କନକ ବ୍ୟୁରୋ : ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଟିମକୁ ଝଟକା ଦେଇଛି କରୋନା । ଦଳର ୭ ଜଣ ସଦସ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି, ଯେଉଁଥିପାଇଁ ଆଜି ଟିମ୍ ଅଭ୍ୟାସ କରିବାକୁ ଓହ୍ଲାଇନଥିଲା । କରୋନାରେ ସଂକ୍ରମିତ ହୋଇଥିବା ଖେଳାଳୀଙ୍କୁ କ୍ୱାରେଣ୍ଟିନରେ ରହିବାକୁ ପଡିଛି । ତେଣୁ ଖେଳାଳୀଙ୍କର ସ୍ୱାସ୍ଥ୍ୟବସ୍ଥା କେମିତି ଅଛି ସେ ବାବଦରେ ଜାଣିବାକୁ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ରହିଥିବା ବେଳେ ଶିଖର ଧୱନ ନିଜର ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।
ଶିଖର ଧୱନ ଫଟୋ ଟ୍ୱିଟ୍ କରି ଲେଖିଛନ୍ତି, ଆପଣ ସମସ୍ତଙ୍କୁ ଧନ୍ୟବାଦ ଓ ଶୁଭକାମନା । ମୁଁ ଭଲ ଅଛି ଏବଂ ଆପଣଙ୍କ ଠାରୁ ମିଳିଥିବା ଭଲପାଇବା ଅନୁଭବ କରିପାରୁଛି । ଶିଖର ଧୱନ କରୋନାରେ ସଂକ୍ରମିତ ହେବା ଜଣାପଡିବା ପରେ କ୍ରିକେଟପ୍ରେମୀ ମାନେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ଆଉ ଲୋକଙ୍କ ଠାରୁ ଏଭଳି ଭଲପାଇବା ପରେ ଶିଖର ଟ୍ୱିଟରରେ ଫଟୋ ଛାଡି ନିଜ ସ୍ୱାସ୍ଥ୍ୟବସ୍ଥା ବାବଦରେ ଫ୍ୟାନଙ୍କୁ ଜଣାଇଛନ୍ତି ।
Thank you everyone for your wishes 🙏 I’m doing fine and humbled by all the love that’s come my way 😊 pic.twitter.com/oKvyXAwGk9
— Shikhar Dhawan (@SDhawan25) February 3, 2022
ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପୂର୍ବରୁ କରୋନାରେ ସଂକ୍ରମିତ ହୋଇଥିବା ଖେଳାଳୀଙ୍କ ମଧ୍ୟରେ ଶିଖର ଧୱନ, ଋତୁରାଜ ଗାଏକ୍ୱାଡ, ଶ୍ରେୟସ ଆୟର, ନବଦୀପ ସାଇନି ରହିଛି । ସେହିଭଳି ଫିଲ୍ଡିଂ କୋଚ୍ ଟି ଦିଲ୍ଲୀପ, ଥେରାପିଷ୍ଟ ରାଜୀବ କୁମାର ଓ ଅନ୍ୟ ଅଧିକାରୀ ବି ଲୋକେଶ ରହିଛନ୍ତି । ୪ ପ୍ରମୁଖ ଖେଳାଳୀ କରୋନାରେ ସଂକ୍ରମିତ ହେବା ପରେ ମୟଙ୍କ ଅଗ୍ରୱାଲଙ୍କୁ ଟିମରୁ ଡକରା ଆସିଛି । ଆସନ୍ତା ୬ ଫେବ୍ରୁଆରୀରୁ ଅହମ୍ମଦାବାଦରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ସିରିଜ ଖେଳିବ ଟିମ୍ ଇଣ୍ଡିଆ । ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରତ୍ୟେକ ମ୍ୟାଚ୍ ଅହମ୍ମଦାବାଦରେ ଖେଳାଯିବ ।