କନକ ବ୍ୟୁରୋ : ମହାରାଷ୍ଟ୍ରରେ ଜାରି ରହିଥିବା କ୍ଷମତା ସଂକଟ ମଧ୍ୟରେ ଏବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟ କ୍ୟାବିନେଟର ବୈଠକ ଡାକିଛନ୍ତି । ଆଜି ଦିନ ୨.୩୦ କୁ ଉଦ୍ଧବ ଠାକରେ କ୍ୟାବିନେଟ ବୈଠକ ଡାକିଥିବାରୁ ଏହି ବୈଠକରେ ନିଜେ ଏକନାଥ ସିନ୍ଦେ କିମ୍ବା ତାଙ୍କ ସମର୍ଥିତ ବିଧାୟକମାନେ ଏହି ବୈଠକରେ ଯୋଗ ଦେବାକୁ ମୁମ୍ବାଇ ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Advertisment

ସେପଟେ ଉଦ୍ଧବ ସରକାରଙ୍କ ପାଖରେ ବହୁମତ ନଥିବା ବେଳେ ଗତ ୩ ଦିନ ମଧ୍ୟରେ ୪୪୩ ଟି ସରକାରୀ ସଂକଳ୍ପ ପାରିତ କରିଥିବା ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଏନେଇ ମହାରାଷ୍ଟ୍ର ରାଜ୍ୟପାଳ ଭଗତସିଂ କୋଶିୱାରୀ ଅଭିଯୋଗ କରି ମହାବିକାଶ ଅଘାଡି ସରକାର ଠାରୁ ଜବାବ୍ ମାଗିଛନ୍ତି ।

ଅନ୍ୟପଟେ ମହାରାଷ୍ଟ୍ର ସରକାରରେ ମୁଖ୍ୟ ଅଂଶିଦାର ଶିବସେନାର ୧୫ ଜଣ ବିଧାୟକଙ୍କୁ ଅପହରଣ କରାଯାଇଛି ବୋଲି ଉଦ୍ଧବ ଠାକରେଙ୍କ ପୁଅ ତଥା ରାଜ୍ୟ କ୍ୟାବିନେଟରେ ମନ୍ତ୍ରୀଥିବା ଆଦିତ୍ୟ ଠାକରେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି କି ବିଦ୍ରୋହୀ ବିଧାୟକମାନେ ଗୌହାଟୀରୁ ମୁମ୍ବାଇ ଫେରିବାକୁ ଚେଷ୍ଟା କରୁଥିବା ବେଳେ ସେମାନଙ୍କୁ ସେଠାରେ ଜୋର ଜବରଦସ୍ତ ରଖାଯାଇଥିବା କଥା ଅଭିଯୋଗ ଆଣିଛନ୍ତି ଆଦିତ୍ୟ ଠାକରେ ।

ଏସବୁ ଭିତରେ ମହାରାଷ୍ଟ୍ରରେ ସିନ୍ଦେ ଓ ତାଙ୍କ ସମର୍ଥକଙ୍କ ବିରୋଧରେ ପ୍ରଦର୍ଶନ ଜାରି ରହିଛି । ଏନସିପିର ଯୁବ ସଂଗଠନ ଏବେ ରାଜ୍ୟସାରା ସିନ୍ଦେଙ୍କ ବିରୋଧରେ ପୋଷ୍ଟର ଅଭିଯାନ ଜାରି ରଖିଛନ୍ତି । ବିଭିନ୍ନ ସ୍ଥାନରେ ବିଦ୍ରୋହୀ ବିଧାୟକଙ୍କ ଘର ଓ କାର୍ଯ୍ୟାଳୟ ଉପରେ ମଧ୍ୟ ଆକ୍ରମଣ ଜାରି ରହିଛି । ଏହାକୁ ନଜରରେ ରଖି ମହାରାଷ୍ଟ୍ର ପୋଲିସ ରାଜ୍ୟର କିଛି ମୁଖ୍ୟ ସ୍ଥାନରେ ୧୪୪ ଧାରା ଜାରି କରିଛି ।