କନକ ବ୍ୟୁରୋ : ରୋଜଗାର ପାଇଁ କିଏ ମିଲେଟ ମିଶନର ସାହାରା ନେଉଛି ତ ଆଉ କିଏ କୁକୁଡା ଚାଷ କରୁଛି । ଠିକ୍ ସେହିଭଳି ପରିବା ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି ଗଞ୍ଜାମ ଖଲ୍ଲିକୋଟ ଅଂଚଳର ଏସଏଚଜି ମହିଳା । ମା ଦୁର୍ଗା ଏସଏଚଜିର ମହିଳା ମାନେ ଦୀର୍ଘ ୩ବର୍ଷ ହେଲା ପରିବା ଚାଷ କରୁଥିବା ବେଳେ ପରିବା ବିକ୍ରି କରି କିଛି କିଛି ରୋଜଗାର କରିପାରୁଛନ୍ତି । ମହିଳା ମାନେ ପ୍ରଥମେ ଏକ ଲକ୍ଷ ଟଙ୍କା ଋଣ କରି ୫ଏକର ଜମି ଲିଜ ନେଇ ପରିବା ଚାଷ ଆରମ୍ଭ କରିଥିଲେ । ଜମିରେ ଚିନାବାଦାମ, ଆଖୁ, ମକା, ବାଇଗଣ, କଞ୍ଚାଲଙ୍କା, ପୋଟଳ, ଅମୃତଭଣ୍ଡା, ଭେଣ୍ଡି ଓ ଲାଉ ଭଳି ବିଭିନ୍ନ ପରିବା ଚାଷ କରିଥିଲେ । ପରେ ଅଧିକ ରୋଜଗାରର ଆଶା ନେଇ ପୁଣି ୬ଲକ୍ଷ ଟଙ୍କା ଋଣ ନେଇ ଅଧିକ ପନିପରିବା ଚାଷ କରିଛନ୍ତି । ଏବେ ଏହି ଏସଏଚଜି ମହିଳା ମାନେ ବିଲରେ ନିଜେ କାମ କରିବା ସହ ମାସିକ ୧୦ ରୁ ୧୫ ହଜାର ଟଙ୍କା ରୋଜଗାର କରିପାରୁଛନ୍ତି । ଆସୁଥିବା ଟଙ୍କାରେ ଋଣ ପରିଶୋଧ କରିବା ସହ ସଂଚୟ ମଧ୍ୟ କରୁଛନ୍ତି । ତେବେ ଏସଏଚଜି ଗଠନ ପୂର୍ବରୁ ମହିଳା ମାନେ ଘରେ ବସି ରହୁଥିବା ବେଳେ ଘର ଚଳାଇବା ପାଇଁ ସେମାନଙ୍କୁ ଅନ୍ୟ ଉପରେ ନିର୍ଭର କରିବାକୁ ପଡୁଥିଲା । ଏବେ ଆଉ କାହା ଉପରେ ନିର୍ଭର ନକରି ନିଜସ୍ୱ ରୋଜଗାରରେ ପରିବାର ଚଳାଉଛନ୍ତି ।
ଜମିରୁ ଅମଳ ହେଉଥିବା ପନିପରିବାକୁ ମହିଳା ମାନେ ବିକ୍ରି ପାଇଁ ବଜାରକୁ ନେବାକୁ ପଡ଼ୁନାହିଁ । କାରଣ ପରିବା ଦୋକାନୀ ମାନେ ଜମି ପାଖକୁ ଆସି ତୋଳା ଯାଇଥିବା ପରିବାକୁ ନେଇଯାଉଛନ୍ତିି । ଜମି ପାଖରେ ତାଜା ପରିବା ମିଳୁଥିବାରୁ ବ୍ୟବସାୟୀ ମଧ୍ୟ ଖୁସିରେ ପରିବା ନେବା ସହ ଉଚିତ ଦାମ ଦେଉଛନ୍ତି । ଗ୍ରୁପର ୧୦ ଜଣ ମହିଳା ମିଶି ପରିବା ବିଲରେ ଚାଷ କରୁଛନ୍ତି । କିଏ କୋଡି କୋଦାଳ ଧରି ବିଲରେ କୋଡା ଖୋସା କରୁଛି ତ କିଏ ପାଇପ ଧିରି ଫସଲରେ ପାଣି ମଡାଉଛି । ଆଉ କିଏ ଘାସ ବାଛି ଜମିକୁ ସଫା କରୁଛି ।
ଦିନେ ଘର କାମରେ ସୀମିତ ରହୁଥିବା ମହିଳା ଏବେ ପରିବା ଚାଷ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି । ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି ।