ଓଡିଶା ସରକାରଙ୍କୁ ଶିବରାଜ ସିଂ ଚୌହ୍ୱାନଙ୍କ ଟାର୍ଗେଟ । କହିଲେ, ରାଜ୍ୟରେ ଚାଲିଛି ଆଉଟସୋର୍ସିଂ ସରକାର । ନିଜ ବଳରେ ନିର୍ବାଚନ ଲଢ଼ି ଜିତିବ ବିଜେପି

126

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ବିଜେପି ନେତା ଶିବରାଜ ସିଂ ଚୌହାନ । ଓଡ଼ିଶାରେ ଆଉଟସୋର୍ସିଂ ସରକାର ଚାଲିଥିବା କହି ବର୍ଷିଛନ୍ତି । ଓଡ଼ିଶାରେ ୮୬% ଲୋକ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚାହାନ୍ତି । ତେଣୁ ଏଥର ନିର୍ବାଚନରେ ଦଳ ପୂରା ବଳ ଲଗାଇ ଲଢ଼ିବ ଓ ଜିତିବ । ବିଜେପି ସରକାରକୁ ଆସିଲେ ଓଡିଶା ୧ ନମ୍ବର ରାଜ୍ୟ ହେବ ବୋଲି କହିଛନ୍ତି ଶିବରାଜ ସିଂ ଚୌହାନ ।

  • ଓଡିଶା ମାଟିରେ ବର୍ଷିଲେ ଶିବରାଜ
  • ‘ରାଜ୍ୟରେ ଚାଲିଛି ଆଉଟସୋର୍ସିଂ ସରକାର’
  • ବିଜେଡିର ଜବାବ, ଓଡିଶା ବିଷୟରେ ଧାରଣା ନାହିଁ

୨୦୨୪ ନିର୍ବାଚନ ପାଇଁ ଓଡିଶାରେ ବିଜେପି ମିଶନ ଲୋକସଭା କସରତକୁ ଜୋରଦାର କରିଛି । ମଧ୍ୟପ୍ରଦେଶରେ ୧୫ ବର୍ଷରୁ ଅଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ରହି ଚର୍ଚ୍ଚାରେ ଥିବା ଶିବରାଜ ସିଂହ ଚୌହ୍ୱାନ ଓଡିଶା ଆସି କଟକ ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ର ଗସ୍ତରେ ଯାଇଛନ୍ତି । ଓଡିଶା ମାଟିରେ ଓଡିଶା ସରକାରଙ୍କ ଉପରେ ବର୍ଷିଛନ୍ତି ଶିବରାଜ ସିଂ ଚୌହ୍ୱାନ । ରାଜ୍ୟ ସରକାରଙ୍କୁ ସିଧା ଟାର୍ଗେଟ କରି ଶିବରାଜ କହିଛନ୍ତି, ମୁଖ୍ୟମନ୍ତ୍ରୀ ନିଜ ଶାସନକୁ ଆଉଟସୋର୍ସ ହାତରେ ଟେକି ଦେଇଛନ୍ତି । ବେଲଗାମ ଅଧିକାରୀ ଓଡିଶାକୁୁ ଭ୍ରଷ୍ଟାଚାରରେ ପରିଣତ କଲେଣି । ବିନା ପିସିରେ କୌଣସି କାମ ହେଉନାହିଁ ।

ଓଡିଶାରେ ମାଟିରେ ପହଞ୍ଚୁ ପହଞ୍ଚୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ । ଶିବରାଜ ସିଂ ଆହୁରି କହିଛନ୍ତି, ମହିଳା ଅତ୍ୟାଚାରରେ ଓଡିଆ ଆଗରେ ରହିଛି । ପ୍ରଧାନମନ୍ତ୍ରୀଙ୍କ ଯୋଜନା ହଡପ କରି ଏଠାକାର ସରକାର ବାଃ ବାଃ ନେଉଛନ୍ତି । ‘ରି ବ୍ରାଣ୍ଡିଂ’ କରି ନିଜ ନାଁ ନେବାକୁ ଚାହୁଁଛନ୍ତି ନବୀନ ସରକାର । ଉଭୟ ଲୋକସଭା ଓ ବିଧାନସଭାରେ ବିଜେପି ସରକାର ଗଠନ କରିବ ବୋଲି ଶିବରାଜ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ଆଉ ବିଜେଡି ଏହାର ଜବାବ ଦେଇଛି । ଦଳ କହିଛି, ଶିବରାଜଙ୍କ ଓଡିଶା ବିଷୟରେ କିଛି ଧାରଣା ନାହିଁ । ତାଙ୍କୁ ଯାହା କୁହାଯାଇଛି ତାହା ସେ କହିଛନ୍ତି । ତାଙ୍କ ଗସ୍ତର କୌଣସି ଫରକ ପଡିବ ନାହିଁ ।

ବିଜେଡି-ବିଜେପି ଭିିତିରି ସମ୍ପର୍କ ଚର୍ଚ୍ଚା ଭିତରେ ନବୀନ ସରକାରକୁ ଶିବରାଜଙ୍କ ସିଧାସଳଖ ଟାର୍ଗେଟ ରାଜ୍ୟ ରାଜନୀତିରେ ଚର୍ଚ୍ଚା ସୃଷ୍ଟି କରିଛି । ବିଜେପିର ଏହି ଫାୟାର-ବ୍ରାଣ୍ଡ ନେତା କଟକ-ଜଗତସିଂହପୁରରେ କାର୍ଯ୍ୟକର୍ତ୍ତା ସମ୍ମିଳନୀ କରିବା ସହ ଲୋକଙ୍କୁ ଭେଟିଛନ୍ତି ।