ବିଜେପି ସହ ରହି ଅନୁତାପ କରୁଛନ୍ତି ଉଦ୍ଧବ ଠାକରେ । ଏମିତି କାହିଁକି କହିଲେ ଶିବସେନା  ମୁଖ୍ୟ?

301

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଦୀର୍ଘ ଦିନ ହେବ ବିଜେପିର ସାଥ ଦେଇ ଆସିଛି ଶିବସେନା । ହେଲେ ଏବେ ଏହାକୁ ନେଇ ଅନୁତାପ କରୁଛନ୍ତି ଏହାର ମୁଖ୍ୟ ଉଦ୍ଧବ ଠାକରେ । କହିଛନ୍ତି ବିଜେପି ସହ ମୂଲ୍ୟବାନ୍ ୨୫ ବର୍ଷ ବର୍ବାଦ କରିଛି ଶିବସେନା ।ଦଳୀୟ ରାଲିରେ ଏପରି କହିଛନ୍ତି ଉଦ୍ଧବ । ହେଲେ ଏପରି କାହିଁକି କହିଲେ ଉଦ୍ଧବ?

ଦଳର ପ୍ରତିଷ୍ଠାତା ତଥା ତାଙ୍କ ପିତା ବାଲ ଠାକରେଙ୍କ ୯୬ ତମ ଜୟନ୍ତୀରେ ଶିବ ସାଇନିକ୍ସଙ୍କୁ ଡିଜିଟାଲ ଭାବେ ସମ୍ବୋଧିତ କରି ଉଦ୍ଧବ ଠାକରେ କହିଛନ୍ତି ଯେ ଶିବସେନା କ୍ଷମତା ମାଧ୍ୟମରେ ହିନ୍ଦୁତ୍ୱ ଏଜେଣ୍ଡା ସହିତ ଆଗକୁ ବଢିବା ପାଇଁ ବିଜେପି ସହିତ ହାତ ମିଳାଇଥିଲା । ନିଜର ଲକ୍ଷ୍ୟରେ ଶିବସେନା ଆଗେଇ ଚାଲିଛି ଏବଂ ଭବିଷ୍ୟତରେ ମଧ୍ୟ ଏହି ଲକ୍ଷ୍ୟରେ ଆଗକୁ ଚାଲିବ । ହେଲେ ବିଜେପି ନିଜ ଲକ୍ଷ୍ୟ ପଥରୁ ବିଚ୍ୟୁତ ହୋଇଛି । ବିଜେପି ନିଜ ସ୍ୱାର୍ଥ ପାଇଁ ହିନ୍ଦୁତ୍ୱକୁ ବ୍ୟବହାର କରୁଛି । ତେଣୁ ବିଜେପି ଠାରୁ ଶିବସେନା ଦୂରେଇ ଯିବାକୁ ଚାହୁଁଛି ବୋଲି କହିଛନ୍ତି ଉଦ୍ଧବ ।  “ଶିବସେନା ବିଜେପି ସହିତ ସହଯୋଗୀ ଥିଲା କାରଣ ଏହା ହିନ୍ଦୁତ୍ୱ ପାଇଁ କ୍ଷମତା ଚାହୁଁଥିଲା। ଶିବସେନା କ୍ଷମତା ପାଇଁ ହିନ୍ଦୁତ୍ୱକୁ କେବେ ବି ବ୍ୟବହାର କରିନଥିଲା । “ଶିବସେନା ହିନ୍ଦୁତ୍ୱ କୁ ପରିତ୍ୟାଗ କରିନାହିଁ ବରଂ ବିଜେପିକୁ ପରିତ୍ୟାଗ କରିଛି। ମୁଁ ବିଶ୍ୱାସ କରେ ଯେ ବିଜେପିର ସୁବିଧାବାଦୀ ହିନ୍ଦୁତ୍ୱ କେବଳ କ୍ଷମତା ପାଇଁ । ”

ଉଦ୍ଧବ ଠାକରେ ଆହୁରି ମଧ୍ୟ କହିଛନ୍ତି ଯେ, ଶିବସେନା ବିଜେପି ସହିତ ମେଣ୍ଟ କରିଥିବା ୨୫ ବର୍ଷ “ନଷ୍ଟ” ହୋଇଛି। ୨୦୧୯ ମହାରାଷ୍ଟ୍ର ନିର୍ବାଚନ ପରେ ଶିବସେନା ବିଜେପିରୁ ଅଲଗା ହୋଇ ଏନସିପି ଏବଂ କଂଗ୍ରେସ ସହିତ ମହାମେଣ୍ଟ କରିଛି ।

୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ଓ ଶିବସେନା ଏକାଠି ଲଢ଼ିଥିଲେ। ହେଲେ ନିର୍ବାଚନ ପରେ ଉଭୟ ଦଳ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା। ଶେଷରେ ଶିବସେନା ମେଣ୍ଟରୁ ଓହରି ଯାଇ କଂଗ୍ରେସ ଓ ଏନସିପି ସହ ମେଣ୍ଟ କରି ମହାରାଷ୍ଟ୍ରରେ ସରକାର ଗଠନ କରିଛି।

ଉଦ୍ଧବ ଠାକରେ ଆହୁରି କହିଛନ୍ତି, “ବିଜେପି ସହ ମେଣ୍ଟ କରି ଶିବସେନା ୨୫ ବର୍ଷ ବରବାଦ କରିଥିବା ବୟାନରେ ମୁଁ କାଏମ ରହିଛି। ନୂଆ ସହଯୋଗୀ ଏନସିପି ଓ କଂଗ୍ରେସ ତୃଣମୂଳ ସ୍ତରରେ ବିଭିନ୍ନ ପ୍ରତିଷ୍ଠାନ କରିଛନ୍ତି। ଆମେ ମଧ୍ୟ ସେହି ଦିଗରେ ଯାଉଛୁ। ଗତ ୨ ବର୍ଷ ମଧ୍ୟରେ ଆମେ ଦୁଇଟି ବିଧାନ ପରିଷଦ ଆସନ ହାରିଛୁ। ପୂର୍ବରୁ ଏହି ଆସନ ଆମ ପାଖରେ ଥିଲା। ମୁଁ ଭାବୁଛି ଆମର ଅବହେଳା ଯୋଗୁ ଆମେ ହାରିଛେ। ତେଣୁ ଏଥିପ୍ରତି ସତର୍କ ରହିବାକୁ ହେବ।”