ଶିରିଡ଼ି ବନ୍ଦ, ମନ୍ଦିର ଖୋଲା । ସାଇ ବାବାଙ୍କ ଜନ୍ମସ୍ଥାନକୁ ନେଇ ଉଦ୍ଧବଙ୍କ ବୟାନକୁ ନେଇ ଝଡ଼ । ଶିରିଡିରେ ଦୋକାନ ବଜାର ବନ୍ଦ, ଗଡିଲାନି ଗାଡି, କିନ୍ତୁ ବାବାଙ୍କ ଦର୍ଶନ କଲେ ଭକ୍ତ ।

276

କନକ ବ୍ୟୁରୋ : ଶିରିଡି ସାଇଙ୍କ ଜନ୍ମସ୍ଥାନକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା ପରେ ଆଜି ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଶିରିଡି ସହରରେ ବନ୍ଦ ପାଳନ ଆରମ୍ଭ ହୋଇଛି । ତେବେ ସାଇ ବାବାଙ୍କ ମନ୍ଦିର ଖୋଲା ରହିଛି । ଆସନ୍ତାକାଲି ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବୈଠକ ଡକାଇଛନ୍ତି । ଏପଟେ ଓଡିଶାରେ ମଧ୍ୟ ଶିରିଡି ଘଟଣାକ୍ରମର ପ୍ରଭାବ ପଡିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଭକ୍ତମାନେ ପ୍ରତିବାଦ କରିଛନ୍ତି ।

ତେବେ ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ଉଦ୍ଧବ ଠାକରେଙ୍କ ବୟାନକୁ ନେଇ ଆରମ୍ଭ ହୋଇଯାଇଥିଲା ଝଡ । ସାଇ ବାବାଙ୍କ ଜନ୍ମ କେଉଁଠି ହୋଇଛି, ଶିରିଡି ନା ପାଥରୀ । ଏହି ପ୍ରଶ୍ନର ଉତ୍ତର ଖୋଜୁ ଖୋଜୁ ଆରମ୍ଭ ହୋଇଯାଇଛି ବିବାଦ, ଆନ୍ଦୋଳନ ଆଉ ପ୍ରତିବାଦ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବୟାନ ପ୍ରତିବାଦରେ ଆଜି ଶିରିଡି ବନ୍ଦ ରହିଥିଲା ।

ଶିରିଡି ବନ୍ଦ କିନ୍ତୁ ମନ୍ଦିର ଖୋଲା । ଶିରିଡି ସାଇଙ୍କ ଦର୍ଶନ କଲେ ଭକ୍ତ । ଆଜି ସକାଳୁ ସକାଳୁ କିଛି ଏହିପରି ଦୃଶ୍ୟ ଦେଖିବାକୁ ମିଳିଥିଲା ଶିରିଡିରେ । ହାତରେ ସାଇ ବାବାଙ୍କ ଫଟୋ ଧରି ପ୍ରତିବାଦ ପ୍ରଦର୍ଶନ କରିଥିଲେ ସାଇ ଭକ୍ତ । ବ୍ୟାନରରେ ଦାବି ଉପସ୍ଥାପନ କରି ଶୋଭାଯାତ୍ରାରେ ବାହାରିଥିଲେ । ଆଉ ମୁଖ୍ୟ ଦାବି ଥିଲା, ସାଇ ବାବା ଶିରିଡିରେ ଜନ୍ମ ହୋଇଛନ୍ତି । ୬୦ବର୍ଷ ଧରି ଶିରିଡିରେ ରହୁଥିଲେ ସାଇ । ତାଙ୍କ ସହିତ ରହିଥିବା ଭକ୍ତମାନଙ୍କ ଠାରୁ ଏହି ପ୍ରମାଣ ମିଳିଛି ।

ଶିରିଡି ସହରରେ ଆଜି ଦୋକାନ ବଜାର ବନ୍ଦ ରହିଛି । ଗାଡି ମୋଟର ଚଳାଚଳ ବି ପ୍ରଭାବିତ ହୋଇଛି । ସାଇବାବାଙ୍କ ଜନ୍ମ ସ୍ଥାନ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେଇଥିବା ବୟାନକୁ ପ୍ରତ୍ୟାହାର କରିବାକୁ ଦାବି ହୋଇଛି । ବନ୍ଦରୁ ଓହରି ଯିବାକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିବେଦନ କରିଥିଲେ ସୁଦ୍ଧା ଆନ୍ଦୋଳନକାରୀ ଏହାକୁ ଗ୍ରହଣ କରି ନାହାନ୍ତି ।

ଶିରିଡି ଆନ୍ଦୋଳନର ପ୍ରଭାବ ଦେଖିବାକୁ ମିଳିଛି ଓଡିଶାରେ । ପୁରୀ, ଭୁବନେଶ୍ୱର, କଟକ, କେନ୍ଦ୍ରାପଡା, ସମ୍ବଲପୁରରେ ମଧ୍ୟ ଦେଖିବାକୁ ମିଳିଛି ବିରୋଧ । ସାଇ ବାବାଙ୍କ ପ୍ରକୃତ ଜନ୍ମସ୍ଥାନ କେଉଁଠି ସେନେଇ ଯୁକ୍ତି ବାଢିଛନ୍ତି ସାଇ ଭକ୍ତ ।

ଉଦ୍ଧବ ଠାକରେ ସାଇବାବାଙ୍କ ପ୍ରକୃତ ଜନ୍ମସ୍ଥଳ ଶିରିଡି ଠାରୁ ପ୍ରାୟ ୨୨୫ କିଲୋମିଟର ଦୂର ପାଥରୀ ବୋଲି ମନ୍ତବ୍ୟ ଦେଇଥିଲେ । ସେହି ଅଂଚଳର ବିକାଶ ପାଇଁ ୧୦୦ କୋଟି ଟଙ୍କା ଘୋଷଣା କରିଥିଲେ । ଏହା ପରେ ଶିରିଡିରେ ଆନ୍ଦୋଳନ ଦାନା ବାନ୍ଧିଛି । ଅନିର୍ଦିଷ୍ଟ କାଳ ପାଇଁ ଏହି ଆନ୍ଦୋଳନ ଚାଲିବ ବୋଲି ଗାଁ କମିଟି ନିଷ୍ପତି ନେଇଛି । ଏହି ବିରୋଧ ଓ ପ୍ରତିବାଦ ଭିତରେ ଶିରିଡି ସାଇ ମନ୍ଦିର ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ଦର୍ଶନ କରିଛନ୍ତି । ମନ୍ଦିର, ପ୍ରସାଦ, ସେବନ ସ୍ଥଳ, ଯାତ୍ରୀ ନିବାସ ଖୋଲା ରହିଛି ।