କନକ ବ୍ୟୁରୋ: ଟିମ୍ ଇଣ୍ଡିଆର ବାମହାତୀ ଷ୍ଟାର ଓପନର ଶିଖର ଧାୱନ୍ ଗତ ଗୋଟିଏ ବର୍ଷ ହେଲା ଦଳଠୁ ଦୂରରେ ରହିଛନ୍ତି । ୩୭ ବର୍ଷୀୟ ଏହି ଖେଳାଳି ଗତବର୍ଷ ବାଂଲାଦେଶ ବିପକ୍ଷରେ ନିଜର ଶେଷ ମ୍ୟାଚ୍ ଖେଳିଥିବାବେଳେ, ଆଇପିଏଲରେ ବି ତାଙ୍କ ଦଳ ପଞ୍ଜାବ କିଙ୍ଗସ୍ ସେମିିତି କିଛି ଚମତ୍କାର କରିପାରିନଥିଲା । ତେବେ ଶିଖର ଧାୱନଙ୍କୁ ନେଇ ଏବେ ଆସିଛି ବଡ ଖବର । ଖୁବଶୀଘ୍ର ସେ ଟିମ୍ ଇଣ୍ଡିଆକୁ ରିଟର୍ଣ୍ଣ କରିବା ସହିତ ବଡ ଟୁର୍ଣ୍ଣାମେଣ୍ଟରେ ଦଳର ମଙ୍ଗ ଧରିପାରନ୍ତି ବୋଲି ସୂଚନା ମିଳୁଛି ।
ଅସଲ କଥା ହେଉଛି, ଆସନ୍ତା ଅକ୍ଟୋବର ୮ ତାରିଖରୁ ଚୀନରେ ଏସିଆନ୍ ଗେମ୍ସର ଆୟୋଜନ ହେବାକୁ ଯାଉଛି । ଏହି ବଡ ଖେଳ ଇଭେଣ୍ଟରେ ଟିମ୍ ଇଣ୍ଡିଆର ଉଭୟ ପୁରୁଷ ଓ ମହିଳା କ୍ରିକେଟ୍ ଟିମ୍ ସାମିଲ ହେବ । ତେବେ ମିଡିଆ ରିପୋର୍ଟ ମୁତାବକ, ବିସିସିଆଇ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଶିଖର ଧାୱନଙ୍କୁ କ୍ୟାପଟେନ୍ କରିବା ସହିତ ଏନସିଏ ଚିଫ୍ ଭିଭିଏସ୍ ଲକ୍ଷ୍ମଣଙ୍କୁ କୋଚିଂ ଦାୟିତ୍ୱ ଦେଇପାରେ । ସେ ଜୁଲାଇ ୭ ତାରିଖରେ ବିସିସିଆଇ ଏନେଇ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରିପାରେ ବୋଲି ଜଣାପଡିଛି ।
ଜାଣିରଖିବା ଉଚିତ୍ ଯେ, ଅକ୍ଟୋବର ୫ ତାରିଖରୁ ନଭେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚୀନରେ ଏସିଆନ୍ ଗେମ୍ସର ଆୟୋଜନ ହେବ । ଏଥିରେ ଭାଗ ନେବାକୁ ପୁରୁଷ କ୍ରିକେଟ୍ ଟିମ୍ ଚୀନ ଗସ୍ତରେ ଯିବ । ତେବେ ଖାଲି ଶିଖର ଧାୱନଙ୍କ ନୁହଁନ୍ତି ଋତୁରାଜ ଗାଏକ୍ୱାଡ ଏବଂ ଜଶସ୍ୱୀ ଜୟସୱାଲଙ୍କ ଭଳି ଖେଳାଳି ମଧ୍ୟ ଏହି ବଡ ସ୍ପୋର୍ଟସ୍ ଇଭେଣ୍ଟରେ ସାମିଲ ହେଇପାରନ୍ତି ବୋଲି କୁହାଯାଉଛି ।
ସୂଚନାଯୋଗ୍ୟ ଯେ, ଏସିଆନ୍ ଗେମ୍ସରେ ତୃତୀୟ ଥର ପାଇଁ କ୍ରିକେଟକୁ ସାମିଲ କରାଯାଇଛି । ତେବେ ପୂର୍ବରୁ ବିସିସିଆଇ କିନ୍ତୁ ଏହି ସ୍ପୋର୍ଟସ ଇଭେଣ୍ଟକୁ ନିଜର କ୍ରିକେଟ୍ ଟିମ୍ ପଠାଇ ନଥିଲା । ୨୦୧୦ରେ ବାଂଲାଦେଶ ଏବଂ ପାକିସ୍ତାନ ଯଥାକ୍ରମେ ପୁରୁଷ ଏବଂ ମହିଳା ବର୍ଗରେ ସ୍ୱର୍ଣ୍ଣପଦକ ଜିତିଥିଲେ । ସେହିପରି ୨୦୧୪ରେ ଖେଳାଯାଇଥିବା ଏସିଆନ୍ ଗେମ୍ସରେ ଶ୍ରୀଲଙ୍କା ଏବଂ ପାକିସ୍ତାନ ଯଥାକ୍ରମେ ପୁରୁଷ ଏବଂ ମହିଳା ବର୍ଗରେ ସ୍ୱର୍ଣ୍ଣପଦକ ଜିତିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/06/0680df8670.jpg)