କନକ ବ୍ୟୁରୋ: ଭାରତ-ନ୍ୟୁଜିଲାଣ୍ଡ ଭିତରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ବର୍ଷା କାରଣରୁ ଅଧାରୁ ରଦ୍ଦ ଘୋଷଣା କରାଯାଇଛି । ଆଉ ଏହି ମ୍ୟାଚ୍ ରଦ୍ଦ ହେବା ପରେ ଏବେ ନ୍ୟୁଜିଲାଣ୍ଡ ସିରିଜରେ ୧-୦ରେ ଆଗୁଆ ରହିଛି । ତେବେ ଆଜି ଭାରତ ପ୍ରଥମେ ବ୍ୟାଟିଂ କରି ୧୨.୫ ଓଭରରେ ୮୯ ରନ୍ କରିଥିଲା । ଆଉ ବର୍ଷା ହେବାରୁ ମ୍ୟାଚରୁ ଅଧାରୁ ବନ୍ଦ କରିବାକୁ ପଡିଥିଲା । ତେବେ ଆଜିର ଏହି ମ୍ୟାଚରେ ଚୂଡାନ୍ତ ଏକାଦଶକୁ ନେଇ ବିବାଦ ସୃଷ୍ଟି ହୋଇଛି ।

Advertisment

ଦ୍ୱିତୀୟ ଦିନିକିଆରେ ସଞ୍ଜୁ ସାମସନଙ୍କୁ ଦଳରେ ସୁଯୋଗ ନମିଳିବା ନେଇ ଫ୍ୟାନ୍ସମାନେ ନିରାଶା ଜାହିର କରିଛନ୍ତି । ପ୍ରଥମ ଦିିନିକିଆରେ ଭଲ ପ୍ରଦର୍ଶନ କରିଥିଲେ ବି ସଞ୍ଜୁଙ୍କୁ କାହିଁକି ଦ୍ୱିତୀୟ ଦିିନିକିଆରୁ ବାଦ୍ ଦିଆଗଲା, ସେନେଇ ପ୍ରଶ୍ନ ଉଠାଇଛନ୍ତି କ୍ରିକେଟ୍ ପ୍ରେମୀ ।

ତେବେ ଦଳର ଅଧିନାୟକ ଶିଖର ଧାୱନ୍ ସଞ୍ଜୁ ସାମସନଙ୍କୁ ଦଳରୁ ଦୂରେଇ ରଖିବାର କାରଣ କହିଛନ୍ତି, ମ୍ୟାଚ୍ ପରେ ଶିଖର କହିଛନ୍ତି, ସେ ଦଳରେ ଷଷ୍ଠ ବୋଲିିଂ ବିକଳ୍ପକୁ ସୁଯୋଗ ଦେବାକୁ ଚାହୁଁଥିଲେ । ଏହି କାରଣରୁ ସେ ଦୀପକ ହୁଡାଙ୍କୁ ଦଳରେ ସ୍ଥାନ ଦେଇଥିଲେ । ଯାହା ଫଳରେ ସଞ୍ଜୁ ସାମସନଙ୍କୁ ବାହାରେ ବସିବାକୁ ପଡିଥିଲା । ସେହିପରି ବଲକୁ ଭଲ ସ୍ୱିଙ୍ଗ୍ କରିପାରୁଥିବା କାରଣରୁ ଦୀପକ ଚହରଙ୍କୁ ସୁଯୋଗ ମିଳିଥିଲା ବୋଲି ଶିଖର କହିଛନ୍ତି ।

ସୂଚନାଯୋଗ୍ୟ ଯେ, ସଞ୍ଜୁ ସାମସନଙ୍କୁ ପ୍ରଥମ ଦିିନିିକିଆରେ ସୁଯୋଗ ମିଳିଥିଲା । ଯେଉଁଥିରେ ସେ ୩୬ ରନର ଇଂନିସ ଖେଳିଥିଲେ । ହେଲେ ଦ୍ୱିତୀୟ ଦିନିକିଆରେ କିନ୍ତୁ ତାଙ୍କୁ ସୁଯୋଗ ମିଳିନଥିଲା । ଯେଉଁ କାରଣରୁ କ୍ରିକେଟପ୍ରେମୀମାନେ ସଞ୍ଜୁଙ୍କ ପ୍ରତି ଅନ୍ୟାୟ ହେଉଛି ବୋଲି ସୋସିଆଲ୍ ମିଡିଆରେ ଅସନ୍ତୋଷ ଜାହିର କରିଥିଲେ ।