କିଏ ଏହି ଆୟେଶା ମୁଖାର୍ଜୀ? ଯାହାଙ୍କୁ ଫେସବୁକରେ ଦେଖିବା ପରେ ବିବାହ କରିଥିଲେ ଶିଖର ଧୱନ?

893

କନକ ବ୍ୟୁରୋ : କ୍ରିକେଟର ଶିଖର ଧୱନ-ଆୟେଶାଙ୍କ ଛାଡପତ୍ର ଏବେ କ୍ରିକେଟ ପ୍ରଂଶସକଙ୍କ ପାଇଁ ହଟ ଟପିକ ପାଲଟିଛି । ହଠାତ୍ ଆୟେଶାଙ୍କ ସହ ଶିଖରଙ୍କ ବିବାହ ବିଚ୍ଛେଦ ଖବରକୁ ସହଜରେ ଗ୍ରହଣ କରିପାରୁନାହାନ୍ତି କ୍ରିକେଟ ପ୍ରଂଶସକ । ହସଖୁସିରେ ଶିଖର-ଆୟେଶାଙ୍କ ସଂସାର ଆଗକୁ ବଢୁଥିବା ବେଳେ ହଠାତ୍ କାହିଁକି ଏଭଳି ନିଷ୍ପତ୍ତି ନେଲେ ତାହା ସମସ୍ତଙ୍କୁ ଚକିତ କରିଦେଇଛି । ତେବେ ଏନେଇ ଶିଖରଙ୍କୁ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ୨୦୧୨ରେ ବେଶ ଧୂମଧାମରେ ଆୟେଶାଙ୍କୁ ବିବାହ କରିଥିଲେ ଶିଖର । କିନ୍ତୁ ମାତ୍ର ୯ ବର୍ଷ ମଧ୍ୟରେ ଶିଖର-ଆୟେଶାଙ୍କ ବୈବାହିକ ପାର୍ଟନରସିପରେ ପୂର୍ଣ୍ଣଚ୍ଛେଦ ପଡିଛି । ତେବେ କିଏ ଏହି ଆୟେଶା ଯାହାଙ୍କ ହାତ ଧରିଥିଲେ ଶିଖର ଧୱନ?

୨୦୦୯ ଯାଏଁ ଆୟେଶା ମୁଖାର୍ଜୀ ଶିଖରଙ୍କ ପାଇଁ ଅଜଣା ଥିଲେ । କାରଣ ଆୟେଶା ଅଷ୍ଟ୍ରେଲିଆରେ ପରିବାର ସହ ରହୁଥିଲେ । ପେଶାରେ କିକ୍ ବକ୍ସର ଥିବା ଆୟେଶାଙ୍କ ଜନ୍ମ ପଶ୍ଚିମବଙ୍ଗରେ ହୋଇଥିଲା । ତେବେ ମାତ୍ର ୮ ବର୍ଷ ବୟସରେ ପରିବାର ସହ ଅଷ୍ଟ୍ରେଲିଆ ଚାଲି ଯାଇଥିଲେ ଆୟେଶା । ତାଙ୍କ ମା’ ଭାରତୀୟ ହୋଇଥିବା ବେଳେ ବାପା ବ୍ରିଟିଶ ବଂଶୋଦ୍ଭବ । ଅଷ୍ଟ୍ରେଲିଆ ଚାଲି ଯିବା ପରେ କ୍ରିକେଟ ଓ ଫୁଟବଲ ପ୍ରତି ଆୟେଶାଙ୍କର ରୁଚି ରହିଥିଲେ ମଧ୍ୟ କିକ୍ ବକ୍ସିଂକୁ ଅଧିକ ପସନ୍ଦ କରିଥିଲେ ଆୟେଶା । ସେଠାରେ ଜଣେ ସଫଳ ବ୍ୟବସାୟୀଙ୍କୁ ବିବାହ କରିଥିଲେ ଆୟେଶା । ଦୁଇଟି ଝିଅ ଜନ୍ମ ହେବା ପରେ କୌଣସି କାରଣବସତଃ ପ୍ରଥମ ସ୍ୱାମୀଙ୍କ ସହ ଛାଡପତ୍ର ହୋଇଥିଲା । ଆଉ ଏହାପରେ ଆୟେଶାଙ୍କ ଜୀବନରେ ଧୱନଙ୍କ ଏଣ୍ଟ୍ରି ହୋଇଥିଲା ।

ଶିଖର-ଆୟେଶାଙ୍କ ସମ୍ପର୍କ ସୋସିଆଲ ମିଡ଼ିଆରୁ ହିଁ ଆରମ୍ଭ ହୋଇଥିଲା । ସାଥୀ କ୍ରିକେଟର ହରଭଜନ ସିଂଙ୍କ ଆକାଉଣ୍ଟରେ ଆୟେଶାଙ୍କ ଫଟୋ ଦେଖିଥିଲେ ଶିଖର । ସଙ୍ଗେ ସଙ୍ଗେ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇ ବନ୍ଧୁ ସାଜିଥିଲେ ଶିଖର । ପରେ ଫୋନରେ କଥା ହେଉ ହେଉ ପରସ୍ପରକୁ ଭଲପାଇ ବସିଥିଲେ ଆୟେଶା-ଶିଖର । ଏହାର କିଛି ଦିନ ପରେ ଶିଖର ଆୟେଶାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ, ଆୟେଶା ମଧ୍ୟ ରାଜି ହୋଇ ଯାଇଥିଲେ । ତେବେ ଶିଖରଙ୍କ ପରିବାର ଏହି ପ୍ରସ୍ତାବରେ ପ୍ରଥମରୁ ରାଜି ନଥିଲେ । କାରଣ ଶିଖରଙ୍କ ଠାରୁ ଆୟେଶା ବୟସରେ ୧୦ ବର୍ଷ ବଡ ଥିବାବେଳେ ପ୍ରଥମ ସ୍ୱାମୀଙ୍କ ସହ ବିବାହ ବିଚ୍ଛେଦ କରିଥିଲେ । ଏପରିକି ପ୍ରଥମ ସ୍ୱାମୀଙ୍କ ଠାରୁ ତାଙ୍କର ୨ଟି ଝିଅ ମଧ୍ୟ ଥିଲେ । ଏହାସତ୍ତେ୍ୱ ମଧ୍ୟ ଶିଖର ନିଜ ପରିବାରକୁ ମନାଇବା ସହ ୨୦୧୨ରେ ଆୟେଶାଙ୍କ ହାତ ଧରିଥିଲେ । ଏପରିକି ଦୁଇ ଝିଅକୁ ମଧ୍ୟ ନିଜର କରି ନେଇଥିଲେ ଶିଖର । ପରେ ୨୦୧୪ରେ ଶିଖର-ଆୟେଶା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ।

ଶିଖରଙ୍କ ସହ ବିବାହ ପରେ ଆୟେଶା ନିଜର ସରନେମ ମଧ୍ୟ ବଦଳାଇ ଧୱନ କରିଥିଲେ । ପୂର୍ବରୁ ଅଷ୍ଟ୍ରେଲିଆରେ ପରିବାର ସହ ବାସ କରୁଥିବା ଆୟେଶା ବିବାହ ପରେ ପ୍ରାୟତଃ ଭାରତରେ ରହୁଥିଲେ । ଆଇପିଏଲର ବିଭିନ୍ନ ମ୍ୟାଚରେ ଶିଖର ଧୱନଙ୍କୁ ଚିୟରଅପ୍ କରିବାକୁ ଷ୍ଟାଡିୟମରେ ପହଞ୍ଚୁଥିଲେ ଆୟେଶା । ଏପରିକି ନିଜ କ୍ରିକେଟ କ୍ୟାରିୟରର ଯେଉଁ ସଫଳତା ମିଳିଥିଲା ତାହାର ଶ୍ରେୟ ଆୟେଶାଙ୍କୁ ଦିଅନ୍ତି ଶିଖର । ବିବାହ ପରେ ଶିଖର ଭାରତୀୟ ଦଳରେ ସ୍ଥାନ ପାଇବା ହେଉ କି ଦମଦାର ପ୍ରଦର୍ଶନ ସବୁର ଶ୍ରେୟ ଆୟେଶାଙ୍କୁ ଦିଅନ୍ତି ଶିଖର ।