ୱାର୍ଣ୍ଣରଙ୍କୁ  ନୁହେଁ ବାବରଙ୍କୁ ମିଳିବା କଥା… । ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ ଖେଳାଳୀ ପୁରସ୍କାରକୁ ନେଇ ସହିପାରିଲେନି ପୂର୍ବ ପାକ୍ କ୍ରିକେଟର ।

378

କନକ ବ୍ୟୁରୋ : ଟି-୨୦ ବିଶ୍ୱକପରେ ନ୍ୟୁଜିଲାଣ୍ଡକୁ ମାତ୍ ଦେଇ ପ୍ରଥମ ଥର ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ । ୫ଟି ଦିନିକିଆ ବିଶ୍ୱକପ ହାତେଇଥିବା ଅଷ୍ଟ୍ରେଲିଆ ଏଯାବତ୍ ଟି-୨୦ ଫର୍ମାଟରେ ଟାଇଟଲ ହାତେଇ ପାରିନଥିଲା । କିନ୍ତୁ ୨୦୨୧ ଟି-୨୦ ବିଶ୍ୱକପରେ ଅଷ୍ଟ୍ରେଲିଆର ଚାମ୍ପିୟନ ହେବା ସ୍ୱପ୍ନ ପୂରା ହୋଇଛି । ଆଉ ଅଷ୍ଟ୍ରେଲିଆର ଏହି ସ୍ୱପ୍ନକୁ ପୂରା କରିବା ପଛରେ ୨ ଖେଳାଳୀଙ୍କ ବଡ ଯୋଗଦାନ ରହିଥିଲା । ଫାଇନାଲ ମ୍ୟାଚରେ ଡେଭିଡ ୱାର୍ଣ୍ଣର ଓ ମିଚେଲ ମାର୍ଶଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଟାଇଟଲ ବିଜୟୀ ହୋଇଥିଲା ଅଷ୍ଟ୍ରେଲିଆ । ଯେଉଁଥିପାଇଁ ମିଚେଲ ମାର୍ଶଙ୍କୁ ମ୍ୟାଚର ସର୍ବଶ୍ରେଷ୍ଠ ଖେଳାଳୀ ଓ ଡେଭିଡ ୱାର୍ଣ୍ଣରଙ୍କୁ ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ ଖେଳାଳୀ ଭାବେ ପୁରସ୍କାର ମିଳିଛି । ତେବେ ଡେଭିଡ ୱାର୍ଣ୍ଣରଙ୍କୁ ସର୍ବଶ୍ରେଷ୍ଠ ଖେଳାଳୀ ଭାବେ ବାଛିବା ପୂର୍ବତନ ପାକିସ୍ତାନୀ କ୍ରିକେଟର ଓ କ୍ରିକେଟପ୍ରେମୀ ସହଜରେ ହଜମ କରିପାରିନାହାନ୍ତି । ୱାର୍ଣ୍ଣରଙ୍କୁ ସର୍ବଶ୍ରେଷ୍ଠ ଖେଳାଳୀ ଭାବେ ବାଛିବା ଉପରେ ପ୍ରଶ୍ନ ଉଠାଇଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର ।

ୱାର୍ଣ୍ଣରଙ୍କୁ ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ ଖେଳାଳୀ ଭାବେ ବିବେଚିତ କରାଯିବା ପରେ ଟ୍ୱିଟ୍ କରି ଟାର୍ଗେଟ କରିଛନ୍ତି ସୋଏବ । ଟ୍ୱିଟ୍ କରି ସୋଏବ ଲେଖିଛନ୍ତି ଯେ, ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ ଖେଳାଳୀ ଭାବେ ବାବରଙ୍କ ଡକାଯିବ ବୋଲି ଉତ୍ସୁକତାର ସହ ଚାହିଁ ରହିଥିଲି । କିନ୍ତୁ ଏଭଳି ନିଷ୍ପତ୍ତି  ସମ୍ପୂର୍ଣ୍ଣ ରୂପେ ଅନୁଚିତ । ସୋଏବଙ୍କ ମତରେ ବାବର ଆଜମଙ୍କୁ ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ ଖେଳାଳୀ ଦିଆଯିବା କଥା । କାରଣ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ସ୍କୋର ବାବରଙ୍କ ନାଁରେ ରହିଛି । ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଡେଭିଡ ୱାର୍ଣ୍ଣର । ଏହାସତ୍ତେ୍ୱ ମଧ୍ୟ ଡେଭିଡ ୱାର୍ଣ୍ଣରଙ୍କୁ ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ ଖେଳାଳୀ ଭାବେ ବାଛିବା ନିଷ୍ପତ୍ତିକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ପାକିସ୍ତାନୀ ପ୍ରଂଶସକ । ଆଉ ଏଥିପାଇଁ ବିସିସିଆଇକୁ ଦୋଷ ଦେବାକୁ ମଧ୍ୟ ପଛାଇ ନାହାନ୍ତି । ୨୦୧୪ ଓ ୨୦୧୬ରେ ବିରାଟ କୋହଲିଙ୍କୁ କିଭଳି ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ ଖେଳାଳୀ ଭାବେ ବଛାଯାଇଥିଲା ତାହାକୁ ନେଇ ପ୍ରଶ୍ନ କରିଛନ୍ତି କିଛି ପାକିସ୍ତାନୀ ପ୍ରଂଶସକ ।

ଚଳିତ ବିଶ୍ୱକପରେ ବାବର ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ୬ଟି ମ୍ୟାଚରୁ ସର୍ବାଧିକ ୩୦୩ ରନ କରିଥିଲେ ବାବର । ଅନ୍ୟପଟେ ୱାର୍ଣ୍ଣର ୭ଟି ମ୍ୟାଚରୁ ୨୮୯ ରନ କରିଥିଲେ । ତେବେ ଅଷ୍ଟ୍ରେଲିଆ ଫାଇନାଲ ମୁକାବିଲା ଖେଳିଲା ଓ ଚାମ୍ପିୟନ ହେଲା, ଏହାର ଫାଇଦା ୱାର୍ଣ୍ଣରଙ୍କୁ ମିଳିଲା । ଫାଇନାଲରେ ନିଜର ଉପଯୋଗୀ ଇନିଂସ ବଳରେ ଦଳକୁ ଚାମ୍ପିୟନ କରିବାରେ ବଡ ଭୂମିକାରେ ନଜର ଆସିଥିଲେ ୱାର୍ଣ୍ଣର । ଏହାସହ ଶେଷ ୩ଟି ମ୍ୟାଚରେ ୱାର୍ଣ୍ଣରଙ୍କ ପ୍ରଦର୍ଶନ ଦଳକୁ ଚାମ୍ପିୟନ କରିବାରେ ସହାୟକ ହୋଇଥିଲା । କିନ୍ତୁ ଅନ୍ୟପଟେ ବାବର ଆଜମ ଅଧିକ ରନ୍ ସ୍କୋର କରିଥିଲେ ମଧ୍ୟ ଦଳକୁ ଫାଇନାଲରେ ପହଞ୍ଚାଇବାକୁ ସକ୍ଷମ ହୋଇନଥିଲେ । ତେଣୁ ରନକୁ ଆଧାର କରି ନୁହେଁ ବରଂ ନକ ଆଉଟ ମୁକାବିଲାରେ ବ୍ୟକ୍ତିଗତ ପ୍ରଦର୍ଶନ ଆଧାରରେ ୱାର୍ଣ୍ଣରଙ୍କୁ ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ ଖେଳାଳୀ ବଛା ଯାଇଥିବା କୁହାଯାଉଛି ।