ଏଣିକି ବିଜୁଳି ବିଲ୍ ଆଦାୟ କରିବେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା । ଘରକୁ ଘର ଯାଇ ଆଦାୟ ହେବ ଟଙ୍କା ।

365

କନକ ବ୍ୟୁରୋ : ଆଗକୁ ପଞ୍ଚାୟତ ନିର୍ବାଚନ । ଶାସକ ଦଳର ସବୁଠାରୁ ବଡ ଭୋଟ ବ୍ୟାଙ୍କ କୁହାଯାଉଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବାବଦରେ ଏକ ବଡ ନିଷ୍ପତ୍ତି ହୋଇଛି । ଗାଁ ଗହଳିରେ ମିଟର ରିଡିଂ, ବିଜୁଳି ବିଲ ଆଦାୟ କରିବାକୁ ଏସଏଚଜିଙ୍କୁ ଦାୟିତ୍ୱ ମିଳିଛି । ବିଧାନସଭା ଶକ୍ତି ବିଭାଗ ଷ୍ଟାଣ୍ଡିଂ କମିଟି ବୈଠକରେ ଏହି ବଡ ନିଷ୍ପତି ନିଆଯାଇଛି । ପୂର୍ବରୁ ଧାନ କିଣିବାଠାରୁ ଆରମ୍ଭ କରି ଗାଁ ଗହଳିରେ ମହିଳାକୁ ସ୍ୱାବଲମ୍ବୀ କରିବାକୁ ଏକାଧିକ ପଦକ୍ଷେପ ନେଉଥିବା ଏହି ଗ୍ରୁପ ଏବେ ବିଜୁଳି କ୍ଷେତ୍ରରେ ମଧ୍ୟ କାର୍ଯ୍ୟ କରିବାକୁ ନିଷ୍ପତ୍ତି ହୋଇଛି । ଯାହାକୁ ନେଇ ଅନେକ ପ୍ରଶ୍ନ ବି ଉଠିଛି ।

ବଢ଼ିଲା ସ୍ୱୟଂ-ସହାୟକ ଗୋଷ୍ଠୀଙ୍କ ଦାୟିତ୍ୱ । ରାଜ୍ୟସାରା ବିଜୁଳି ବିଲ୍ ଆଦାୟ କରିବେ ମହିଳା । ବିଧାନସଭା ଶକ୍ତି ବିଭାଗର ଷ୍ଟାଣ୍ଡିଙ୍ଗ କମିଟି ବୈଠକରେ ନିଆଯାଇଛି ଏମିତି ବଡ ନିଷ୍ପତି । ବିଜୁଳି ବିଲ୍ ଆଦାୟ କରିବାକୁ ଆପଣଙ୍କ ଘରକୁ ଏଣିକି ଆଉ କୌଣସି ବିଦ୍ୟୁତ୍ ବିଭାଗର କର୍ମଚାରୀ ଆସିବେ ନାହିଁ । ସ୍ୱୟଂ- ସହାୟକ ଗୋଷ୍ଠିର ମହିଳାମାନେ ଆପଣଙ୍କ ଘରକୁ ଆସି ବିଲ୍ ଆଦାୟ କରିବେ । ଏଥିସହ ପ୍ରତି ମାସ ଶେଷରେ ଗ୍ରାହକଙ୍କୁ ବିଲ୍ ଦେବା ପାଇଁ ଓ ଠିକଣା ସମୟରେ ବିଲ୍ ଆଦାୟ ପାଇଁ ପଦକ୍ଷେପ ନେବାକୁ ଟାଟା ପାୱାରକୁ କୁହାଯାଇଛି ।

ଶକ୍ତି ବିଭାଗ ଷ୍ଟାଣ୍ଡିଂ କମିଟିର ନିଷ୍ପତ୍ତିକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ଉଠିଛି ।
ପ୍ରଶ୍ନ ନଂ -୧
– କୌଣସି ଅଭିଜ୍ଞତା ନଥାଇ ସ୍ୱୟଂ ସହାୟକ ଗୋଷ୍ଠୀମାନେ କେମିତି ବିଜୁଳି ବିଲ୍ ଆଦାୟ କରିବେ ?
ପ୍ରଶ୍ନ ନଂ -୨
– ଗୋଟିଏ ଗାଁରେ ଏକାଧିକ ସ୍ୱୟଂ ସହାୟକ ଗୋଷ୍ଠୀ ରହିଥିବାବେଳେ କାହାକୁ ଓ କେଉଁ ଆଧାରରେ ଚୟନ କରାଯିବ ?
ପ୍ରଶ୍ନ ନଂ -୩
– ସ୍ୱୟଂସହାୟକ ଗୋଷ୍ଠୀଙ୍କ ଚୟନ ପାଇଁ କିଛି ମାପଦଣ୍ଡ ସ୍ଥିର କରାଯାଇଛି କି ?
ପ୍ରଶ୍ନ ନଂ -୪
– ମହିଳାମାନେ ବିଦ୍ୟୁତ୍ ବିଲ୍ ଆଦାୟ କରିବାବେଳେ ଅପ୍ରୀତିକର ପରିସ୍ଥିତି ଉପୁଜିବ ନାହିଁ ତ ?

ପ୍ରଶ୍ନ ନଂ -୫
– ପୂର୍ବରୁ ଧାନ କିଣିବାକୁ ଏସଏଚଜି ଦାୟିତ୍ୱ ପାଇଥିଲା, ଯେଉଁଥିରେ ବିବାଦୀୟ ସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଥିଲା । ବିଜୁଳି ବିଲ୍ ଆଦାୟବେଳେ ସମାନ କଥା ଘଟିବନି ତ?

ଷ୍ଟାଣ୍ଡିଂ କମିଟି ବୈଠକରେ ଆଉ ଏକ ବଡ ନିଷ୍ପତି ନିଆଯାଇଛି । ପ୍ରିପେଡ ମୋବାଇଲ ଭଳି ବିଜୁଳି ପାଇଁ ପ୍ରିପେଡ ସ୍ମାର୍ଟ ମିଟର ଲାଗିବ । ଯେଉଁ ଗ୍ରାହକ ଚାହିଁବେ ପ୍ରିପେଡ୍ ସ୍ମାର୍ଟ ମିଟର ଲଗାଇପାରିବେ । ସିମ୍ କାର୍ଡ ଜରିଆରେ ଜଣେ ଯେତିକି ଅର୍ଥ ପଇଠ କରିଥିବେ ସେତିକି ମୂଲ୍ୟର ବିଜୁଳି ଜାଳି ପାରିବେ । ଏହା ଦ୍ୱାରା ବିଜୁଳି ଚୋରି ରୋକାଯିବା ସହ ଅନାବଶ୍ୟକ ବ୍ୟବହାର ରୋକା ଯାଇପାରିବ ବୋଲି ଷ୍ଟାଣ୍ଡିଂ କମିଟି ଆକଳନ କରାଯାଇଛି ।