ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ନେତାଙ୍କୁ ସୁଯୋଗ ମିିଳିବା ନେଇ ଚର୍ଚ୍ଚା ଜାରି : ଶିବସେନା କଲା ଦାବି, ଏନଡିଏର ପ୍ରତ୍ୟେକ ଦଳରୁ ଜଣେ ହେବେ ମନ୍ତ୍ରୀ 

168

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଲୋକସଭା ନିର୍ବାଚନରେ ବଡ ବିଜୟ ପରେ ଆଜି ଏନଡିଏ ସରକାରର ଶପଥ ଗ୍ରହଣ ହେବାକୁ ଯାଉଛି । ନରେନ୍ଦ୍ର ମୋଦି ପୁଣି ଥରେ ଦେଶର ଶାସନ ଭାର ଗ୍ରହଣ କରିବାକୁ ଯାଉଛନ୍ତି । ଆଜି ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ହେବାକୁ ଥିବା କାର୍ଯ୍ୟକ୍ରମରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଦେଶ ବିଦେଶରୁ ଅତିଥି ଆସିବା ଆରମ୍ଭ ହୋଇଗଲାଣି । ଏବେ ମୋଦି ସରକାରର ଦ୍ୱିତୀୟ କାର୍ଯ୍ୟକାଳରେ କ୍ୟାବିନେଟରେ ସାମିଲ ହେବାକୁ ଥିବା ନାମ ଉପରେ ସମସ୍ତଙ୍କ ନଜର । ପୂର୍ବ ସରକାରରେ ବିତ୍ତ ମନ୍ତ୍ରୀ ଥିବା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ମନ୍ତ୍ରୀ ଦାୟିତ୍ୱ ସମ୍ଭାଳିବାକୁ ନେଇ ମନା କରିଦେଇଛନ୍ତି ।

କେଉଁ କେଉଁ ଦଳର ନେତାଙ୍କୁ ମନ୍ତ୍ରୀପଦ ଶପଥ ଦିଆଯିବ ତାହା ଏବେ ଚର୍ଚ୍ଚାରେ । କିନ୍ତୁ ବିଜେପିର ପୁରୁଣା ସହଯୋଗୀ ଶିବସେନା ନିଜ ପକ୍ଷରୁ ଏହା ସ୍ପଷ୍ଟ କରିଦେଇଛି ଯେ, ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ତାଙ୍କ ଭୂମିକା ମଧ୍ୟ ରହିବ । ମନ୍ତ୍ରୀମଣ୍ଡଳକୁ ନେଇ ଶିବସେନା ନେତା ସଂଜୟ ରାଉତ କହିଛନ୍ତି କି, ଏନଡିଏର ପ୍ରତ୍ୟେକ ଦଳରୁ ଜଣେ ନେତାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବ । ସେ କହିଛନ୍ତି କି, “ଶିବସେନା ତରଫରୁ ଅରବିନ୍ଦ ସାୱନ୍ତଙ୍କ ନାମ ମନ୍ତ୍ରୀପଦ ଶପଥ ପାଇଁ ଦିଆଯାଇଛି ।” ତେବେ ସ୍ପଷ୍ଟ ନହେବା ପର୍ଯ୍ୟନ୍ତ ମନ୍ତ୍ରୀପଦ ଆକଳନ ଜାରି ରହିବ ।