ପବନ କମିବା ପରେ ପାରାଦୀପରେ ଘରକୁ ଫେରିଛନ୍ତି ସ୍ଥାନାନ୍ତର ହୋଇଥିବା ଲୋକେ : କହିଲେ, ବିପଦ ଟଳି ଯାଇଥିବାରୁ ଆଶ୍ୱସ୍ତ ; ପ୍ରଶାସନକୁ ଜଣାଇଲେ ଧନ୍ୟବାଦ

323

କନକ ବ୍ୟୁରୋ : ବାତ୍ୟା ୟାସର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଛି । ପାରାଦୀପକୁ ଆଉ କୌଣସି ବିପଦ ନଥିବାରୁ ଲୋକେ ବାତ୍ୟା ଆଶ୍ରୟ ସ୍ଥଳୀରୁ ନିଜ ନିଜ ଘରକୁ ଫେରୁଛନ୍ତି । ବଡ଼ କଥା ହେଉଛି ଲୋକଙ୍କ ଜୀବନ ପ୍ରତି ବିପଦ ଥିବାରୁ କଚ୍ଚା ଘରୁ ଲୋକଙ୍କୁ ଉଦ୍ଧାର କରି ପ୍ରଶାସନ ବିଭିନ୍ନ ଆଶ୍ରାୟ ସ୍ଥଳୀରେ ରଖିଥିଲେ । ପାରଦିପରେ ପ୍ରାୟ ୨୦ଟି ଆଶ୍ରୟ ସ୍ଥଳରେ ୨ହଜାର ଲୋକଙ୍କୁ ରଖାଯାଇଥିଲା । ଲ୍ୟାଣ୍ଡ ଫଲ ପ୍ରକ୍ରିୟା ଶେଷ ହେବା ପରେ ଲୋକେ ତାଙ୍କ ଆସଭାବପତ୍ର ଧରି ଘରକୁ ଫେରୁଛନ୍ତି ।

ସେପଟେ, ଯାଜପୁରରେ ସରପଂଚ ଓ ଥାନା ଅଧିକାରୀଙ୍କ ମିଳିତ ଉଦ୍ୟମରେ ବସ୍ତି ବାସିନ୍ଦାଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ଯାଜପୁର ଜିଲ୍ଲାରେ ୟାସ ବାତ୍ୟାର ମୁକାବିଲା ପାଇଁ ଆଗକୁ ଆସିଛନ୍ତି ସୁକିନ୍ଦା ବ୍ଲକର ସରପଂଚ ବିଶ୍ୱଜିତ ମହାନ୍ତି ଓ କାଳିଆପାଣି ଥାନା ଅଧିକାରୀ ରମାକାନ୍ତ ମୁଦୁଲି । ମାଙ୍କେଡ଼ିଆ ବସ୍ତିରେ ରହୁଥିବା ୩୦ରୁ ଅଧିକ ପରିବାରକୁ ବାତ୍ୟା ଅଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି ।

ଜଣେ ବୃଦ୍ଧା ଚାଲି ନପାରିବାରୁ ତାଙ୍କୁ ଖଟିଆରେ ସରପଂଚ ଓ ତାଙ୍କ କର୍ମିମାନେ ନିଜ କାନ୍ଧରେ ବୋହି ନେଇ ବାତ୍ୟା ଆଶ୍ରୟସ୍ଥଳୀରେ ରଖିଥିଲେ । ସମସ୍ତ ପରିବାରକୁ ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ, ମାସ୍କ ଓ କ୍ୟାଣ୍ଡେଲ ଯୋଗାଇ ଦିଆଯାଇଛି । କରୋନା ମହାମାରୀ ସମୟରେ କିଭଳି ଲୋକେ ସୁସ୍ଥ ରହିବେ ସେ ନେଇ ଲୋକଙ୍କୁ ସଚେତନ କରାଇଥିଲେ ସରପଂଚ ।