ଏନଡିଏରୁ ଅଲଗା ହେଲା ଶିବସେନା । ତୁଟିଲା ତିନି ଦଶନ୍ଧିର ସମ୍ପର୍କ । ଏଥର ଶୀତ ଅଧିବେଶନରେ ବିରୋଧୀ ଆସନରେ ବସିବେ ଶିବସେନା ସାଂସଦ

ସଞ୍ଜୟ କହିଲେ, ବାଜପେୟୀ , ଆଡଭାନୀଙ୍କ ଏନଡିଏ ଆଉ ନାହିଁ

331

କନକ ବ୍ୟୁରୋ: ଏନଡିଏରୁ ସମ୍ପର୍କ ତୁଟାଇଲା ଶିବସେନା । ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ତୀବ୍ର ବିବାଦ ପରେ ଶିବସେନା ଏବେ ଏନଡିଏରୁ ଓହରି ଯାଇଛି । ବିଜେପି ଏବଂ ଶିବସେନା ପକ୍ଷରୁ ଏନେଇ ବିଧିବଦ୍ଧ ଘୋଷଣା ହୋଇନଥିଲେ ମଧ୍ୟ ଶିବସେନା ଏଣିକି ବିରୋଧୀ ଦଳରେ ରହିବ ବୋଲି ସ୍ପଷ୍ଟ କରିଛି । ଆଜି ଅନୁଷ୍ଠିତ ହେବାକୁ ଥିବା ଏନଡିଏ ସଂସଦୀୟ ଦଳ ବୈଠକରେ ଶିବସେନା ସାମିଲ ହେବ ନାହିଁ ବୋଲି ଘୋଷଣା କରିଛି ଦଳ । ଆସନ୍ତା ସୋମବାରଠାରୁ ଆରମ୍ଭ ହେବାକୁ ଥିବା ସଂସଦ ଶୀତ ଅଧିବେଶନରେ ଏହା ବିରୋଧୀ ଦଳରେ ବସିବ ।

ବିଜେପି ସହ ପ୍ରାୟ ତିନି ଦଶନ୍ଧି ଧରି ମହାରାଷ୍ଟ୍ରରେ ମେଂଟ କରିଥିବା ଶିବସେନା ଏବେ ସବୁ ସମ୍ପର୍କ ତୁଟାଇ କଂଗ୍ରେସ ଏବଂ ଏନସିପି ସହିତ ହାତ ମିଳାଇଛି । ସେନାର ବରିଷ୍ଠ ନେତା ସଞ୍ଜୟ ରାଉତ କହିଛନ୍ତି ପୁରୁଣା ଏନଡିଏ ଏବଂ ନୂଆ ଏନଡିଏ ମଧ୍ୟରେ ବହୁତ ଫରକ ରହିଛି । ଏନଡିଏର ଏବେ ଆବାହକ କିଏ ବୋଲି ରାଉତ ପ୍ରଶ୍ନ କରିଛନ୍ତି । ଲୋକସଭାରେ ଶିବସେନାର ୧୮ ସାଂସଦ ଅଛନ୍ତି । ସେମାନେ ଏବେ ବିରୋଧୀ ଦଳରେ ବସିବେ । କେନ୍ଦ୍ର ସରକାରରୁ ଶିବସେନା ଓହରି ଆସିଥିବାରୁ ବିଜେପି ତଥା ଏନଡିଏ ସହିତ ଆମର କିଛି ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି ।