କନକ ବ୍ୟୁରୋ : ବଲିଉଡର ବହୁ ଚର୍ଚ୍ଚିତ ଅଶ୍ଳୀଳ ଭିଡିଓ ମାମଲାରେ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ଗିରଫ ହେବା ପରେ ଜୁଲାଇ ୨୩ ତାରଖରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଶିଳ୍ପା ସେଟ୍ଟୀଙ୍କ ବୟାନ ରେକର୍ଡ କରିଥିଲା । ଆଜି ମୁମ୍ବାଇ କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ କରି କୋର୍ଟରେ ୧୫ ଶହ ପୃଷ୍ଟାର ଏକ ପାକ୍ଷୀକ ଚାର୍ଜସିଟ୍ ଦାଖଲ କରିବା ପରେ ଏହି ମାମଲାକୁ ନେଇ ଶିଳ୍ପା କଣ କହିଥିଲେ ଏବେ ତାହା ସାମ୍ନାକୁ ଆସିଛି ।
ଜୁଲାଇ ୨୩ ତାରିଖରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଯେତେବେଳେ ଶିଳ୍ପାଙ୍କ ବୟାନ ରେକର୍ଡ କରିଥିଲା, ସେତେବେଳେ ଶିଳ୍ପା କହିଥିଲେ କି ମୋ ସ୍ୱାମୀ ରାଜ କୁନ୍ଦ୍ର କ’ଣ କରନ୍ତି ସେନେଇ ମୋତେ କିଛି ପଚାରନ୍ତି ନାହିଁ । ଅନ୍ୟପଟେ ମୁଁ ମୋ ନିଜ କାମକୁ ନେଇ ବ୍ୟସ୍ତ ରହୁଥିବାରୁ ସେ (ରାଜ କୁନ୍ଦ୍ରା) କ’ଣ କରନ୍ତି ମୁଁ ଜାଣେ ନାହିଁ ବୋଲି ଶିଳ୍ପା ସଫେଇ ଦେଇଛନ୍ତି । ଅନ୍ୟପଟେ ରାଜ କୁନ୍ଦ୍ରା ହଟସର୍ଟ ଆପ୍ ବାବଦରେ ବି କିଛି ଜାଣି ନଥିବା କଥା ଶିଳ୍ପା ମୁମ୍ବାଇ କ୍ରାଇମବ୍ରାଞ୍ଚକୁ କହିଥିଲେ ।
ଶିଳ୍ପା ମୁମ୍ବାଇ କ୍ରାଇମବ୍ରାଞ୍ଚକୁ ବିସ୍ତୁତ ଭାବେ କହିଥିଲେ କି ସେ ୨୦୧୯ ମସିହାରେ ରାଜ କୁନ୍ଦ୍ରାଙ୍କ ଆର୍ମସ୍ପ୍ରିମ୍ ମିଡିଆ କମ୍ପାନୀରେ ଯୋଗ ଦେଇଥିଲେ । ସୌରଭ କୁସୱା ବି ଏହି କମ୍ପାନୀର ଭାଗିଦାରୀ ଥିଲେ । ଏହି କମ୍ପାନୀ ପୁନମ ପାଣ୍ଡେଙ୍କ ଭଳି ଅଭିନେତ୍ରୀଙ୍କର ଛୋଟ ଛୋଟ ଭିଡିଓ ପ୍ରସ୍ତୁତ କରି କଳାକାର ମାନଙ୍କ ଏକ୍ସପୋଜ କରାଯାଉଥିଲା । ଏଥିରେ କଳାକାର ମାନଙ୍କର ସହମତି ଥିବା କଥା ବି ଶିଳ୍ପା କହିଛନ୍ତି । ଶିଳ୍ପା ଆହୁରି କହିଛନ୍ତି କି ସେ ଯେତେବେଳେ ଏଭଳି ଘଟଣା ନେଇ ରାକ କୁନ୍ଦ୍ରାଙ୍କୁ ପଚାରିଥିଲେ ସେ କହିଥିଲେ କି ଏଭଳି ସିନେମା ଓଟିଟି ପ୍ଲାଟଫର୍ମରେ ଭଲ ଚାଲୁଛି ଓ ମୋତେ ଭଲ ଲାଭ ମିଳୁଛି । ଏହାପରେ ରାଜ କୁନ୍ଦ୍ରା କିଛି କାରଣ ପାଇଁ ସୌରଭ କୁସୱାଙ୍କ ଠାରୁ ଅଲଗା ହୋଇଯାଇଥିଲେ ।
ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଶିଳ୍ପା କହିଛନ୍ତି କି ସେ ଯେତେବେଳେ ଲଣ୍ଡନରେ ‘ବିଗ୍ ବ୍ରଦର’ ସିନେମାର ସୁଟିଂ କରୁଥିଲେ ସେତେବେଳେ ଜଣେ ସାଙ୍ଗ (ଫରାତ ହୋସେନ) ଙ୍କ ମାଧ୍ୟମରେ ତାଙ୍କର ରାଜ କୁନ୍ଦ୍ରାଙ୍କ ସହ ପରିଚୟ ହୋଇଥିଲା । ୨୦୦୯ ରେ ଏହି ସଂପର୍କ ବାହାଘରରେ ପରିଣତ ହୋଇଥିଲା । ସେବେଠାରୁ ରାଜ କୁନ୍ଦ୍ରା ଭାରତରେ ରହି କିଛି ବ୍ୟବସାୟ କରୁଛନ୍ତି ।