ସୁପ୍ରିମକୋର୍ଟରେ ହେବ ମହାରାଷ୍ଟ୍ର ଫଇସଲା । ଶପଥଗ୍ରହଣ ଉତ୍ସବକୁ ରଦ୍ଦ କରିବାକୁ ସୁପ୍ରିମକୋର୍ଟରେ ଏନସିପି-କଂଗ୍ରେସ-ଶିବସେନାର ଆବେଦନ, ରାତିରେ ସ୍ୱତନ୍ତ୍ର ଶୁଣାଣି କରି ଫ୍ଲୋର ଟେଷ୍ଟ କରିବାକୁ ଦାବି ।

772

କନକ ବ୍ୟୁରୋ : ମହାରାଷ୍ଟ୍ର ମହାନାଟକରେ ଆଉ ଏକ ନୂଆ ଅଧ୍ୟାୟ ଆରମ୍ଭ । ସକାଳେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଦେବେନ୍ଦ୍ର ଫଡନବୀଶ ଓ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କରିଥିବା ଅଜିତ୍ ପାୱାରଙ୍କ ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଲେ କଂଗ୍ରେସ-ଏନସିପି-ଶିବସେନା । ଫଡନବୀଶଙ୍କ ଶପଥଗ୍ରହଣ ଉତ୍ସବକୁ ବିରୋଧ କରି ଏହାକୁ ରଦ୍ଦ କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ଏହି ୩ ଦଳ । ଏପରିକି ଆଜି ରାତିରେ ସ୍ୱତନ୍ତ୍ର ଶୁଣାଣି କରି ଫ୍ଲୋର ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେବାକୁ ୩ ଦଳ ପକ୍ଷରୁ ଅପିଲ୍ କରାଯାଇଛି ।

ଏହାସହ ଶିବସେନା ପକ୍ଷରୁ ଦାଖଲ କରାଯାଇଥିବା ପିଟିସନରେ ଦେବେନ୍ଦ୍ର ଫଡନବୀଶଙ୍କୁ ସରକାର ଗଠନ କରିବା ପାଇଁ ରାଜ୍ୟପାଳ ଯେଉଁ ନିଷ୍ପତି ଦେଇଥିଲେ ତାହାକୁ ରଦ୍ଦ କରାଯାଉ । ଏହାଛଡା ଦଳ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, କଂଗ୍ରେସ-ଏନସିପି-ଶିବସେନାକୁ ସରକାର ଗଠନ ପାଇଁ ସୁଯୋଗ ଦେବାକୁ ରାଜ୍ୟପାଳଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ।

ସେହିଭଳି କଂଗ୍ରେସର ବରିଷ୍ଠ ନେତା ଅଶୋକ ଚୌହାଣ କହିଛନ୍ତି, ବିଜେପି କ୍ଷମତା ପାଇଁ ରାଜନୀତିର ସ୍ତରକୁ ତଳକୁ ନେଉଛି । ଶରଦ ପାୱାରଙ୍କ ସହ ୪୨ରୁ ୪୫ ବିଧାୟକ ରହିଛନ୍ତି । ଏପରିକି ସକାଳେ ଅଜିତଙ୍କ ସହ ରାଜଭବନରେ ଉପସ୍ଥିତ ଥିବା ଧନଞ୍ଜୟ ମୁଣ୍ଡେ ମଧ୍ୟ ସନ୍ଧ୍ୟାରେ ପୁଣିଥରେ ପୁରୁଣା ଶିବିରକୁ ଫେରିଛନ୍ତି । କିଛି ବିଧାୟକ ଟ୍ୱିଟ୍ କରି ଶରଦ ପାୱାରଙ୍କ ସହ ଥିବା ସ୍ପଷ୍ଟ କରିଛନ୍ତି । ତେଣୁ ଲଜ୍ୟାଜନକ ଘଟଣା ଘଟିବା ପୂର୍ବରୁ ଫଡନବୀଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଆବଶ୍ୟକ ।