ଖୋଲିଲା ଶିମିଳିପାଳ ଅଭୟାରଣ୍ୟ : ପ୍ରଥମ ଦିନରେ ବୁଲିଲେ ୨୮୭ ପର୍ଯ୍ୟଟକ; ପର୍ଯ୍ୟଟକମାନଙ୍କୁ ସ୍ୱାଗତ କଲେ କତ୍ତୃର୍ପକ୍ଷ

88

କନକ ବ୍ୟୁରୋ : ଖୋଲିଲା ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଶିମିଳିପାଳ ଅଭୟାରଣ୍ୟ । ଶିମିଳିପାଳର ଦୁଇ ପ୍ରବେଶ ଦ୍ୱାର ପିଠାବଟା ରେଞ୍ଜର ଲୁଲୁଙ୍ଗ ଫାଟକ ଦେଇ ୨୫ଟି ଚାରିଚକିଆ ଗାଡ଼ିରେ ୧୭୫ ପର୍ଯ୍ୟଟକ ଓ ଯଶିପୁରର କାଳିଆଣି ଫାଟକ ଦେଇ ୨୧ଟି ଗାଡ଼ିରେ ୧୧୨ ଜଣ ଏହିପରି ମୋଟ ୪୬ଟି ଗାଡ଼ିରେ ୨୮୭ ଜଣ ପର୍ଯ୍ୟଟକ ପ୍ରଥମ ଦିନରେ ଅଭୟାରଣ୍ୟ ବୁଲିଲେ । ପିଠାବଟା ପ୍ରବେଶ ପଥରେ ଆଞ୍ଚଳିକ ବନସଂରକ୍ଷକ ଅରୁଣ କୁମାର ବିଶ୍ୱାଳ, ପିଠାବଟା ରେଞ୍ଜର ଓ ଫରେଷ୍ଟ କର୍ମଚାରୀମାନେ ଉପସ୍ଥିତ ରହି ପର୍ଯ୍ୟଟକଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।

ଝାଡ଼ଖଣ୍ତ ରାଜ୍ୟରୁ ଗୋଟାଏ, ପଶ୍ଚିମବଙ୍ଗ ରାଜ୍ୟରୁ ୪ଟି ଓ ଓଡ଼ିଶାରୁ ୨୦ଟି ଗାଡ଼ିରେ ପର୍ଯ୍ୟଟକମାନେ ଏହି ଫାଟକ ଦେଇ ଶିମିଳିପାଳ ଭ୍ରମଣରେ ଯାଇଥିଲେ । ମାସ୍କ ପରିଧାନ ଓ ସାମାଜିକ ଦୂରତ୍ବ ରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇଥିଲେ ଅଭୟାରଣ୍ୟ କର୍ତ୍ତୃପକ୍ଷ । କରୋନା କାଳରେ ପ୍ରଥମ ଦିନ ଏତେ ସଂଖ୍ୟକ ପର୍ଯ୍ୟଟକ ଶିମିଳିପାଳକୁ ଆସିବା ପର୍ଯ୍ୟଟନ ବିଭାଗ ପାଇଁ ଭଲ ଖବର ଆଣିଛି । ସୂଚନାଯୋଗ୍ୟ, ଶିମିଳିପାଳକୁ ପ୍ରବେଶ ପାଇଁ ପିଠାବଟା ଓ ଯଶିପୁର ବୁକିଂ କାଉଣ୍ଟରରୁ ସକାଳ ୬ଟାରୁ ୯ଟା ମଧ୍ୟରେ ଅନୁମତି ପତ୍ର ହାସଲ କରିପାରିବେ ପର୍ଯ୍ୟଟକ ।

ଦୈନିକ ପିଠାବଟା ଫାଟକ ଦେଇ ୨୫ ଓ ଯଶିପୁର ଫାଟକ ଦେଇ ୩୫ଟି ୪ ଚକିଆ ଗାଡ଼ିକୁ କ୍ରମାନ୍ୱୟରେ ପ୍ରବେଶ ଅନୁମିତି ମିଳିବ । ଅଭୟାରଣ୍ୟକୁ ସ୍ବଚ୍ଛ ରଖିବା ଲକ୍ଷ୍ୟ ନେଇ ପର୍ଯ୍ୟଟକମାନେ ନିଜ ସାଥୀରେ ପ୍ଲାଷ୍ଟିକ ସାମଗ୍ରୀ, ମାଦକ ଦ୍ରବ୍ୟ, ଆମିଷ ଆଦି ନେବା ଉପରେ କଟକଣା ଜାରି କରାଯାଇଅଛି । ଚଳିତବର୍ଷ ଅଭୟାରଣ୍ୟ ମଧ୍ୟରେ ପର୍ଯ୍ୟଟକଙ୍କ ରାତ୍ରି ରହଣି ପାଇଁ ବଫର ଏରିଆର ଜାମୁଆଣି, ଗୁଡ଼ୁଗୁଡ଼ିଆ, ରାମତୀର୍ଥ, ବରେହିପାଣି ଆଦି ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ବ୍ୟବସ୍ଥା ଓ କୁଆଁରୀଗାଁ ନିକଟରେ ବାଉଁଶରେ ନିର୍ମିତ କଟେଜର ବ୍ୟବସ୍ଥା କରାଯାଇଅଛି ।