କନକ ବ୍ୟୁରୋ : ପାରମ୍ପରିକ ପଦ୍ଧତିରେ ନୁହେଁ ମେସିନ ସାହାଯ୍ୟରେ ପ୍ରସ୍ତୁତ ହେଉଛି ମୁଢ଼ି । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ କୁଶୁଡା ଗାଁର ୧୨ ଜଣ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରି ମୁଢ଼ି ବ୍ୟବସାୟ କରୁଛନ୍ତି । ମାତ୍ର ୧ ଲକ୍ଷ ୭୫ ହଜାର ଟଙ୍କାରେ ଆରମ୍ଭ ହୋଇଥିବା ଏହି ବ୍ୟବସାୟ ୫ ବର୍ଷ ଭିତରେ ପାଖାପାଖି ୩ ଲକ୍ଷ ଲାଭ ଦେଲାଣି ।ଏହାଦ୍ବାରା ୧୨ ଜଣ ମହିଳା ଆତ୍ମନିର୍ଭର ହୋଇପାରିଛନ୍ତି । ୧୦ ବର୍ଷ ତଳେ କୁସୁଡ଼ା ଗାଁର ୧୨ ଜଣ ମହିଳା ମାନେ ଏକତ୍ରିତ ହୋଇ ଜୟଜଗନ୍ନାଥ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରିଥିଲେ । ସେତେବେଳେ ମହିଳାମାନଙ୍କ ଆର୍ଥିକ ସ୍ଥିତି ସେତେଟା ସ୍ୱଚ୍ଛଳ ନଥିଲା । ଜଣେ ରୋଜଗାର କଲେ ପୁରା ପରିବାର ଚଳୁଥିଲା। ଅଭାବ ଅନାଟନ ଭିତରେ ମହିଳା ମାନଙ୍କୁ ଘର ଚଳେଇବା ସହ ପିଲା ଛୁଆଙ୍କୁ ପାଠ ପଢ଼ାଇବା ପାଇଁ ପଡ଼ୁଥିଲା । ରୋଜଗାର କରିବା ଲକ୍ଷ୍ୟ ନେଇ ୧୨ ଜଣ ମହିଳା ୨୦୧୪ ମସିହାରେ ଝଐଏ ଗଠନ କରିଥିଲେ । ସେଥିରୁ ଯାହା କିଛି ଋଣ ମିଳୁଥିଲା ଚାଷ କାର୍ୟ୍ୟ ଓ ସ୍ୱାମୀଙ୍କ ବ୍ୟବସାୟରେ ବିନିଯୋଗ କରୁଥିଲେ । ସେଥିରେ ବି ପରିବାର ଚାଲିବା ବହୁତ କଷ୍ଟ ହୋଇ ପଡୁଥିଲା    । ଆଉ ରୋଜଗାର ପାଇ କ’ଣ କରିବେ ଅନେକ ଚିନ୍ତା କରି ୨୦୧୯ରେ ଆରମ୍ଭ କଲେ ମୁଢ଼ି ବ୍ୟବସାୟ । ମୁଢି ଭଜା ମିଲ ବସାଇବା ପାଇଁ ନିଷ୍ପତି ନେଇଥିଲେ ୧୨ ଜଣ ମହିଳା । କିଛି ରୁଣ ନେଇ ପ୍ରଥମେ ମୁଢ଼ି ଭଜା ମିଲ ବସାଇଲେ । ପ୍ରଥମେ କିଛି ମାସ ସାମାନ୍ୟ କ୍ଷତି ସହିବା ପରେ ଏବେ ସେହି ବ୍ୟବସାୟରୁ ମାସକୁ ପାଖାପାଖି ୨ ହଜାର ଟଙ୍କା ରୋଜଗାର କରୁଛନ୍ତି ଜଣେ ଜଣେ ମହିଳା ।

Advertisment

ଏବେ ଏହି ମୁଡି ବ୍ୟବସାୟ କରି ଚର୍ଚ୍ଚାରେ ଭୋଗରାଇ କୁଶୁଡା ଗାଁର ଏସଏଚଜି ମହିଳା । ମୁଢ଼ି ବ୍ୟବସାୟ ଏକ ଲାଭଜନକ ବ୍ୟବସାୟ ହେଇଥିବା ବେଳେ ଏହାକୁ ଆପଣେଇ ଗାଁର ୧୨ ଜଣ ମହିଳା ସ୍ୱାବଲମ୍ବୀ ହୋଇପାରିଛନ୍ତି । ସ୍ଥାନୀୟ ବାଜାରୁ ଚାଉଳ କିଣି ତାକୁ ଭାଜି ବିକ୍ରି କରିବା ସହ ଲୋକ ମାନେ ଚାଉଳ ଦେଲେ ତାକୁ ମଧ୍ୟ ଭାଜି କେଜି ହିସାବରେ କିଛି ରୋଜଗାର କରୁଛନ୍ତି । ବଜାରରେ ମୁଡି ଚାହିଦା ଅଧିକ ରହୁଥିବାରୁ ଭଲ ବ୍ୟବସାୟ ମଧ୍ୟ ହେଉଛି । ଏହି ମହିଳା ମାନେ ପ୍ରତିଦିନ ପାଖାପାଖି ୧୦୦ କେଜିରୁ ୧୫୦ କେଜି ମୁଢ଼ି ପ୍ରସ୍ତୁତ କରୁଛନ୍ତି । ପ୍ରସ୍ତୁତ ହେଉଥିବା ମୁଢ଼ି ସ୍ଥାନୀୟ ବଜାର ସହ ଆଖ ପାଖ ଅଂଚଳରେ ବିକ୍ରି କରାଯାଉଛି । ମୁଢ଼ିର ଅଧିକ ଚାହିଦା ରହିଥିବାରୁ ଏହି ଗାଁର ମହିଳା ମାନେ ସ୍ଥାନୀୟ ଅଂଚଳରେ ବେଶ ପରିଚିତ ହେଇପାରିଛନ୍ତି । ଏବଂ ଅନ୍ୟ ମହିଳା ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଏହି ଗାଁର ମହିଳା ମାନେ ।

ବ୍ୟବସାୟ କ୍ଷେତ୍ରରେ କେବଳ ପୁରୁଷ ଲୋକମାନେ ଯେ ସଫଳ ହୁଅନ୍ତି ତା ନୁହେଁ ମହିଳା ମାନେ ମଧ୍ୟ ସବୁକ୍ଷେତ୍ରରେ ଆଗୁଆ ବୋଲି ପ୍ରମାଣିତ କରିଛନ୍ତି ।