ଏୟାରଷ୍ଟ୍ରାଇକର ପ୍ରମାଣ ମାଗିଲେ ଦିଗବିଜୟ ସିଂହ ! ଶିବରାଜ କହିଲେ, ଅନ୍ଧ ହୋଇଯାଇଛନ୍ତି ମୋଦି ବିରୋଧୀ ।

181

କନକ ବ୍ୟୁରୋ : ପୁଲୱାମା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ପାକିସ୍ତାନ ଉପରେ ଭାରତ କରିଥିବା ଏୟାରଷ୍ଟ୍ରାଇକକୁ ନେଇ ଏବେ ରାଜନୀତି ତେଜିବାରେ ଲାଗିଛି । ଏୟାରଷ୍ଟ୍ରାଇକକୁ ପ୍ରସଙ୍ଗ କରି ବିଜେପି ନିର୍ବାଚନୀ ବୈତରଣୀ ପାର ହେବ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏୟାରଷ୍ଟ୍ରାଇକକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ମୋଦି ସରକାରଙ୍କୁ ଏୟାରଷ୍ଟ୍ରାଇକର ପ୍ରମାଣ ମାଗିଛନ୍ତି । ଦିଗବିଜୟ ସିଂହଙ୍କ ବୟାନକୁ ନେଇ ରାଜ୍ୟରେ ସୃଷ୍ଟି ହୋଇଛି ରାଜନୈତିକ ଝଡ । ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଦିଗବିଜୟଙ୍କୁ ସମଲୋଚନା କରିଛନ୍ତି ।

ଶିବରାଜ କହିଛନ୍ତି, ଦିଗବିଜୟ ମୋଦିଙ୍କୁ ବିରୋଧ କରି କରି ଅନ୍ଧ ହୋଇଗଲେଣି । ଏବଂ ଦିଗବିଜୟ ସିଂହ ପାକିସ୍ତାନର କଥା କହୁଛନ୍ତି । ଏପରିକି ଦିଗବିଜୟଙ୍କୁ ଦେଶର କଳଙ୍କ ବୋଲି କହିଛନ୍ତି, ଶିବରାଜ । ସେ ଆହୁରି ମଧ୍ୟ କହିଛନ୍ତି, ମୋଦିଙ୍କୁ ବିରୋଧ ବିରୋଧ କରି ସେ ଭାରତ ମା’ଙ୍କୁ ମଧ୍ୟ ବିରୋଧ କରିବା ଆରମ୍ଭ କଲେଣି । ସରକାରରେ ଥିବା ସମୟରେ ସେ ରାଜ୍ୟକୁ ବରବାଦ କରିଦେଇଛନ୍ତି ଏବଂ ଏବେ ଦେଶକୁ ବରବାଦ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଶିବରାଜ କହିଛନ୍ତି । ତେବେ ଅନେକ କଂଗ୍ରେସ ନେତା ଦିଗବିଜୟଙ୍କୁ ଏହି ପ୍ରସଙ୍ଗରେ ସମର୍ଥନ କରୁଥିବା ବେଳେ ବିଜେପି କଂଗ୍ରେସକୁ ଟାର୍ଗେଟ୍ କରିଛି ।