କନକ ବ୍ୟୁରୋ: ଝଟକା ପରେ ଝଟକା । ମହାରାଷ୍ଟ୍ରରେ ଚାଲିଥିବା ଶିବସେନା ଚିହ୍ନ ଲଢେଇରେ ସୋମବାର ଉଦ୍ଧବ ଗୋଷ୍ଟୀକୁ ନିରାଶ ହେବାକୁ ପଡିଛି । ମୁଖ୍ୟ ନିର୍ବାଚନ କମିଶନଙ୍କ ନିଷ୍ପତିକୁ ଚ୍ୟାଲେଂଜ କରି ଉଦ୍ଧବ ଗୋଷ୍ଠୀ ଯେଉଁ ଆବେଦନ କରିଥିଲେ ଏହା ଉପରେ ତୁରନ୍ତ ଶୁଣାଣୀ କରିବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ । ଆବେଦନରେ ଊଦ୍ଧବ ଗୋଷ୍ଠୀ କହିଥିଲେ ଯେ-ଏକନାଥ ସିନେ୍ଧଙ୍କୁ ମୁଖ୍ୟ ନିର୍ବାଚନ କମିଶନ ଶିବସେନାର ଦଳୀୟ ନାଁ ଓ ଚିହ୍ନ ପ୍ରଦାନ କରିଛନ୍ତି । ଏହା ନିୟମର ଉଲ୍ଲଂଘନ ଅଟେ । ଇସିଙ୍କ ନିଷ୍ପତିକୁ ବିରୋଧ କରି ତୁରନ୍ତ ଶୁଣାଣୀ ପାଇଁ ଆବେଦନ କରିଥିଲେ ଉଦ୍ଧବ ଗୋଷ୍ଠୀ । ସେପଟେ ସିନେ୍ଧ ଗୋଷ୍ଠୀ ମଧ୍ୟ ଆବେଦନ କରିଛନ୍ତି ଓ କହିଛନ୍ତି ତାଙ୍କ ପକ୍ଷ ନଶୁଣି ଉଦ୍ଧବଙ୍କ ଆବେଦନ ଉପରେ କୋର୍ଟ କୌଣସି ଶୁଣାଣୀ କରନ୍ତୁ ନାହିଁ ।

Advertisment

ନିର୍ବାଚନ କମିଶନ ମୋଦୀଙ୍କ ସରକାରଙ୍କ ହାତବାରିଶି ସାଜିଥିବା ଅଭିଯୋଗ ଆଣିବା ସହ ଶିବସେନାର ଅସଲି ହକଦାର ବୋଲି ଦାବି କରିଛନ୍ତି ଉଦ୍ଧବ ଠାକରେ । ଶିବସେନାର ନାମ ଏବଂ ଚିହ୍ନ ପାଇଁ ୨ ହଜାର କୋଟିର ଡିଲ ହୋଇଥିବା ନେଇ ମଧ୍ୟ ଅଭିଯୋଗ ଆଣିଛନ୍ତି ଶିବସେନା(ୟୁବିଟି) ନେତା ସଞ୍ଜୟ ରାଉତ । ପଟେ ମହାରାଷ୍ଟ୍ର ସରକାରଙ୍କ ପକ୍ଷ ବିନା କୌଣସି ଶୁଣାଣି ନକରିବାକୁ ସୁପ୍ରିମକୋର୍ଟରେ ନିବେଦନ କରିଛନ୍ତି ମହାରାଷ୍ଟ ସରକାର ।

ଉଦ୍ଧବଙ୍କ ସମସ୍ୟା ଏତିକିରେ ଶେଷ ହୋଇନି । କାରଣ ସୋମବାର ତାଙ୍କ ହାତରୁ ବିଧାନସଭାର ଶିବସେନା କାର୍ଯ୍ୟାଳୟ ମଧ୍ୟ ହାତରୁ ଯାଇଛି । ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାର୍ବେକରଙ୍କୁ ସିନେ୍ଧ ଗୋଷ୍ଠୀଙ୍କୁ ଶିବସେନା କାର୍ଯ୍ୟାଳୟ ପ୍ରଦାନ କରିଛନ୍ତି । ଅନ୍ୟପଟେ ଶିବସେନା ୟୁବିଟି ଟୁଇଟର ହ୍ୟାଣ୍ଡେଲରୁ ବ୍ଲୁ ଟିକ ମାର୍କ ହଟାଯାଇଛି । ସମାନ ଘଟଣା ୟୁଟ୍ୟୁବ ଅଫିସିଆ ପେଜରେ ମଧ୍ୟ ଦେଖିବାକୁ ମିଳିଛି ।