ମାହାଙ୍ଗା କୁସୁପୁରରେ ୫ ଜଣଙ୍କୁ ବୀଭତ୍ସ ହତ୍ୟା ମାମଲା । ୩ ଦିନିଆ ରିମାଣ୍ଡରେ ଯିବ ମୁଖ୍ୟ ଅଭିଯୁକ୍ତ ଶିବ ସାହୁ ।

378

କନକ ବ୍ୟୁରୋ: ମାହାଙ୍ଗା କୁସୁପୁରରେ ୫ ଜଣଙ୍କୁ ବୀଭତ୍ସ ହତ୍ୟା ମାମଲା । ୩ ଦିନିଆ ରିମାଣ୍ଡରେ ଯିବ ମୁଖ୍ୟ ଅଭିଯୁକ୍ତ ଶିବ ସାହୁ । ସାଲେପୁର ଜେଏମଏଫସି କୋର୍ଟ ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡ ଅନୁମତି ଦେଇଛନ୍ତି । ତେବେ ପୋଲିସ ପକ୍ଷରୁ ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ ହୋଇଥିଲା ବେଳେ, କେବଳ ୩ ଦିନ ପାଇଁ ରିମାଣ୍ଡରେ ଯିବ ଅଭିଯୁକ୍ତ ।

ଅନ୍ୟପଟେ ମାହାଙ୍ଗାର ଗଣହତ୍ୟା ଘଟଣା ସାରାରାଜ୍ୟକୁ ସ୍ତବ୍ଧ କରିଦେଇଥିବାବେଳେ, ସାମନାକୁ ଆସିଛି ହତ୍ୟାକାଣ୍ଡ ପଛର କାରଣ । ଲୋକଙ୍କ କହିବା ଅନୁସାରେ, ଅନେକ ଦିନ ଧରି ଦୁଇ ଭାଇ ଭିତରେ ଜମିବାଡିକୁ ନେଇ ବିବାଦ ଲାଗିରହିଥିଲା । ସେମାନେ ଦୁଇଟି ପରିବାର ଗୋଟିଏ ଘରେ ରହୁଥିଲେ । ଘରେ ଗୋଟିଏ ବାଥରୁମ୍ ଓ ଟଏଲେଟ ଥିଲା । ଯାହାକୁ ନେଇ ଦୁଇ ପରିବାର ଭିତରେ ଝଗଡା ଲାଗିରହୁଥିଲା । ମୃତ ଅଲେଖ ସାହୁ କୁଆଡେ ଟଏଲେଟକୁ ତାଲା ଲଗାଇଦେଉଥିଲେ । ଏଭଳି ଘଟଣାରେ ରାଗିଯାଉଥିଲେ ଶିବପ୍ରସାଦ । ଆଉ ସୋମବାର ରାତିରେ ଏହାର କରୁଣ ପରିଣତି ସାମ୍ନାକୁ ଆସିଲା ।

ରାତି ପ୍ରାୟ ୨ଟାରୁ ୩ ଟା ଭିତରେ ବଡଭାଇ, ଭାଉଜ, ଓ ପିଲାମାନେ ଶୋଇଥିବା ରୁମ୍ ଭିତରେ ପଶିଥିଲେ ସାନଭାଇ ଶିବପ୍ରସାଦ ସାହୁ । ହାତରେ କଟୁରୀ ଥିଲା । ରାତିରେ ଏମାନେ ନିଘୋଡ ନିଦରେ ଶୋଇଥିଲେ, ଆଉ ଏହା ଶିବପ୍ରସାଦଙ୍କ ପାଇଁ ସୁଯୋଗ ଥିଲା । ଲୋକଙ୍କ କହିବାନୁସାରେ ଆଗ ବଡଭାଇ, ତାପରେ ଭାଉଜଙ୍କୁ ହାଣିପକାଇଥିଲେ ଶିବପ୍ରସାଦ । ଏତିକି ଭିତରେ ତିନିଜଣ ପିଲା ନିଦରୁ ଉଠିଯାଇଥିଲେ । ପାଖରେ ବାପା-ମାର ଏଭଳି ଅବସ୍ଥା ଦେଖି ବିଚଳିତ ହୋଇପଡିଥିଲେ । ଏହାପରେ କୁଆଡେ ଦୁଇଜଣ ପୁତୁରା ଓ ଝିଆରୀ ଶିବପ୍ରସାଦଙ୍କ ଗୋଡଧରିପକାଇଥିଲେ ଆଉ ନେହୁରା ହୋଇ କହିଥିଲେ ସେମାନଙ୍କୁ ଛାଡିଦିଅନ୍ତୁ । କିନ୍ତୁ ଶିବପ୍ରସାଦ ସେତେବେଳେ ସଇତାନ୍ ପାଲଟିଯାଇଥିଲେ । ଆଉ ଜଣଙ୍କ ପରେ ଜଣଙ୍କୁ ହାଣି ହତ୍ୟା କରିଥିଲା । ମାତ୍ର କିଛି ସମୟ ଭିତରେ ପୁରା ପରିବାର ସଫା ହୋଇଯାଇଥିଲା ।