖତର ଏବେ ଟ୍ୱିଟରରେ ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ସେ ସୁଟ୍ ପିନ୍ଧିଥିବାର ନଜର ଆସିଥିଲେ । ଆଉ କ୍ୟାପସନରେ ଅଖତର ଲେଖିଥିଲେ, ନୂଆ ଲୁକ୍, ଭାବୁଛି ଆପଣଙ୍କୁ ଏହା ପସନ୍ଦ ଆସିବ । ଆଉ ଏହି ଫଟୋରେ ସେହୱାଗ ମଜାଳିଆ ଢଙ୍ଗରେ କମେଣ୍ଟ ଦେବା ସହ ଲେଖିଥିଲେ, ଅର୍ଡର ଲେଖ, ଗୋଟିଏ ବଟର ଚିକେନ, ଦୁଇଟି ନାନ୍ ଓ ଗୋଟିଏ ବିୟର । ଆଉ ଏଭଳି କମେଣ୍ଟ କରି ସୋଏବଙ୍କୁ ଚିଡାଇଥିଲେ ସେହୱାଗ୍ ।

ସେହୱାଗଙ୍କ ଏହି କମେଣ୍ଟକୁ ନେଇ ଯେତେବେଳେ ସୋଏବ ଅଖତରଙ୍କୁ ୟୁଟ୍ୟୁବ ଚ୍ୟାନେଲରେ ପ୍ରଶ୍ନ ପଚରାଗଲା ସେତେବେଳେ ସେ ମଜାଳିଆ ଅନ୍ଦାଜରେ ଉତ୍ତର ଦେଇଥିଲେ । ପ୍ରଶ୍ନ ପଚରାଯିବା କ୍ଷଣି ଅଖତର ହସିଥିଲେ । ସୋଏବ କହିଥିଲେ, ଯଦି କେଉଁ ଦିନ ମୋତେ ସେହୱାଗ ମିଳିଯାଆନ୍ତି ତେବେ ତାଙ୍କୁ ବହୁତ ମାରିବି ।

ଗତ ୧୦ ବର୍ଷରୁ ଅଧିକ ସମୟ ହେବ ଭାରତ-ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ ସିରିଜ ଖେଳା ଯାଇନାହିଁ । ଶେଷଥର ପାଇଁ ୨୦୧୨ରେ ଉଭୟ ଦେଶ ଦ୍ୱିପାକ୍ଷିକ ସିରିଜ ଖେଳିଥିଲେ । ସେତେବେଳେ ଭାରତ ଗସ୍ତରେ ଆସିଥିଲା ପାକିସ୍ତାନ । ତେବେ ଆଇସିସିର ବିଭିନ୍ନ ଟୁର୍ଣ୍ଣାମେଣ୍ଟରେ ଉଭୟ ଦେଶ ମୁହାଁମୁହିଁ ହେଉଛନ୍ତି । ଶେଷଥର ପାଇଁ ଟି-୨୦ ବିଶ୍ୱକପରେ ଉଭୟ ଦେଶ ମୁହାଁମୁହିଁ ହୋଇଥିଲେ ମଧ୍ୟ ପାକିସ୍ତାନ ଏଥିରେ ବାଜି ମାରି ନେଇଥିଲା ।