ମୁଁ ଶପଥ କରି କହୁଛି… ବିଜେପି ବିରୋଧରେ ଶପଥ ନେଲେ ୧୬୨ ବିଧାୟକ । ହାୟତ ହୋଟେଲରେ ହାତ ଧରାଧରି ହେଲେ ‘ହାତ-ଘଣ୍ଟା-ଧନୁ’

1,275

କନକ ବ୍ୟୁରୋ: ମହାରାଷ୍ଟ୍ରରେ ସରିନି ମହାଭାରତ । ସଞ୍ଜ ନଇଁବା କ୍ଷଣି ‘ମହା’ ନାଟକରେ ଆସିଛି ନୂଆ ମୋଡ । ‘ମହା’ ରାଜନୀତିରେ ଦେଖିବାକୁ ମିଳିଛି ରୋଚକ ଚିତ୍ର । ଆସନ୍ତାକାଲି ସୁପ୍ରମିକୋର୍ଟ ମହାରାୟ ଦେବାକୁ ଥିବାବେଳେ ତାପୂର୍ବରୁ ସରକାର ଗଠନ ନେଇ ହୋଇଛି ମହାମେଳି । କଂଗ୍ରେସ-ଶିବସେନା-ଏନସିପି ଏକାଠି ହୋଇ ହୋଟେଲରେ କରିଛନ୍ତି ଶକ୍ତି ପ୍ରଦର୍ଶନ ।

ମୁମ୍ବାଇର ହାୟତ ହୋଟେଲରେ ୩ ଦଳର ବିଧାୟକମାନେ ଏକାଠି ହୋଇଛନ୍ତି । ୧୬୨ ବିଧାୟକ ଏକାଠି ହୋଇ ବିଜେପି ବିରୋଧରେ ଶକ୍ତି ପ୍ରଦର୍ଶନ କରିଛନ୍ତି । ଆଉ ସମସ୍ତେ ବିଜେପି ବିରୋଧରେ ସ୍ୱର ଉଠାଇବାକୁ ଶପଥ ମଧ୍ୟ ନେଇଛନ୍ତି । ବିଧାୟକମାନେ ଶରଦ ପାୱାର, ଉଦ୍ଧବ ଠାକରେ ଓ ସୋନିଆ ଗାନ୍ଧୀଙ୍କ ନେତୃତ୍ୱ ଏବଂ ନିଷ୍ପତ୍ତିକୁ ସମର୍ଥନ ଦେବେ ଆଉ ଉକ୍ତ ନିଷ୍ପତ୍ତିରୁ ବାହାରକୁ ଯିବେନି ବୋଲି ହାତ ଉଠାଇ ଶପଥ ନେଇଛନ୍ତି । ବିଜେପିକୁ ଫାଇଦା ହେଲା ଭଳି କୌଣସି କାମ ନକରିବାକୁ, ଦଳ ବିରୋଧରେ ନବାହାରିବାକୁ ସମସ୍ତ ବିଧାୟକ ଶପଥ ନେଇଛନ୍ତି ।

ସେପଟେ ବିଧାୟକଙ୍କ ଜୋସ୍ ଓ ଶକ୍ତି ପଦର୍ଶନ ପରେ ଦମ୍ଭ ଦେଖାଇଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର । ବହୁମତ ଠାରୁ ଅଧିକ ସିଟ୍ ଆମ ପାଖରେ ଅଛି ବୋଲି ଶରଦ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ଅଜିତ ଆମ ସମସ୍ତଙ୍କୁ ଅନ୍ଧାରରେ ରଖିଥିଲେ । ଏବେ ଅଜିତ କୌଣସି ନିଷ୍ପତ୍ତି ନେଇପାରିବେନି । ତେବେ ହ୍ୱିପ୍ ମାନିନଥିବା ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶରଦ ସିଧାସିଧା କହିଛନ୍ତି ।

ତେବେ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ୩ ଦଳ ମିଶିକି ନିଷ୍ପତ୍ତି ନେବୁ । ଏହା ଗୋଆ କିମ୍ବା ମଣିପୁର ନୁହେଁ ମହାରାଷ୍ଟ୍ର କହି ପରୋକ୍ଷରେ ବିଜେପିକୁ ନିଜ ଦମ୍ଭର ସୁରାକ ଦେଇଛନ୍ତି ଶରଦ । କ୍ଷମତା ପାଇଁ ଘଡିକେ ଘୋଡା ଛୁଟୁଥିବା ମହାରାଷ୍ଟ୍ର ନାଟକରେ କ୍ଲାଇମାକ୍ସ କଣ ହେଉଛି ତାହା କାଲି ସୁପ୍ରିମ ଶୁଣାଣି ପରେ ସ୍ପଷ୍ଟ ହୋଇଯିବ ।