ଶିବସେନା ସାଂସଦଙ୍କ ଦାଦାଗିରି ! ଏୟାର୍ ଇଣ୍ଡିଆ କର୍ମଚାରୀଙ୍କୁ ଦେଲେ ଚପଲ ମାଡ

36

କନକ ବ୍ୟୁରୋ : ଉଦ୍ଧତ ଶିବସେନା ସାଂସଦ । ଚପଲରେ ମାରିଲେ ଏୟାର୍ ଇଣ୍ଡିଆ କର୍ମଚାରୀଙ୍କୁ । ତାହା ପୁଣି ଥରେ କି ଦୁଇ ଥର ନୁହେଁ ୨୫ଥର ମାରିଛନ୍ତି ଲୋକସଭା ସାଂସଦ ରବୀନ୍ଦ୍ର ଗାଏକ୍ୱାଡ୍ । ବିଜନେସ୍ କ୍ଲାସରେ ଯିବାକୁ ଚାହୁଁଥିବା ରବୀନ୍ଦ୍ର ଇକନୋମୀ କ୍ଲାସରେ ଯାତ୍ରା କରିଥିବାରୁ ଇଣ୍ଡିଆ କର୍ମଚାରୀଙ୍କ ଉପରେ ନିଜର ସମସ୍ତ ରାଗ ସୁଝାଇଛନ୍ତି ।

ସୂଚନା ଅନୁସାରେ, ବିଜନେସ୍ କ୍ଲାସ ପାଇଁ କୁପନ୍ ଥିବା ସତ୍ୱେ ରବୀନ୍ଦ୍ର ପୁଣେରୁ ଦିଲ୍ଲୀ ଇକନୋମୀ କ୍ଲାସରେ ଯାତ୍ରା କରିଥିଲେ । ତେବେ ଯାତ୍ରା କରୁଥିବା ଫ୍ଲାଇଟରେ ବିଜନେସ୍ କ୍ଲାସ ନାହିଁ ବୋଲି ପୂର୍ବରୁ ଜାଣିଥିବା ରବୀନ୍ଦ୍ର ଠିକ୍ ଓହ୍ଲାଇବା ସମୟରେ ଡ୍ରାମା ଆରମ୍ଭ କରିଥିଲେ । ପ୍ରାୟ କିଛି ସମୟ ସେ ରାଗିକି ରହିବା ସହ ଫ୍ଲାଇଟରୁ ଓହ୍ଲାଇବାକୁ ଅମଙ୍ଗ ହୋଇଥିଲେ । ଯେତେବେଳେ ଏୟାର୍ ଇଣ୍ଡିଆ କର୍ମଚାରୀ ତାଙ୍କୁ ଏନେଇ ଅନୁରୋଧ କଲେ ସେତେବେଳେ ସେ ରାଗିକି ତାଙ୍କୁ ମାରିବାକୁ ଆରମ୍ଭ କରିଥିଲେ ।

ତେବେ ଘଟଣାକୁ ସ୍ୱୀକାର କରିବା ସହ ଗଣମାଧ୍ୟମ ଆଗରେ ରବୀନ୍ଦ୍ର କହିଛନ୍ତି ‘ମୁଁ ବିଜେପି ନେତା ନୁହେଁ , ଶିବସେନା ନେତା  । ତେଣୁ କୌଣସି ପ୍ରକାର ଅପମାନ ସହିବି ନାହିଁ’ । ଅନ୍ୟପଟେ କର୍ମଚାରୀଙ୍କ ଅଭିଯୋଗ ପରେ ବି ସାସଂଦଙ୍କ ଔଦ୍ଧତ୍ୟ କମିନି  । ବରଂ କହିଛନ୍ତି ମୋ ଉପରେ କୌଣସି ଫରକ ପଡିବନି  । ତେବେ ରବୀନ୍ଦ୍ରଙ୍କ ଏପରି ଚୋରୀ ଉପରେ ସିନାଜୋରୀ କାରନାମା ଏବେ ଚର୍ଚ୍ଚାର କାରଣ ପାଲଟିଛି ।