କନକ ବ୍ୟୁରୋ : ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର ପରପାରିକୁ ଯିବାର ଏହା ଭିତରେ ୨ ଦିନ ବିତିଗଲାଣି । କିନ୍ତୁ ଏବେ ଭାରତ ରତ୍ନ ଲତା ମଙ୍ଗେସକରଙ୍କୁ ଝୁରୁଛନ୍ତି ଦେଶବାସୀ । ନିଜର ସଙ୍ଗୀତର ଯାଦୁରେ ଲତା ଲୋକଙ୍କ ମନରେ ଚିରକାଳ ପାଇଁ ଅମର ହୋଇ ସାରିଛନ୍ତି । ଯେଉଁଥିପାଇଁ ତାଙ୍କୁ ନା କେବେ ଦେଶ ଭୁଲିବ ନା ଦେଶବାସୀ ଭୁଲିବେ । ସେଥିପାଇଁ ତ ସଂସଦରୁ ସୋସିଆଲ ମିଡ଼ିଆ ସବୁଠି ଲତାଙ୍କୁ ଦିଆଯାଇଛି ଶ୍ରଦ୍ଧାଞ୍ଜଳି । କେବଳ ଦେଶ କାହିଁକି ବିଦେଶରୁ ମଧ୍ୟ ଅନେକ ବିଶିଷ୍ଟ ବ୍ୟକ୍ତି ଲତାଙ୍କ ଦେହାନ୍ତରେ ଶୋକବ୍ୟକ୍ତ କରିଛନ୍ତି । ଯେଉଁମାନଙ୍କ ମଧ୍ୟରେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର ରହିଛନ୍ତି । ଲତାଙ୍କ ଦେହାନ୍ତରେ ସୋଏବ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ବେଶ ଭାବବିହ୍ୱଳ ହୋଇପଡିଛନ୍ତି । ଏପରିକି ଲତାଙ୍କ ବାବଦରେ ଏମିତି ଏକ ପୁରୁଣା କଥା ମନେ ପକାଇଛନ୍ତି ଯାହା ଅନେକଙ୍କ ହୃଦୟକୁ ଛୁଇଁଛି ।

Advertisment

ରାୱଲପିଣ୍ଡି ଏକ୍ସପ୍ରେସ ଭାବେ ଜଣାଶୁଣା ସୋଏବ ପୁରୁଣା କଥା ମନେପକାଇବା ସହ କହିଛନ୍ତି, ମୁଁ ତାଙ୍କୁ ଲତା ଜୀ ବୋଲି ସମ୍ବୋଧନ କରିବାରୁ ସେ ମୋତେ ପୁଅ ବୋଲି କହିବା ସହ ମାଆ ବୋଲି ଡାକିବାକୁ କହିଥିଲେ । କିନ୍ତୁ ତାଙ୍କୁ ଭେଟି ନପାରିବାର ଦୁଃଖ ମୋ ମନରେ ସବୁବେଳ ପାଇଁ ରହିବ । ନିଜ ୟୁଟ୍ୟୁବ ଚ୍ୟାନେଲରେ ସୋଏବ କହିଛନ୍ତି, ୨୦୧୬ରେ ମୁଁ ମୁମ୍ବାଇକୁ କୌଣସି ଏକ କାମରେ ଯାଇଥିଲି । ମୁଁ ଲତା ଦିଦିଙ୍କର ବହୁତ ବଡ ପ୍ରଂଶସକ । ତେଣୁ ତାଙ୍କ ସହ ମୋତେ ଫୋନରେ କଥା ହେବାକୁ ସୁଯୋଗ ମିଳିଥିଲା । ଫୋନ କରି ଯେତେବେଳେ ମୁଁ ଲତା ଜୀ ବୋଲି ସମ୍ବୋଧନ କଲି, ସେତେବେଳେ ସେ ମୋତେ ପୁଅ ବୋଲି କହିବା ସହ ମା ବୋଲି ଡାକିବାକୁ କହିଥିଲେ । ଆଉ ଏହା ହିଁ ମୋ ପାଇଁ ଶ୍ରେଷ୍ଠ ମୁହୂର୍ତ୍ତ ଥିଲା । ମୁଁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବାବଦରେ ପଚାରି ବୁଝିବା ପରେ ସେ ମୋତେ ମ୍ୟାଚ୍ ବାବଦରେ ପଚାରିଥିଲେ । ଏପରିକି ସେ ମୋତେ ଜାଣିଥିବା କହିଥିଲେ । ଖାସକରି ସଚିନ ଓ ମୋ ଖେଳ ସେ ଅନେକଥର ଦେଖିଥିବା କହିଥିଲେ । ଏହାସହ ମୁଁ ଜଣେ ଆକ୍ରାମକ ଖେଳାଳୀ ଓ ରାଗ ସ୍ୱଭାବ ପାଇଁ ଅନେକ ଲୋକ ଜାଣିଥିବା କହିଥିଲେ । ଏହାସହ ଲତା ଜୀ କହିଥିଲେ, କେବେ ବି ବଦଳିବ ନାହିଁ, ସବୁବେଳେ ଏହିଭଳି ରୁହ ।

ଏହାସହ ସୋଏବ କହିଛନ୍ତି, ମୁମ୍ବାଇରେ ଥିବା ସମୟରେ ତାଙ୍କୁ ଭେଟିବାକୁ ଚାହିଁଥିଲି । କିନ୍ତୁ ନବରାତ୍ରୀ ପରେ ସେ ଭେଟିବାକୁ କହିଥିଲେ । କାରଣ ସେହି ସମୟରେ ଲତା ଜୀ ନବରାତ୍ରୀ ପାଇଁ ଉପବାସ ରଖୁଥିଲେ । କିନ୍ତୁ ନବରାତ୍ରୀ ଶେଷ ହେବା ପୂର୍ବରୁ ପାକିସ୍ତାନକୁ ଫେରି ଆସିଥିଲି । ଆଉ ଏହାପରେ କେବେ ଲତା ଜୀଙ୍କୁ ଭେଟିବାକୁ ସୁଯୋଗ ମିଳିନାହିଁ । ଆଉ ଲତା ଜୀଙ୍କୁ ଭେଟି ନପାରିବାର ଦୁଃଖ ମନରେ ସବୁବେଳେ ରହିବ ।

କ୍ରିକେଟ ପ୍ରତି ଥିବା ଭଲପାଇବା କାରଣରୁ ଲତା ମଙ୍ଗେସକରଙ୍କୁ ଅନେକ କ୍ରିକେଟର ପସନ୍ଦ କରନ୍ତି । ଖାସକରି ଅଧିକାଂଶ ଭାରତୀୟ କ୍ରିକେଟର ଲତା ମଙ୍ଗେସକରଙ୍କ ବଡ ପ୍ରଂଶସକ । ଏପରିକି ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ଲତା ମଙ୍ଗେସକରଙ୍କୁ ମା’ ବୋଲି କହିଥାନ୍ତି । ଆଉ ଲତା ଜୀ ମଧ୍ୟ ଅନେକ ସମୟରେ ସଚିନଙ୍କୁ ଭଲ ପ୍ରଦର୍ଶନ କରିବାକୁ ଉତ୍ସାହିତ କରିଥାନ୍ତି । ଲତା ଜୀ ହିଁ ପ୍ରଥମେ ସଚିନ ତେନ୍ଦୁଲକରଙ୍କୁ ଭାରତ ରତ୍ନ ଦିଆଯାଉ ବୋଲି ଦାବି କରିଥିଲେ । ସେହିଭଳି ବିଶ୍ୱବିଜୟୀ ଅଧିନାୟକ ଧୋନୀଙ୍କୁ କ୍ରିକେଟରୁ ଅବସର ନ ନେବାକୁ ମଧ୍ୟ ଲତା ଜୀ ଅନୁରୋଧ କରିଥିଲେ । ସେହିଭଳି ୧୯୮୩ ବିଶ୍ୱକପ ବିଜେତା ଭାରତୀୟ ଟିମକୁ ଆର୍ଥିକ ପୁରସ୍କାର ପାଇଁ ବିସିସିଆଇ ସହ ମିଶି ଲତା ଜୀ ବିଭିନ୍ନ କନସର୍ଟ ମାଧ୍ୟମରେ ଅର୍ଥ ସଂଗ୍ରହ କରିଥିଲେ । ଯାହା ଦର୍ଶାଉଥିଲା ଭାରତୀୟ କ୍ରିକେଟକୁ କେତେ ଭଲ ପାଉଥିଲେ ଲତା ମଙ୍ଗେସକର ।