ମାଟିରୁ ମିଳୁଛି ରୋଜଗାର । ମାଟିରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ସ୍ୱାବଲମ୍ବୀ ହୋଇଛନ୍ତି କାଲିମେଳା କୁମ୍ଭାରଗୁଡାର ଏସଏଚଜି ମହିଳା

ମାଟିରେ ମ୍ୟାଜିକ୍

97

କନକ ବ୍ୟୁରୋ : ମହିଳାଙ୍କୁ ରୋଜଗାର ଦେଇଛି ଟେରାକୋଟା ଓ ମାଟିରେ ତିଆରି ସାମଗ୍ରୀ । ମାଟି ଦୀପ, ଫୁଲଦାନୀ, ହାତୀ, ଘୋଡ଼ା, ପାଣି ବୋତଲ, ଚୁଲି, ସରା, କୁମ୍ପି, କଳସୀ, କଢ଼େଇ ସହ ବିଭିନ୍ନ ଦେବାଦେବୀଙ୍କ ପ୍ରତିମୂର୍ତି ତିଆରି କରୁଛନ୍ତି । କିଏ ମାଟି ଚକଟି ଦେଉଛି ତ କିଏ କୁମ୍ଭାର ଚକରେ ବିଭିନ୍ନ ମାଟି ପାତ୍ର ଗଢ଼ୁଛନ୍ତି । ଆଉ କିଏ ମାଟିରେ ନିର୍ମିତ ସାମଗ୍ରୀରେ ରଂଗ ଦେବାରେ ବ୍ୟସ୍ତ ଅଛନ୍ତି । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ କୁମ୍ଭାରଗୁଡ଼ା ଗାଁର ମା ଧନଲକ୍ଷ୍ମୀ ସ୍ୱଂୟ ସହାୟକ ଗୋଷ୍ଠୀର ସଦସ୍ୟା ଏହି କାମ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।

୩ବର୍ଷ ହେଲା ଏମାନେ ଟେରାକୋଟା ଓ ମାଟି ତିଆରି ସାମଗ୍ରୀ ତିଆରି କରି ଜିଲ୍ଲାରେ ବେଶ ସୁନାମ ଆଣିପାରିଛନ୍ତି । ମିଶନଶକ୍ତି ଜରିଆରେ ବ୍ୟାଙ୍କରୁ ଅଢ଼େଇଲକ୍ଷ ଟଙ୍କା ଋଣ ଆଣି ଟେରାକୋଟା ସହ ମାଟିରେ ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି କରୁଛନ୍ତି । ଏହି ସବୁ ସାମଗ୍ରୀ ଗୁଡ଼ିକ ତିଆରି କରିବା ପରେ ତାକୁ ଭାଟିରେ ପୋଡ଼ା ହୁଏ । ଭାଟିରୁ କାଢ଼ି ସେଥିରେ ରଙ୍ଗ ଦିଆଯାଏ । କୁମ୍ଭାର ଚକ ସହିତ ୧୦ଟି ଇଲେକ୍ଟ୍ରି ଚକ ସାହାଯ୍ୟରେ ସାମଗ୍ରୀ ଗଢ଼ୁଛନ୍ତି ମହିଳା ।

ସାମଗ୍ରୀ ବିକ୍ରୀ ବଟା ପାଇଁ କୁମ୍ଭାରକୁଡ଼ା ଗାଁରେ ଦୁଇଟି ଦୋକାନ ଘର ନିର୍ମାଣ କରାଯାଇଛି । ଫଳରେ ଏମାନଙ୍କ କାମ ଆହୁରି ସହଜ ହୋଇପାରିଛି । ନିଜ ହାତରେ ଗଢ଼ିଥିବା ଏହି ସୁନ୍ଦର ସୁନ୍ଦର ଟେରାକୋଟା ଓ ମାଟି ସାମଗ୍ରୀକୁ ବିଭିନ୍ନ ଯାନିଯାତ୍ରା କିମ୍ବା ହାଟ ବଜାରରେ ବିକ୍ରୀ କରି ବେଶ ଦି ପଇସା ରୋଜଗାର କରୁଛନ୍ତି ମହିଳା ।