ପେଟ୍ରୋଲ ଦରବୃଦ୍ଧି ! ମେଂଟ ସରକାରରୁ ଓହରିଯିବାକୁ ଶିବସେନାର ଧମକ

33

କନକ ବ୍ୟୁରୋ : ଦିନକୁ ଦିନ ଦେଶରେ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ଘଟୁଥିବାରୁ ଏହାକୁ ତୀବ୍ର ବିରୋଧ କରିଛି ଶିବସେନା । ଏପରିକି କେନ୍ଦ୍ରରେ ଏବଂ ମହାରାଷ୍ଟ୍ରରେ ମେଂଟ ସରକାରରୁ ଓହରିଯିବାକୁ ଧମକ ଦେଇଛି ଦଳ । ତୁରନ୍ତ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ରୋକିବା ଉପରେ ଠୋସ ପଦକ୍ଷେପ ନନେଲେ ଶିବସେନା ଆନ୍ଦୋଳନ କରିବାକୁ ଚେତାବନୀ ମଧ୍ୟ ଦେଇଛି । ତେବେ ଶେଷ ନିଷ୍ପତି ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ନେବେ ବୋଲି କହିଛନ୍ତି ଶିବସେନା ନେତା ସଂଜୟ ରାଉତ ।

ଅଶୋଧିତ ତେଲ ଦର ବ୍ୟାରେଲ ପ୍ରତି ୫୦ ଡଲାର ପାଖାପାଖି କିଣା ପଡ଼ୁଥିବାବେଳେ ଦେଶରେ ପେଟ୍ରୋଲ ଦର ୮୦ ଟଙ୍କା ପାଖାପାଖି ପହଁଚିଲାଣି । ଯାହାକି ୩ ବର୍ଷ ଭିତରେ ସବୁଠୁ ଅଧିକ ହୋଇଛି । ୟୁପିଏ ସରକାର ସମୟରେ ବ୍ୟାରେଲ ପ୍ରତି ତେଲ ଦର ୧୦୦ ଡଲାର ଥିବାବେଳେ ଯେତିକି ତେଲ ଦର ଥିଲା ଏବେ ତାହାଠାରୁ ବହୁ ଅଧିକ ରହିଛି । ପେଟ୍ରୋଲ,ଡିଜେଲ ଦରବୃଦ୍ଧି ହେଲେ ବିଜେପି ନେତାମାନେ ରାଜରାସ୍ତାରେ ହଂଗାମା କରୁଥିଲେ । ଏବେ କେନ୍ଦ୍ରମନ୍ତ୍ରୀ ଥିବା ରାଜନାଥ ସିଂହଙ୍କ ଠାରୁ ଆରମ୍ଭ କରି ସୁଷମା ସ୍ୱରାଜ, ସ୍ମୃତି ଇରାନିଙ୍କ ସହ ହଜାର ହଜାର କର୍ମୀ ଆନ୍ଦୋଳନରେ ସାମିଲ ହୋଇ ଦରବୃଦ୍ଧି କରିବାକୁ ଚାପ ପକାଉଥିଲେ ।

ଏବେ ସେମାନେ କିଭଳି ଚୁପ ହୋଇ ରହିଛନ୍ତି ବୋଲି ଶିବସେନା ତାର ମୁଖପତ୍ରରେ ପ୍ରଶ୍ନ ଉଠାଇଛି । ପେଟ୍ରୋଲର ଅତ୍ୟଧିକ ଦରବୃଦ୍ଧି ଗରିବ ଓ ମଧ୍ୟବିତ୍ତ ପରିବାର ଉପରେ ବୋଝ ଭଳି ହୋଇଛି । ତୈଳ ଦରବୃଦ୍ଧି ଯୋଗୁଁ ବଜାରରେ ସବୁ ଦ୍ରବ୍ୟର ଦର ବୃଦ୍ଧି ଘଙ୍କୁଛି । ଏପରିକି କୃଷକଙ୍କ ଆତ୍ମହତ୍ୟାର ମୂଳ କାରଣ ତୈଳ ଦରବୃଦ୍ଧି ବୋଲି କହିଛି ଶିବସେନା । ସାଧାରଣ ଜନତାର ସେବା କରିବାକୁ କହି ଶାସନ କରୁଥିବା ବିଜେପି ଏବେ ସବୁ ପ୍ରତିଶ୍ରୁତି ଭୁଲି ଯାଇଥିବା ଶିବସେନା ପକ୍ଷରୁ କୁହାଯାଇଛି ।