କନକ ବ୍ୟୁରୋ: ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ସହ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ମଧ୍ୟ ଘୋଷଣା ହେଲାଣି । ପ୍ରାର୍ଥୀ ମାନଙ୍କ ପକ୍ଷରୁ ପ୍ରଚାର ଆରମ୍ଭ ହୋଇଥିବା ବେଳେ ରାଜନୈତିକ ବୟାନବାଜି ମଧ୍ୟ ଆରମ୍ଭ ହୋଇଗଲାଣି । କର୍ଣ୍ଣାଟକ କୋପାଲ ଜିଲ୍ଲାରେ କଂଗ୍ରେସ ପକ୍ଷରୁ ଆୟୋଜିତ କର୍ମୀ ସମ୍ମିଳନୀରେ ମୋଦି ମୋଦି ନାରା ଦେଉଥିବା ଯୁବକ ମାନଙ୍କୁ ମାଡ଼ ମରାଯିବା ଦରକାର ବୋଲି କହି ବିବାଦରେ ମନ୍ତ୍ରୀ ଶିବରାଜ ଟାଙ୍ଗାଗୀ । ବିକାଶ କ୍ଷେତ୍ରରେ ବିଫଳ ହେବା ସହିତ କେନ୍ଦ୍ରର ବିଜେପି ସରକାର ଯୁବକ ମାନଙ୍କୁ ନିଯୁକ୍ତି ଦେବାରେ ବିଫଳ ହୋଇଛି । ମୋଦି ସରକାର ବର୍ଷକୁ ୨କୋଟି ନିଯୁକ୍ତି ନାରା ଦେଇଥିବା ବେଳେ ଏହା ଧୂଆଁବାଣରେ ପରିଣତ ହୋଇଛି, ଚାକିରି ମାଗିବାରୁ ସେମାନେ ଯୁବକ ମାନଙ୍କୁ ପକୁଡି ବିକିବାକୁ ପରାମର୍ଶ ଦେଉଛନ୍ତି । ଏସବୁ ବିଫଳତାକୁ ନେଇ ବିଜେପି ଲୋକସଭା ନିର୍ବାଚନରେ ଭୋଟ ମାଗିବାକୁ ଆସିଲେ ସେମାନଙ୍କୁ ବିରୋଧ କରିବା ଉଚିତ । ଯେଉଁ ଯୁବକ ଏବଂ ଛାତ୍ରମାନେ କେବଳ ମୋଦି ମୋଦି ହେଉଛନ୍ତି ସେମାନଙ୍କୁ ଚାପୁଡା ମରାଯିବା ଉଚିତ ବୋଲି କର୍ଣ୍ଣାଟକର ମନ୍ତ୍ରୀ ଜଣକ କହିଛନ୍ତି । ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ବିଜେପି ପକ୍ଷରୁ ମନ୍ତ୍ରୀଙ୍କ ବୟାନଙ୍କୁ ଜୋରଦାର ବିରୋଧ କରାଯାଇଛି । ବରିଷ୍ଠ ବିଜେପି ନେତା ସିଟି ରବି ଏହି ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତ । ଆଗାମୀ ଲୋକସଭା ନିର୍ବାଚନରେ ଲଗାତର ତୃତୀୟ ଥର ଲାଗି ନିଶ୍ଚିତ ପରାଜୟ ଭୋଗୁଥିବା ଜାଣି କଂଗ୍ରେସ ନେତା ମାନେ ଏଭଳି ବାଚାଳାମି କରୁଥିବା ସେ କହିଛନ୍ତି ।