ଆଠଗଡ ଅଞ୍ଚଳର ମହିଳାଙ୍କ ନିଆରା ଉଦ୍ୟମ । ବିରି ବଡ଼ି ତିଆରି କରି କରୁଛନ୍ତି ଭଲ ରୋଜଗାର

164

କନକ ବ୍ୟୁରୋ : ଓଡ଼ିଆ ଘରର ଏକ ପ୍ରିୟ ଖାଦ୍ୟ ଭାବେ ବଡ଼ିର ସ୍ୱତନ୍ତ୍ରତା ରହିଛି । ପଖାଳ ସାଙ୍ଗକୁ ସାଗ ଭଜା ଓ ବଡ଼ି ଚୁରା ନହେଲେ ଯେମିତି, ପଖାଳ ଖିଆଟା ଜମିନଥାଏ । ସେ ଘରେ ହେଉ ଅବା ହୋଟେଲ କିମ୍ବା ରେଷ୍ଟୁରାଂଟ ସବୁଠି ମେନୁରେ ରହିଥାଏ ବଡ଼ି । ସବୁଆଡ଼େ ଏହାର ଚାହିଦାକୁ ନଜରରେ ରଖି ଆଠଗଡ଼ ଖୁଂଟୁଣୀ ପଂଚାୟତ ରମ୍ପେଇ ଗାଁର ଜୟ ବଜରଙ୍ଗବଲୀ ଗ୍ରୁପର ମହିଳା ମାନେ ବଡ଼ି ବ୍ୟବସାୟ କରୁଛନ୍ତି । ଘର କାମ ସାରି ମହିଳା ମାନେ ଏକାଠି ହୋଇ ବଡ଼ି ପ୍ରସ୍ତୁତ କରିବାରେ ଲାଗିପଡ଼ିନ୍ତି । ପ୍ରଥମେ ବିରିକୁ ଭିଜାଇ, ଗ୍ରାଇଣ୍ଡିଂ କରିବା ପରେ ଏହାକୁ ନରମ ଓ ହାଲୁକା କରିବା ପାଇଁ ବିରିକୁ ଫେଣାଯାଇଥାଏ । ଏହାପରେ ଜରି ଅଖା ହେଉ ଅବା ଟ୍ରେରେ ବଡ଼ି ପାରନ୍ତି ମହିଳା । ପୂର୍ବରୁ ନିଜ ହାତରେ ମହିଳା ମାନେ ବଡ଼ି ପ୍ରସ୍ତୁତ କରୁଥିଲେ । ଏବେ ମେସିନରେ ବଡ଼ି ତିଆରି କରି ଅଧିକ ଉତ୍ପାଦନ କରିପାରୁଛନ୍ତି ।

ଦିନକୁ ମହିଳା ମାନେ ପ୍ରାୟ ୧୦ କେଜି ବଡ଼ି ପ୍ରସ୍ତୁତ କରୁଛନ୍ତି । ମାସକୁ ପାଖାପାଖି ୩ କୁଇଂଟାଲ ବଡ଼ି ବଜାରକୁ ଯୋଗାଣ କରୁଛନ୍ତି । କଟକ, ଆଠଗଡ଼, ଖୁଂଟୁଣୀ, କରଡ଼ି ବଜାରକୁ ବିକ୍ରି ପଠାଯାଉଛି ଏହି ମହିଳା ପ୍ରସ୍ତୁତ କରୁଥିବା ବଡ଼ି । ପ୍ରାୟ ବର୍ଷେ ହେଲା ମହିଳା ମାନେ ଏହି କାମ କରୁଥିବା ବେଳେ ମାସକୁ ୧୦ ହଜାର ଟଙ୍କା ରୋଜଗାର କରିପାରୁଛନ୍ତି ।

ଆଠଗଡ଼ ଅଂଚଳର ମହିଳା ମାନେ ଏଭଳି କିଛି କାମ କରି ନିଜେ ରୋଜଗାର କରିବା ସହ ଅନ୍ୟ ମହିଳା ମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।