୩ ବର୍ଷ ପରେ ପୁଅକୁ ଭେଟିବେ ଶିଖର ଧାୱନ, କୋର୍ଟ କହିଲେ- କେବଳ ମାଆର ଛୁଆ ଉପରେ ନାହିଁ ଅଧିକାର

932

କନକ ବ୍ୟୁରୋ: ଭାରତୀୟ ଦଳର ଷ୍ଟାର ଖେଳାଳୀ ଶିଖର ଧାୱନଙ୍କୁ କୋର୍ଟରୁ ବଡ ଆଶ୍ୱସ୍ତି ମିଳିଛି । ଦିଲ୍ଲୀର ପଟିଆଲା ହାଉସ କୋର୍ଟ କ୍ରିକେଟର ଶିଖରଙ୍କ ଠାରୁ ଅଲଗା ରହୁଥିବା ପତ୍ନୀ ଆଏଶାଙ୍କୁ କହିଛନ୍ତି ୯ ବର୍ଷର ପୁଅକୁ ପରିବାର ସହ ସାକ୍ଷାତ କରିବାକୁ ଦିଅନ୍ତୁ । ସେଥିପାଇଁ ତାଙ୍କୁ ଭାରତ ଆଣିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

କୋର୍ଟ କହିଛନ୍ତି ଯେ କେବଳ ମାଆର ଶିଶୁ ଉପରେ ଅଧିକାର ନାହିଁ । ଦିଲ୍ଲୀର ପଟିଆଲା ହାଉସର ଫ୍ୟାମେଲି କୋର୍ଟ ନିକଟରେ କ୍ରିକେଟ ଖେଳାଳୀ ଶିଖରଙ୍କ ପତ୍ନୀ ଆଏଶାଙ୍କୁ ପୁଅକୁ ଭାରତ ଆଣିବା ପାଇଁ ନିର୍ଦ୍ଦେଶ ଦେଇ ଏହିଭଳି କହିଛନ୍ତି । ଶିଖରଙ୍କ ପରିବାର ୨୦୨୦ ଠାରୁ ତାଙ୍କ ପୁଅକୁ ଦେଖିନାହାନ୍ତି । ଉଭୟ ପତିପତ୍ନୀ ଛାଡପତ୍ର ନେବା ପରେ ପୁଅର ରକ୍ଷଣାବେକ୍ଷଣ ପାଇଁ ବିବାଦ ଆରମ୍ଭ କରିଦେଇଛନ୍ତି । ପ୍ରଥମେ ନିର୍ଣ୍ଣୟ ହୋଇଥିଲା ଯେ ଆସନ୍ତା ୧୭ ତାରିଖରେ ପରିବାରକୁ ଭେଟି ପାରିବେ ଶିଖରଙ୍କ ପୁଅ । ସେପଟେ ଆଏଶା ଏହି ନିର୍ଦ୍ଦେଶ ଉପରେ ଆପତ୍ତି ଜଣାଇ କହିଛନ୍ତି ପୁଅର ପାଠପଢା ଉପରେ ଏହାର ପ୍ରଭାବ ପଡିବ । ତେଣୁ ପରେ ଏହାକୁ ଜୁଲାଇ ୧ ତାରିଖ ପାଇଁ ନିର୍ଦ୍ଧାରିତ କରାଯାଇଛି । ଏହା ପରେ ମଧ୍ୟ ଆଏଶା ଏହା ଉପରେ ଆପତ୍ତି ଜଣାଇଛନ୍ତି ।