କନକ ବ୍ୟୁରୋ: ମହାରାଷ୍ଟ୍ରରେ ହନୁମାନ ଚାଳିଶାକୁ ନେଇ ରାଜନୀତି ଉଗ୍ର ରୂପ ନେଇଛି । ନିର୍ଦ୍ଦଳୀୟ ବିଧାୟକ ରବି ରାଣା ଓ ତାଙ୍କର ସାଂସଦ ପତ୍ନୀ ମୁକ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ଆଗରେ ହନୁମାନ ଚାଳିଶା ପାଠ କରିବାକୁ ଘୋଷଣା କରିବା ପରେ ପରିସ୍ଥିତି ଉଗ୍ର ରୂପ ନେବାରେ ଲାଗିଛି ।
ଏହା ପରେ ସମସ୍ୟା ଭିତରେ ଘେରିହୋଇଯାଇଛନ୍ତି ରାଣା ଦମ୍ପତ୍ତି । ରାଣା ଦମ୍ପତ୍ତି ଠାକରେଙ୍କ ଘର ଆଗରେ ପହଞ୍ଚିବା ପୂର୍ବରୁ ନିଜେ ନିଜ ଘରେ ଘେରିହୋଇଛନ୍ତି । ଶିବସେନା ମୁଖପାତ୍ର ତାଙ୍କୁ ବଣ୍ଟି ଓ ବବଲି କହିବା ସହ ଶିବା ସେନା କର୍ମୀ ଓ ଶିବସେନା ମହିଳା ନେତ୍ରୀ ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ ରାଣା ଦମ୍ପତ୍ତିଙ୍କୁ ଘେରିଛନ୍ତି । ବାହାରକୁ ଆସିଲେ ରାଣା ଦମ୍ପତ୍ତିଙ୍କୁ ଲଙ୍କା ଗୁଣ୍ଡ ଓ ବଡାପାଓ ସହ ସ୍ୱାଗତ କରିବେ ବୋଲି ପ୍ରିୟଙ୍କା କହିଛନ୍ତି ।
ଆଜି ସକାଳୁ ରାଣାଦମ୍ପତ୍ତିଙ୍କ ଘର ଆଗରେ ଶତାଧିକ ଶିବସେନା କର୍ମୀ ବ୍ୟାରିକେଡ୍ ଭାଙ୍ଗି ଆପାର୍ଟମେଣ୍ଟ ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ । କିନ୍ତୁ ପୋଲିସ ସେମାନଙ୍କୁ ଅଟକାଇବା ସହ ସ୍ଥିତି ନିୟନ୍ତ୍ରଣ କରିଥିଲା । ତଥାପି ପୋଲିସ ପକ୍ଷରୁ ରାଣା ଦମ୍ପତ୍ତିଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିବା ଏହି ଦମ୍ପତ୍ତି ହନୁମାନ ଚାଳିଶା ପାଠ କରିବାକୁ ନେଇ ଏବେ ବିବାଦ ମଧ୍ୟରେ ଘେରି ହୋଇଛନ୍ତି ।
ରାଣା ଦମ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କ ଘର ଆଗରେ ହନୁମାନ ଚାଳିଶା ପାଠ କରିବେ ବୋଲି କହିବା ପରେ ଶୁକ୍ରବାର ପୋଲିସର ଏକ ଟିମ ସେମାନଙ୍କ ଘରେ ପହଞ୍ଚି ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ଅନୁରୋଧ କରିଥିଲା । ରାଣା ଦମ୍ପତ୍ତିଙ୍କ ଘର ଆଗରେ ପୋଲିସ ଫୋର୍ସ ମଧ୍ୟ ମୁତୟନ କରିଛି । ପୋଲିସର ନୋଟିସ୍ ଓ ଶିବସେନା କର୍ମୀଙ୍କ ଧମକ ସତ୍ତେ୍ୱ ନବନୀତ ରାଣା ନିଜ ଜିଦରେ ଅଟକ ରଖିଛନ୍ତି । ସେ ଉଦ୍ଧବ ଠାକରେଙ୍କ ବାସଭବନ ‘ମାତୋଶ୍ରୀ’ ଆଗକୁ ଯିବେ ଓ ହନୁମାନ ଚାଳିଶା ପଢିବେ ବୋଲି କହିଛନ୍ତି ।
ତେବେ ରାଣା ଦମ୍ପତ୍ତିଙ୍କ ଯୋଜନାକୁ ପଣ୍ଡ କରିବା ପାଇଁ ଶିବସେନା କର୍ମୀମାନେ ଲାଗି ପଡିଛନ୍ତି । ଦମ୍ପତ୍ତିଙ୍କ ଘର ସାମ୍ନାରେ ଶହଶହ ଶିବସେନା କର୍ମୀ ଧାରଣାରେ ଅଛନ୍ତି । ରାଣା ଦମ୍ପତ୍ତିଙ୍କୁ କୌଣସି ମତେ ଘରୁ ବାହାର କରାଇଦେବେ ନାହିଁ ବୋଲି ଧମକ ମଧ୍ୟ ଦେଇଛନ୍ତି ।