ରାଜ କୁନ୍ଦ୍ରା ଗିରଫ ହେବା ପରେ ପ୍ରଥମ ଥର ଆସିଲା ଶିଳ୍ପାଙ୍କ ବୟାନ । ସୋସିଆଲ ମିଡିଆେରେ ସେୟାର କଲେ ଷ୍ଟେଟମେଣ୍ଟ, ବ୍ୟକ୍ତିଗତ ଜୀବନକୁ ସମ୍ମାନ ଦେବା ପାଇଁ ଗଣମାଧ୍ୟମକୁ କଲେ ଅନୁରୋଧ ।

268

କନକ ବ୍ୟୁରୋ : ଅଶ୍ଳୀଳ ସିନେମା ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି ରାଜ କୁନ୍ଦ୍ରା । ଏପଟେ ତାଙ୍କ ପତ୍ନୀ ଶିଳ୍ପା ସେଟ୍ଟି କୁନ୍ଦ୍ରାଙ୍କ ବଢିବାରେ ଲାଗିଛି ସମସ୍ୟା । ତାଙ୍କ ହାତରୁ ଖସିବାରେ ଲାଗିଛି ଏଣ୍ଡୋର୍ସମେଂଟ । ଆଉ ସୋସିଆଲ ମିଡିଆରେ କରାଯାଉଛି ଟ୍ରୋଲ । ଯାହାକୁ ନେଇ ପ୍ରଥମ ଥର ନିଜ ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ ଶିଳ୍ପା ସେଟ୍ଟି କୁନ୍ଦ୍ରା ।

ସ୍ୱାମୀ ଗିରଫ ପରେ ଶିଳ୍ପାଙ୍କ ଦୁଃଖ । ସୋସିଆଲ ମିଡିଆରେ ବଖାଣିଲେ ମନକଥା । ଅଶ୍ଳୀଳ ସିନେମା ମାମଲାରେ ରାଜ କୁନ୍ଦ୍ରା ଗିରଫ ହେବା ପରେ ପ୍ରଥମ କରି ମୁହଁ ଖୋଲିଛନ୍ତି ପତ୍ନୀ ଶିଳ୍ପା ସେଟ୍ଟୀ କୁନ୍ଦ୍ରା । ନିଜ ସୋସିଆଲ ମିଡିଆରେ ଷ୍ଟେଟମେଂଟ ସେୟାର କରି ଶିଳ୍ପା ନିଜ ମନ କଥା କହିଛନ୍ତି । ମୋ ଷ୍ଟେଟମେଂଟ୍ ଶୀର୍ଷକରେ ଶିଳ୍ପା ଲେଖିଛନ୍ତି, “ଗତ କିଛି ଦିନ ଧରି ଆମ ପାଇଁ ସବୁ ଦିଗରୁ ଅନେକ ସଂଘର୍ଷମୟ ରହିଛି । ଭିନ୍ନ ଭିନ୍ନ ପ୍ରକାର ଉଡା ଖବର ଆସିଲା, ଅନେକ ଅଭିଯୋଗ ମଧ୍ୟ କରାଗଲା । ମିଡିଆ ଏବଂ ଅନେକ ଶୁଭଚିନ୍ତକ ମୋ ବିରୋଧରେ ଅନେକ ଅଭିଯୋଗ ଆଣିଲେ । କେବଳ ମତେ ନୁହେଁ ମୋ ପରିବାରକୁ ବି ଟ୍ରୋଲ କରାଗଲା । ମୁଁ ଏବେ ଯାଏ ଏନେଇ କୌଣସି ଟିପ୍ପଣୀ ଦେଇନାହିଁ । ଆଉ ଟିପ୍ପଣୀ ଦେବାରୁ ମଧ୍ୟ ନିଜକୁ ଦୂରରେ ରଖିବି । ଏହାଁ ହି ମୋର ଷ୍ଟାଣ୍ଡ । କାରଣ ଏ ମାମଲା ଏବେ ଯାଏଁ ବିଚାରଧିନ ଅଛି, ତେଣୁ ଦୟାକରି ମୋ ତରଫରୁ ମିଛ ବୟାନ ଦିଅନ୍ତୁ ନାହିଁ । ଜଣେ ସେଲିବ୍ରିଟି ଭାବେ ମୋର କିଛି ଫିଲୋସଫି ରହିଛି.. ମୁଁ କେବେ ଅଭିଯୋଗ କରେନି କି ସଫେଇ ଦିଏ ନାହିଁ । ମୁଁ ଖାଲି ଏତିକି କହିବି ତଦନ୍ତ ଚାଲିଛି, ମୁମ୍ବାଇ ପୋଲିସ ଏବଂ ଭାରତୀୟ ନ୍ୟାୟପାଳିକା ଉପରେ ମୋର ପୂରା ଭରସା ଅଛି..” ।

ରାଜ କୁନ୍ଦ୍ରା ଗିରଫ ହେବା ପରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ମଧ୍ୟ ତଦନ୍ତ ଘେରକୁ ଆସିଛନ୍ତି । ମୁମ୍ବାଇ କ୍ରାଇମବ୍ରାଂଚ ଦ୍ୱାରା ଅନେକ ପ୍ରଶ୍ନବାଣର ଶିକାର ହୋଇଛନ୍ତି ଅଭିନେତ୍ରୀ ଶିଳ୍ପା । ଯାହାକୁ ନେଇ ସୋସିଆଲ ମିଡିଆରେ ତାଙ୍କର ଅନେକ ଟ୍ରୋଲ କରାଯାଇଛି ।

ରାଜ କୁନ୍ଦ୍ରା ଗିରଫ ହେବା ପରେ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସମସ୍ୟା ବଢିବାରେ ଲାଗିଛି । ତାଙ୍କ ହାତରୁ ରିୟାଲିଟି ଶୋ ସୁପର ଡ୍ୟାନ୍ସରର ଜଜ୍ ସିଟ୍ ଚାଲିଯାଇଛି । ସେହିପରି ଅନେକ ବିଜ୍ଞାପନ ଡିଲ୍ ମଧ୍ୟ ଶିଳ୍ପାଙ୍କୁ ହରାଇବାକୁ ପଡିଛି । ଫଳରେ ସୋସିଆଲ ମିଡିଆରେ ନିଜ ମନକଥା ବଖାଣିଛନ୍ତି ଶିଳ୍ପା । ଶିଳ୍ପା ଆହୁରି ମଧ୍ୟ ଲେଖିଛନ୍ତି, “ଗୋଟେ ପରିବାର ଭଳି ସମସ୍ତ ପ୍ରକାର ସମ୍ଭବ ଆଇନଗତ ଉପାୟ ଆମେ ପ୍ରୟୋଗ କରୁଛୁ । ହେଲେ ପ୍ରଥମେ ଜଣେ ମାଆ ଭାବେ ମୁଁ ଆପଣମାନଙ୍କୁ ବିନମ୍ରଭାବେ ଅନୁରୋଧ କରୁଛି କି, ଦୟାକରି ମୋ ପିଲାଙ୍କ ପାଇଁ ଆମ ବ୍ୟକ୍ତିଗତ ଜୀବନକୁ ସମ୍ମାନ ଦିଅନ୍ତୁ । ବିନା କୌଣସି ତଥ୍ୟରେ ଅଧା ଅଧୁରା କାହାଣୀ ନବନାନ୍ତୁ । ମୁଁ ଗତ ୨୯ ବର୍ଷ ଧରି ମୋର ପେଶାରେ ପରିଶ୍ରମ କରୁଛି ଆଉ ଆଇନ ପାଳନ କରୁଥିବା ଜଣେ ସଚ୍ଚୋଟ ଭାରତୀୟ । ଏ ସମୟରେ ଆପଣଙ୍କ ଠାରୁ ମୋର ବ୍ୟକ୍ତିଗତ ଜୀବନ ଏବଂ ମୋ ପରିବାରକୁ ସମ୍ମାନ ଦେବାପାଇଁ ଅନୁରୋଧ କରୁଛି, ସତ୍ୟମେବ ଜୟତେ..” ।

ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କୁନ୍ଦ୍ରା ଗଣମାଧ୍ୟମ ବିରୋଧରେ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ମାତ୍ର ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ । ଯାହା ପରେ ସୋସିଆଲ ମିଡିଆରେ ନିଜ ଷ୍ଟେଟମେଣ୍ଟ ରଖିଛନ୍ତି ଶିଳ୍ପା । ଅଶ୍ଳୀଳ ସିନେମା ପ୍ରସ୍ତୁତ କରିବା ଏବଂ ତାକୁ ଆପ ଜରିଆରେ ରିଲିଜ୍ କରିବା ନେଇ ଗତ ୧୯ ଜୁଲାଇରେ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଛି ମୁମ୍ବାଇ କ୍ରାଇମବ୍ରାଂଚ ।