ହାତ ଖୋଲି ଦାନ ଦେଲେ ଭକ୍ତ, ଗଣିବାକୁ ବସିଲେ ୧୨ରୁ ଅଧିକ ଲୋକ । ଶିରିଡି ସାଇ ମନ୍ଦିରକୁ ମିଳିଲା ୪୦୦ କୋଟିରୁ ଅଧିକ ଦାନ ଅର୍ଥ ।

ହାତ ଖୋଲି ଦାନ ଦେଲେ ଭକ୍ତ, ଗଣିବାକୁ ବସିଲେ ୧୨ରୁ ଅଧିକ ଲୋକ । ଶିରିଡି ସାଇ ମନ୍ଦିରକୁ ମିଳିଲା ୪୦୦ କୋଟିରୁ ଅଧିକ ଦାନ ଅର୍ଥ ।

କନକ ବ୍ୟୁରୋ : ଖୋଲିଛି ଶିରିଡି ସାଇ ବାବାଙ୍କ ଦାନ ବାକ୍ସ । ତେବେ ଦାନ ବାକ୍ସରୁ ଏତେ ଟଙ୍କା ବାହାରିଛି ଯେ ଏହାକୁ ଗଣିବାକୁ ୧୨ ଜଣରୁ ଅଧିକ ଲୋକ ଲାଗିଛନ୍ତି । ୨୦୨୨ରେ ଭକ୍ତ ମାନେ ମନ ଭରି ଦାନ କରିଛନ୍ତି । ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ଯେ, ୨୦୨୨ରେ ୪୦୦ରୁ ଅଧିକ କୋଟି ଟଙ୍କା ଦାନ ଆକାରରେ ମିଳିଛି । ଏହି ସମସ୍ତ ଦାନ ନଗଦ ଅର୍ଥ ସହ ଚେକ୍, ସୁନା, ରୂପା, ଅନଲାଇନ ପେମେଣ୍ଟ ଓ ଡିମାଣ୍ଡ ଡ୍ରାଫ୍ଟ ଜରିଆରେ ମିଳିଛି ।

କରୋନା କଟକଣା ହଟିବା ପରେ ୨୦୨୨ରେ ସାଇ ମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟିଥିଲା । ଏପରିକି ଡିସେମ୍ବର ମାସରେ ଭକ୍ତଙ୍କ ସଂଖ୍ୟା ଅଧିକ ବଢିଥିଲା । ତେବେ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଦାନ ହୁଣ୍ଡିରୁ ୧୬୬ କୋଟିରୁ ଅଧିକ ନଗଦ ଟଙ୍କା ମିଳିଥିବା ବେଳେ ଅନଲାଇନ ମାଧ୍ୟମରେ ୧୪୪ କୋଟି ଟଙ୍କାର ଦାନ ଅର୍ଥ ମିଳିଛି । ସେହିଭଳି ମନ୍ଦିରର କ୍ୟାସ କାଉଣ୍ଟରରେ ୭୪ କୋଟିରୁ ଅଧିକ ଟଙ୍କା ଜମା ହୋଇଥିବା ବେଳେ ୨୬ କିଲୋରୁ ଅଧିକ ସୁନା ଯାହାର ମୂଲ୍ୟ ୧୨ କୋଟି ତାହା ଦାନ ଆକାରରେ ମିଳିଛି । ସେହିଭଳି ୩୩୦ କିଲୋରୁ ଅଧିକ ରୂପା ଯାହାର ମୂଲ୍ୟ ୧.୫ କୋଟି ତାହା ମଧ୍ୟ ଭକ୍ତ ଦାନ କରିଛନ୍ତି ।

ଏହି ଦାନ ଅର୍ଥକୁ ବିଭିନ୍ନ ଉପାୟରେ ଖର୍ଚ୍ଚ କରାଯାଉଛି । ଯେପରିକି ମନ୍ଦିରର ଟ୍ରଷ୍ଟ ଦ୍ୱାରା ପରିଚାଳିତ ହସ୍ପିଟାଲରେ ରୋଗୀଙ୍କୁ ମାଗଣା ଚିକିତ୍ସା ଓ ଔଷଧ ଦିଆଯାଉଛି । ସେହିଭଳି ଏକ ଭୋଜନାଳୟ ଖୋଲାଯାଇଛି । ଯେଉଁଠି ୧ ଲକ୍ଷ ଭକ୍ତଙ୍କୁ ମାଗଣାରେ ଖାଇବା ଦିଆଯାଉଛି । ସେହିଭଳି ଟ୍ରଷ୍ଟ ପିଲାଙ୍କୁ ମାଗଣାରେ ପାଠ ପଢାଉଥିବା ବେଳେ ବିଭିନ୍ନ ସାମାଜିକ କାର୍ଯ୍ୟରେ ମଧ୍ୟ ନିଜକୁ ନିୟୋଜିତ କରୁଛି । ଏପରିକି ରାଜ୍ୟ ସରକାରଙ୍କୁ ମଧ୍ୟ ମନ୍ଦିର ପକ୍ଷରୁ ୫୧ କୋଟି ଟଙ୍କାର ଦାନ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe