ଆଠଗଡରେ ଏସଏଚଜି ମହିଳାଙ୍କ ନିଆରା ଉଦ୍ୟମ, ପ୍ଲାଣ୍ଟ ଚାରା ନର୍ସରୀ କରି କରୁଛନ୍ତି ଭଲ ରୋଜଗାର

167

କନକ ବ୍ୟୁରୋ : ମହିଳା ଶଶକ୍ତିକରଣ ପାଇଁ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଏସଏଚଜି ମାଧ୍ୟମରେ ଗ୍ରାମଂଚଳରେ ସ୍ୱାବଲମ୍ବୀ ହେଉଛନ୍ତି ମହିଳା । କଟକ ଆଠଗଡ ବ୍ଲକ ଅନ୍ତର୍ଗତ ତୋଟାପଡ଼ା ଗାଁର ଗ୍ରୀନ୍ ରୟାଲ ଉତ୍ପାଦିକା ଗୋଷ୍ଠୀର ମହିଳା ମାନେ ଓରମାସ ପକ୍ଷରୁ ସହାୟତା ରାଶୀ ନେଇ ପ୍ଲାଂଟ ନର୍ସରୀ ବ୍ୟବସାୟ କରୁଛନ୍ତି । ୩ଲକ୍ଷ ୫୪ ହଜାର ଟଙ୍କାରୁ ଆରମ୍ଭ ହୋଇଥିବା ଏହି ବ୍ୟବସାୟ ଏବେ ୧୦ ଲକ୍ଷ ଟଙ୍କାରେ ପହଂଚିଛି । ଗୋଟିଏ ଗୋଟିଏ ଚାରା ରୋପଣ ପାଇଁ ୮ରୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୨୦୦ରୁ ୨୫୦ ଟଙ୍କାରେ ବିକ୍ରି କରାଯାଉଛି । ଯାହା ମହିଳାଙ୍କୁ ବେଶ ଲାଭଦାୟକ ହେଉଛି । ଏହି ଚାରା ବିକ୍ରିବଟା ପାଇଁ କୃଷି ବଜାର ସହିତ ରାଜ୍ୟ ସରକାରଙ୍କ ଓରମାସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ତିନୋଟି ସ୍ୱୟଂ ସହାୟକ ଗୋଷ୍ଠୀର ପାଖାପାଖି ୩୦ ଜଣ ମହିଳା ଏହା ଦ୍ୱାରା ସ୍ୱାବଲମ୍ବୀ ହୋଇପାରିଛନ୍ତି । ପ୍ରଥମେ ମହିଳା ମାନେ ଗେଣ୍ଡୁଫୁଲ ଚାଷ ଆରମ୍ଭ କରିଥିଲେ । ସେହି ଚାଷର ଲାଭାଂଶ ହିଁ ମହିଳା ମାନଙ୍କୁ ଆଗକୁ ବଢ଼ିବାକୁ ପ୍ରେରଣା ଦେଇଥିଲା । ଏବେ ସେମାନେ ଶିଶୁ, ଗୁଆ, ନଡ଼ିଆ, ଲେମ୍ବୁ, ଅମୃତଭଣ୍ଡା, ଲଙ୍କା ଚାରା ସହ ଫୁଲଗଛ ଚାରା ବ୍ୟବସାୟ କରି ବେଶ ଲାଭବାନ ହେଉଛନ୍ତି ।

ସ୍ୱୟଂ ସହାୟକ ଗୋଷ୍ଠୀର ମା’ ମାନେ ନିଜ ପରିବାରର ମଙ୍ଗ ସମ୍ଭାଳିବା ସହ ରୋଜଗାରର ରାସ୍ତା ବାଛିଛନ୍ତି । ଯାହା ଅନ୍ୟ ମହିଳା ମାନଙ୍କ ପାଇଁ ପ୍ରେରଣା ପାଲଟିଛି ।