ହାଇକମାଣ୍ଡ ଯଦି ନିର୍ଦ୍ଦେଶ ଦେବେ, ୫ ରାଜ୍ୟର ବିଧାୟକଙ୍କୁ ସମ୍ଭାଳିବାକୁ ମୁଁ ପ୍ରସ୍ତୁତ । ଜାଣନ୍ତୁ କାହିଁକି ଏମିତି କହିଲେ କର୍ଣ୍ଣାଟକର ଉପ-ମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ।

306

କନକ ବ୍ୟୁରୋ : ଆସନ୍ତା ୩ ତାରିଖରେ ୫ ରାଜ୍ୟର ବିଧାନସଭା ଫଳାଫଳ ସାମ୍ନାକୁ ଆସିବ । ଏହାପୂର୍ବରୁ ଆସିଥିବା ବୁଥ୍ ବାହୁଡା ମତ ସଭିଙ୍କୁ ଚକିତ କରିଛି । ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଉଭୟ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିବ ବୋଲି ବୁଥ ବାହୁଡା ମତରୁ ଆକଳନ କରୁଛନ୍ତି ରାଜନୈତିକ ସମୀକ୍ଷକ । ଯଦି ବୁଥ୍ ବାହୁଡା ମତ ସତ ହୁଏ ତେବେ ରାଜସ୍ଥାନ, ଛତିଶଗଡ ଓ ମଧ୍ୟପ୍ରଦେଶରେ ସରକାର ଗଢିବାକୁ ସ୍ୱାଧୀନ ପ୍ରାର୍ଥୀ ଓ ଅନ୍ୟ ଦଳର ବିଜୟୀ ପ୍ରାର୍ଥୀଙ୍କ ଉପରେ ନିର୍ଭର କରିବେ ଉଭୟ ବିଜେପି ଓ କଂଗ୍ରେସ । ସେହିଭଳି ତେଲେଙ୍ଗାନାରେ କଂଗ୍ରେସ ସୁବିଧାଜନକ ସ୍ଥିତିରେ ଥିବା ନେଇ ବୁଥ୍ ବାହୁଡା ମତ ସଂକେତ ଦେଇଛି ।

ବୁଥ ବାହୁଡା ମତ ଆସିବା ପୂର୍ବରୁ ସରଗରମ ହୋଇଛି ରାଜନୀତି । ଖାସକରି କଂଗ୍ରେସ ବୁଥ ବାହୁଡା ମତକୁ ନେଇ ବେଶ ଉତ୍ସାହିତ ଥିବା ବେଳେ ରିସୋର୍ଟ ପଲିଟିକ୍ସ ଆରମ୍ଭ ହୋଇଛି । କର୍ଣ୍ଣାଟକର ଉପ-ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଡିକେ ଶିବକୁମାର କହିଛନ୍ତି, ଯଦି ଦଳର ହାଇକମାଣ୍ଡ ନିର୍ଦ୍ଦେଶ ଦିଅନ୍ତି ତେବେ ୫ ରାଜ୍ୟର ବିଧାୟକଙ୍କର ଦାୟିତ୍ୱ ନେବାକୁ ମୁଁ ପ୍ରସ୍ତୁତ । ବୁଥ୍ ବାହୁଡା ମତ ଆସିବା ପରେ ୨ ରାଜ୍ୟ ରାଜ୍ୟସ୍ଥାନ, ଛତିଶଗଡ ଓ ମଧ୍ୟପ୍ରଦେଶରେ ଘୋଡାବେପାର ହେବାର ସମ୍ଭାବନା ରହିଛି । ଅଥାର୍ତ ସରକାର ଗଢିବାକୁ ଅନ୍ୟ ଦଳର ବିଧାୟକଙ୍କୁ ନିଜ ସପକ୍ଷରେ ନେବାକୁ ଚାହିଁବେ ଉଭୟ ଦଳ । ଯଦି କୌଣସି ନିର୍ଦ୍ଦିଷ୍ଟ ଦଳକୁ ବହୁମତ ନ ମିଳେ କିମ୍ବା ଉଭୟ ଦଳର ବିଜୟୀ ବିଧାୟକ ସଂଖ୍ୟା ମଧ୍ୟରେ ବେଶି ବ୍ୟବଧାନ ନରୁହେ ତେବେ ଘୋଡାବେପାର ସମ୍ଭାବନାକୁ ଆଦୌ ଏଡାଇ ଦିଆଯାଇନପାରେ । ପୂର୍ବରୁ ମଧ୍ୟ ଏଭଳି ଦେଖିବାକୁ ମିଳିଛି । କିନ୍ତୁ ଏହାପୂର୍ବରୁ ବେଶ ସର୍ତକ ହୋଇ ଉଠିଛି କଂଗ୍ରେସ । କର୍ଣ୍ଣାଟକ ଉପ-ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଡି ଶିବକୁମାର କହିଛନ୍ତି, ୫ ରାଜ୍ୟର ବିଧାୟକଙ୍କ ଦାୟିତ୍ୱ ନେବାକୁ ମୁଁ ପ୍ରସ୍ତୁତ । ବାସ୍ ହାଇକମାଣ୍ଡଙ୍କ ନିର୍ଦ୍ଦେଶକୁ ଅପେକ୍ଷା । ପୂର୍ବରୁ କର୍ଣ୍ଣାଟକରେ କଂଗ୍ରେସ ଓ ଜେଡିଏସ ମିଳିତ ଭାବେ ସରକାର ଗଢିଥିବା ବେଳେ ମଧ୍ୟ ଏଭଳି ସ୍ଥିତି ଉପୁଜିଥିଲା । ଦୀର୍ଘଦିନ ଧରି ବିଧାୟକଙ୍କୁ ରିସୋର୍ଟରେ ରଖିଥିଲେ ଡି.କେ ଶିବକୁମାର । ସେହିଭଳି ଗତ କିଛି ମାସ ପୂର୍ବେ ମହାରାଷ୍ଟ୍ରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ଶିବସେନାର କିଛି ବିଧାୟକ ଉଦ୍ଧବଙ୍କ ବିରୋଧରେ ବିଦ୍ରୋହ କରିବା ପରେ ଆସାମର ଏକ ରିସୋର୍ଟରେ ଡେରା ପକାଇଥିଲେ । ସରକାର ଗଠନ ପାଇଁ ସବୁଜ ସଂକେତ ମିଳିବା ପରେ ଆସାମରୁ ମହାରାଷ୍ଟ୍ର ଫେରିଥିଲେ ଏକନାଥ ସିନ୍ଦେ ।