ମୋଦି ସରକାରଙ୍କୁ ବଡ ଝଟକା । କୃଷି ବିଲକୁ ବିରୋଧ କରି ଏନଡିଏକୁ ବାଏ ବାଏ କଲା ସହଯୋଗୀ ଅକାଳୀ ଦଳ, ପୂର୍ବରୁ ଦଳର ହରଶମିତ୍ କୌର କେନ୍ଦ୍ରମନ୍ତ୍ରୀ ପଦରୁ ଦେଇଥିଲେ ଇସ୍ତଫା ।

304

କନକ ବ୍ୟୁରୋ : ଏନଡିଏକୁ ବାଏ ବାଏ କଲା ଶିରୋମଣି ଅକାଳୀ ଦଳ । ଏନଡିଏର ସହଯୋଗୀ ଦଳ ଭାବେ ରହି ଆସିଥିବା ଅକାଳୀ ଦଳ କୃଷି ବିଲକୁ ବିରୋଧ କରି ମୋଦି ସରକାରକୁ ପୂର୍ବରୁ ବଡ ଝଟକା ଦେଇଥିଲା । ଏପରିକି କୃଷି ବିଲକୁ ବିରୋଧ କରି ମୋଦି ସରକାରରେ ମନ୍ତ୍ରୀ ଥିବା ଶିରୋମଣି ଅକାଳୀ ଦଳର ସାଂସଦ ହରଶମିତ୍ କୌର ମଧ୍ୟ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଆଉ ଆଜି ଦଳର କୋର କମିଟି ବୈଠକ ପରେ ଏନଡିଏ ଛାଡିବାକୁ ନିଷ୍ପତି ହୋଇଥିଲା । ପରେ ଏନଡିଏର ହାତ ଛାଡିବା ନେଇ ସୂଚନା ଦେଇଥିଲେ ଅକାଳୀ ଦଳର ଅଧ୍ୟକ୍ଷ ସୁଖବୀର ସିଂ ବାଦଲ ।

କୃଷି ବିଲ୍ ପାରିତ ହେବା ପରଠାରୁ ଏହାକୁ ବିରୋଧ କରି ଆସୁଛି ଶିରୋମଣି ଅକାଳୀ ଦଳ । ଏପରିକି କଂଗ୍ରେସ, ତୃଣମୁଳ କଂଗ୍ରେସ ଭଳି ବିରୋଧୀ ଦଳ ମଧ୍ୟ ଏହି ବିଲକୁ ବିରୋଧ କରି ଆସୁଛନ୍ତି । କଂଗ୍ରେସ ଏହି ବିଲ୍ ବିରୋଧରେ ପୂରା ଦେଶରେ ପ୍ରେସମିଟ୍ କରିଥିବା ବେଳେ ଗତକାଲି ଦେଶର ଅଧିକାଂଶ ରାଜ୍ୟରେ ଚାଷୀ ମାନେ ରାସ୍ତାକୁ ଓହ୍ଲାଇଥିଲେ । କୃଷି ବିଲ୍ ବିଦେଶୀ ବ୍ୟବସାୟୀଙ୍କୁ ଫାଇଦା ବୋଲି ବାରମ୍ବାର ଅଭିଯୋଗ କରି ଆସୁଛି କଂଗ୍ରେସ । ଏପରିକି ଏହି ବିଲ୍ ଚାଷୀ ବିରୋଧୀ ବୋଲି କହୁଛି କଂଗ୍ରେସ । ଆଉ ଏଭଳି ସ୍ଥଳେ ଏନଡିଏର ହାତ ଛାଡି ମୋଦି ସରକାରକୁ ବଡ ଝଟକା ଦେଇଛି ଅକାଳୀ ଦଳ ।