ଶରଦଙ୍କ ହାତରେ ରହିବ କି ମହାରାଷ୍ଟ୍ରର ମଙ୍ଗ? ବୁଲେଇ ବଙ୍କେଇ ଜବାବ ଦେଲା ଶିବସେନା ।

1,052

ମହାରାଷ୍ଟ୍ରରେ କିଏ ଗଢିବ ସରକାର, ମୁଖ୍ୟମନ୍ତ୍ରୀ ଆସନରେ ବସିବ କିଏ? ଏହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଥିବା ବେଳେ ଉଭୟ ଶିବସେନା ଓ ବିଜେପି ସତ୍ତାର ଚାବି ଧରିବା ପାଇଁଁ କସରତ ଜାରି ରଖିଛନ୍ତି । ଆଉ ଏସବୁ ଭିତରେ ଶିବସେନା ପୁରୁଣା ସହଯୋଗୀ ବିଜେପିକୁ ବାଏ ବାଏ କରିବା ସହ ଏନସିପିକୁ ସାଥୀ କରି ମହାରାଷ୍ଟ୍ରରେ ସରକାର ଗଢିବାକୁ ଉଦ୍ୟମ ଆରମ୍ଭ କରିଛି । ଏପରିକି ଶିବସେନା ନେତା ସଞ୍ଜୟ ରାୱତ ବାରମ୍ବାର କହି ଆସୁଛନ୍ତି ଯେ, ଦଳ ସହ ଏବେ ୧୭୫ ବିଧାୟକଙ୍କ ସମର୍ଥନ ରହିଛି । ତେବେ ଏଭଳି ରାଜନୈତିକ ମାହୋଲ ଭିତରେ ଏନସିପି-କଂଗ୍ରେସ ଏଯାଏଁ ନିଜର କାର୍ଡ ଖୋଲି ନାହାନ୍ତି ।

କିନ୍ତୁ ସବୁଠୁ ବଡ ପ୍ରଶ୍ନ ହେଉଛି, ଏନସିପି ଠାରୁ ସମର୍ଥନ ହାସଲ କରି ଶିବସେନା ସରକାର ଗଢିଲେ ମୁଖ୍ୟମନ୍ତ୍ରୀ ଆସନରେ ବସିବ କିଏ । ଶରଦ ପାୱାରଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ଶିବସେନା ଆଗରେ ସର୍ତ୍ତ ରଖିବନି ତ ଏନସିପି । ତେବେ ଏଭଳି ପ୍ରଶ୍ନର ବୁଲେଇ ବଙ୍କେଇ ଉତ୍ତର ରଖିଛନ୍ତି ଶିବସେନା ନେତା ସଞ୍ଜୟ ରାଉତ । ଶରଦ ଦିଲ୍ଲୀ ରାଜନୀତିର ଜଣେ ଜଣାଶୁଣା ଚେହେରା । ତେଣୁ ତାଙ୍କୁ ମହାରାଷ୍ଟ୍ରକୁ କାହିଁକି ଅଣାଯିବ । ଏହାସହ ସରକାର ଗଠନ ନେଇ ଏନସିପି ସହ ଆଲୋଚନା ହୋଇଛି, ଅନ୍ୟ ଦଳ ମଧ୍ୟ ଆମ ସହ ଯୋଗାଯୋଗରେ ଅଛନ୍ତି ବୋଲି କହିଛନ୍ତି ସଞ୍ଜୟ ।

ଏହାପୂର୍ବରୁ ମହାରାଷ୍ଟ୍ରରେ ଶିବସେନା-ଏନସିପି ସାଥୀ ହୋଇ ସରକାର ଗଢିବେ ବୋଲି ଚର୍ଚ୍ଚା ହେଉଥିଲା । ଆଉ କଂଗ୍ରେସ ଏହି ସରକାରକୁ ବାହ୍ୟ ସମର୍ଥନ ଦେଇପାରେ ବୋଲି ରାଜନୀତି କରିଡରରେ ଚର୍ଚ୍ଚା ଜୋର ଧରିଥିଲା । ତେବେ ବିରୋଧୀ ଆସନରେ ବସିବା ପାଇଁ ଜନମତ ମିଳିଛି ବୋଲି ଏନସିପି ବାରମ୍ବାର କହିବା ପରେ ଏହି ଚର୍ଚ୍ଚାରେ ବିରାମ ଲାଗିଛି ।