ୟୁପି ବିଧାନସଭା ନିର୍ବାଚନ ଲଢିବ ଶିବସେନା, ସବୁ ଆସନରେ ପ୍ରାର୍ଥୀ ଦେବାକୁ ଉଦ୍ଧବ ଠାକରେଙ୍କ ଘୋଷଣା

93

କନକ ବ୍ୟୁରୋ : ବିଜେପିକୁ ଚଖମା ଦେଇ ମହାରାଷ୍ଟ୍ରରେ ସରକାର ଗଠନ କରିଥିବା ଶିବସେନା ଏବେ ୟୁପି ରାଜନୀତରେ ପ୍ରବେଶ କରିବାକୁ ଯାଉଛି । ମହାରାଷ୍ଟ ମୁଖ୍ୟମନ୍ତ୍ରୀ ତଥା ଶିବସେନା ନେତା ଉଦ୍ଧବ ଠାକରେ ୟୁପିର ସମସ୍ତ ୪୦୩ ବିଧାନସଭା ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା କରିଛନ୍ତି । ଶିବସେନା ତରଫରୁ ହୋଇଥିବା କ୍ଷେତ୍ରୀୟ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଏହି ବୈଠକରେ ଶିବସେନା ତରଫରୁ ବିଜେପିକୁ ଟାର୍ଗେଟ୍ କରି କୁହାଯାଇଛି କି ବିଜେପି ସରକାରରେ ଆଇନ ଶୃଙ୍ଖଳା ପରିସ୍ଥିତି ପୁରା ଭୂଶୁଡି ପଡିଛି । ବିଜେପି ସରକାରରେ ମହିଳାମାନେ ଅଧିକ ଅସୁରକ୍ଷିତ ହୋଇପଡିଥିବା ଶିବସେନା ଅଭିଯୋଗ କରିଛି । ଦାରୁଲଶଫା ଠାରେ ହୋଇଥିବା ଦଳର କ୍ଷେତ୍ରୀୟ ବୈଠକରେ ପ୍ରଦେଶ ମୁଖ୍ୟ ଠାକୁର ଅନିଲ ସିଂ କହିଥିଲେ କି ୟୁପିରେ ବିଜେପି ସରକାର ବ୍ରାହ୍ମଣ ମାନଙ୍କ ସହ ଠିକ୍ ବ୍ୟବହାର କରୁନାହିଁ । ଏହାସହ ରାଜ୍ୟରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାର ସୁଧାର ପାଇଁ ଯୋଗୀ ସରକାର କୌଣସି ପଦକ୍ଷେପ ନେଉ ନଥିବା କଥା ସେ ଅଭିଯୋଗ କରିଛନ୍ତି । ବେରୋଜଗାରୀ ଓ ଦରବୃଦ୍ଧି ପ୍ରସଙ୍ଗକୁ ନେଇ ଦଳ ଯୋଗୀ ସରକାରଙ୍କୁ ଘେରିବ ବୋଲି ଠାକୁର ଅନିଲ ସିଂ କହିଛନ୍ତି ।

ସୂଚନା ଥାଉକି ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମଧ୍ୟରେ ମେଣ୍ଟ କରି ନିର୍ବାଚନ ଲଢିଥିଲେ ବି ସରକାର ଗଠନ କରିବା ସମୟରେ ଶିବସେନା ବିଜେପିକୁ ସାଙ୍ଗରେ ନନେଇ କଂଗ୍ରେସ ଓ ଏନସିପି ସହ ମେଣ୍ଟ କରି ସରକାର ଗଠନ କରିଥିଲା । ଏହାପରେ ଶିବସେନା ଓ ବିଜେପି ମଧ୍ୟରେ ଥିବା ସଂପର୍କରେ ଭଟ୍ଟା ପଡିଥିଲା । ହେଲେ ୟୁପି ରାଜନୀତରେ ଶିବସେନାର ପ୍ରବେଶ ବିଜେପି ଉପରେ କେତେ ପ୍ରଭାବ ପକାଇବ ତାହା ଆଗାମୀ ନିର୍ବାଚନ ଫଳାଫଳ ପରେ ସାମ୍ନାକୁ ଆସିବ ।