ମୁକ୍ତ ହେଲା ମାଲବାହୀ ଜାହାଜ ଏଭର ଗିଭେନ୍ । ସୁଏଜ କେନାଲରୁ ହଟିଲା ଅଚଳାବସ୍ଥା । ବିଶ୍ୱର ସବୁଠୁ ବ୍ୟସ୍ତବହୁଳ ଜଳପଥରେ ସ୍ୱାଭାବିକ ହେଲା ଜାହାଜ ଗମନାଗମନ

146

କନକ ବ୍ୟୁରୋ: ଇଜିପ୍ଟର ସୁଏଜ କେନାଲରେ ଅଚଳବାସ୍ଥାରେ ସୁଧାର ଆସିଛି । ସୋମବାର ଦିନ କେନାଲରେ ଫସିଥିବା ତାଇୱାନ ଜାହାଜ ଗନ୍ତବ୍ୟସ୍ଥଳକୁ ଯିବା ଆରମ୍ଭ କରିଛି । ହେଲେ ଗତ ୬ ଦିନ ହେଲା ସୁଏଜ କେନାଲରେ ବିଶାଳକାୟ ଏଭର ଗିଭେନ ଜାହାଜ ଫସିଥିବାରୁ କେନାଲର ଦୁଇ ମୁଣ୍ଡରେ ସାଢେ ତିନିଶହରୁ ଅଧିକ ଜାହାଜ ଅଟକି ରହିଛି । ତେଣୁ ସୁଏଜ କେନାଲରେ ସ୍ୱଭାବିକତା ଫେରାଇ ଆଣିବାକୁ ୩ରୁ ୪ ଦିନ ସମୟ ଲାଗିବ ବୋଲି କହିଛନ୍ତି କେନାଲ କର୍ତୃପକ୍ଷ ।

ସୁଏଜ କେନାଲରୁ ପଣ୍ୟବାହୀ ଜାହାଜ ଏଭର ଗିଭେନ ବାହାରିଯାଇଛି, ଜାହାଜରେ ଥିବା ସମସ୍ତ ୨୫ ଜଣ ଭାରତୀୟ କ୍ରୁ ମେମ୍ବର ସୁରକ୍ଷିତ ଅଛନ୍ତି । ତେବେ ଜାହାଜର କ୍ରୁ ମେମ୍ବରଙ୍କ ଉପରେ ବିପଦର ଖଣ୍ଡା ଝୁଲୁଛି । କାରଣ ୭ ଦିନ କାଳ ଅବରୋଧ ଯୋଗୁଁ ଜାହାଜର କ୍ରୁ ମେମ୍ବର ଉପରେ ଅପରାଧିକ ମାମଲା ରୁଜୁ ହେବା ଆଶଙ୍କା ରହିଛି । କାରଣ ପୁର୍ବରୁ କେନାଲ ପ୍ରାଧିକରଣ ମୁଖ୍ୟ କହିଥିଲେ, ବିଶାଳକାୟ ଜାହାଜ ଅବରୋଧ ପାଇଁ କେବଳ ଘୂର୍ଣ୍ଣିଝଡ ପବନକୁ ଦାୟୀ କରାଯାଇ ପାରିବ ନାହିଁ । ଏହା ମନୁଷ୍ୟକୃତ ତ୍ରୁଟି ନା କେନାଲର ପରିଚାଳନାରେ ଅବହେଳା ତାହାର ଯାଂଚ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସେପଟେ ଜାହାଜ କର୍ତୃପକ୍ଷ ଜାହାଜରେ ଥିବା ଭାରତୀୟ କର୍ମଚାରୀଙ୍କ ପ୍ରଶଂସା କରିଛନ୍ତି । ଫସିରହିଥିବା ଜାହାଜକୁ ବାହାର କରିବାରେ ଭାରତୀୟ କର୍ମଚାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା କୁହାଯାଇଛି ।

ଏଭର ଗିଭେନ ଜାହାଜଟି ସୁଏଜ କେନାଲରେ ଅବରୋଧ କରିଥିବା ଯୋଗୁଁ କୋଟି କୋଟି ଟଙ୍କାର କ୍ଷତି ହେଉଥିଲା । ଏପରିକି ପ୍ରତିଦିନ ୯.୬ଅରବ ଡଲାରର କ୍ଷତି ହେଉଥିଲା । ପ୍ରତି ବର୍ଷ ଏହି ଜଳପଥ ଦେଇ ୧୯ହଜାର ଜାହାଜ ଅତିକ୍ରମ କରିଥାଏ । ଏହି ଜଳପଥ ବନ୍ଦ ହୋଇଗଲେ ଅଧିକ ୫ହଜାର କିଲୋମିଟର ଅତିକ୍ରମ କରି ୟୁରୋପ ଯିବାକୁ ପଡିବ । ଏଠାରେ ଟ୍ରାଫିକ ଜାମ ଯୋଗୁଁ ଗଲ୍ଫ ଦେଶଗୁଡିକରୁ ତେଲ ରପ୍ତାନୀ ମଧ୍ୟ ହୋଇପାରୁନଥିଲା ।

ଗତ ୨୩ତାରିଖରେ ସୁଏଜ କେନାଲରେ ଏହି ଜାହାଜଟି ଫସିଯାଇଥିଲା । ୭ ଦିନ ସୁଏଜ କେନାଲ ଅବରୋଧ ଯୋଗୁଁ କୋଟି କୋଟି ଟଙ୍କା କ୍ଷତି ସହିଛନ୍ତି ସୁଏଜ କେନାଲ କର୍ତୃପକ୍ଷ । ତେଣୁ ଭାରତୀୟ ନାଗରିକ ତଥା କ୍ରୁ ମେମ୍ବରଙ୍କ ଉପରେ ଅପରାଧିକ ମାମଲା ରୁଜୁ କରିବା ସମ୍ଭାବନା ରହିଛି ।