ମୋଦି ସରକାରଙ୍କ ଉପରେ ଶିବସେନାର ଷ୍ଟ୍ରାଇକ୍ ! କହିଲା, ଦେଶ ଜାଣିବା ଦରକାର, ଏୟାରଷ୍ଟ୍ରାଇକରେ ପାକିସ୍ତାନର କ’ଣ ହୋଇଛି କ୍ଷତି ।

276

କନକ ବ୍ୟୁରୋ : ଦୀର୍ଘଦିନର ଶତ୍ରୁତା ପରେ ବିଜେପି ଏବଂ ଶିବସେନା ମଧ୍ୟରେ ମେଣ୍ଟ ହୋଇଥିଲା । ଶିବସେନା ବିଜେପିର ସାଥୀ ବୋଲି କୁହାଯାଉଥିବା ବେଳେ ବିଜେପିକୁ ଶିବସେନାର ଏହି ପ୍ରଶ୍ନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ପୁଲୱାମା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ପାକିସ୍ତାନରେ ମାଟିରେ ପଶି କରାଯାଇଥିବା ଏୟାରଷ୍ଟ୍ରାଇକକୁ ନେଇ ରାଜନୈତିକ ବିବାଦ ଜାରି ରହିଛି । କଂଗ୍ରେସ ସମେତ ଅନେକ ବିପକ୍ଷ ଦଳ ଗୁଡିକ ପକ୍ଷରୁ ଏୟାରଷ୍ଟ୍ରାଇକକୁ ନେଇ ସରକାରଙ୍କୁ ପ୍ରମାଣ ମାଗୁଛନ୍ତି । ଆଉ ପ୍ରମାଣ ମାଗୁଥିବା ଏହି ରାଜନୈତିକ ଦଳ ଗୁଡିକ ମଧ୍ୟରେ ଭାରତୀୟ ଜନତା ପାର୍ଟିର ସାଥୀ ଶିବସେନାର ନାଁ ମଧ୍ୟ ସାମିଲ ହୋଇଛି । ଶିବସେନା କହିଛି ଯେ, ଦେଶବାସୀଙ୍କୁ ଏୟାରଷ୍ଟ୍ରାଇକର ସତ ଜାଣିବାର ଅଧିକାର ରହିଛି ।

ଶିବସେନା ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ, ଦେଶବାସୀଙ୍କୁ ଏହା ଜାଣିବାର ଅଧିକାର ରହିଛି ଯେ, ଆମେ ଶତ୍ରୁ ରାଷ୍ଟ୍ରରେ କେତେ କ୍ଷତି ପହଞ୍ଚାଇଛୁ । ଏବଂ ଏଭଳି ପ୍ରଶ୍ନ ପଚାରିଲେ, ସେନାର ଯବାନଙ୍କ ମନୋବଳ ଦୁର୍ବଳ ହେବାର ସମ୍ଭାବନା ନାହିଁ ବୋଲି ଶିବସେନା କହିଛି । ଦଳ ପକ୍ଷରୁ କୁହାଯାଇଛି ଯେ, ଅନେକ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇମୋସନାଲ୍ ହୋଇଯାଇଥାନ୍ତି । କିନ୍ତୁ ଏଥର ପ୍ରଧାନମନ୍ତ୍ରୀଙ୍କ ଆଖିରେ ଲୁହ ଦେଖିବାକୁ ମିଳିନି । ଏଥର ମୋଦି ଅଧିକ ଖୁସି ଥିବା ନଜର ଆସିଛନ୍ତି । ଗୋଟିଏ ପଟେ ଯେତେବେଳେ ପାକିସ୍ତାନ ସହ ଯୁଦ୍ଧର ମାହୋଲ ଥିଲା, ଅନ୍ୟପଟେ ନରେନ୍ଦ୍ର ମୋଦି ରାଲିକୁ ସମ୍ବୋଧିତ କରୁଥିଲେ ।

ଶିବସେନା ପକ୍ଷରୁ କୁହାଯାଇଛି ଯେ, ପୁଲୱାମା ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ବିରୋଧୀଙ୍କ ପାଖରେ ଦରଦାମ୍ ବୃଦ୍ଧି, ବେରୋଜଗାରୀ, ରାଫେଲ ଡିଲ୍ ସମେତ ଅନେକ ପ୍ରସଙ୍ଗ । କିନ୍ତୁ ଏବେ ଏମିତି ଲାଗୁଛି ଯେ, ଏୟାରଷ୍ଟ୍ରାଇକ୍ ପରେ ସମସ୍ତ ମୁଦ୍ଦା ଶେଷ ହୋଇଯାଇଛି । ଏବଂ ସମସ୍ତେ ଏବେ ଏୟାରଷ୍ଟ୍ରାଇକକୁ ପ୍ରସଙ୍ଗ କରିଛନ୍ତି । ତେବେ ଏୟାରଷ୍ଟ୍ରାଇକ ପ୍ରସଙ୍ଗରେ ବିରୋଧୀ ବାରମ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପିକୁ ଟାର୍ଗେଟ୍ କରୁଥିବା ବେଳେ, ଏହାର ଉତ୍ତର ମଧ୍ୟ ରଖୁଛି ବିଜେପି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କ୍ରମାଗତ ଭାବେ କହୁଛନ୍ତି ଯେ, ଯେଉଁମାନେ ଏୟାରଷ୍ଟ୍ରାଇକକୁ ନେଇ ପ୍ରଶ୍ନ ଉଠାଉଛନ୍ତି, ସେମାନେ ଭାରତୀୟ ସେନାର ମନୋବଳ ଦୁର୍ବଳ କରୁଛନ୍ତି ।