କନକ ବ୍ୟୁରୋ : ଗ୍ରାମାଞ୍ଚଳରେ ମହିଳାଙ୍କୁ ରୋଜଗାରର ରାସ୍ତା ଦେଖାଉଛି ସ୍ୱୟଂ ସହାୟକ ଗୋଷ୍ଠୀ । ଘର କାମ କରି ସମୟ ବିତାଉଥିବା ମହିଳା ମାନେ ଏବେ ପରିବାର ପ୍ରତିପୋଷଣରେ ଆର୍ଥିକ ସହାୟତା କରୁଛନ୍ତି । ତେବେ ବାଙ୍କୀ ଘାସିପୁଟ ଗାଁର ପ୍ରାୟ ୨୦୦ରୁ ଅଧିକ ମହିଳା ଏସଏଚଜି ଗ୍ରୁପ୍ ମାଧ୍ୟମରେ ଆତ୍ମନିର୍ଭରଶୀଳ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ତ୍ରିନାଥ ଏସଏଚଜି ଗ୍ରୁପର ରହିଛି ସ୍ୱତନ୍ତ୍ର ପରିଚୟ । ଏହି ଗ୍ରୁପର ୧୦ ଜଣ ମହିଳା ମୁଢ଼ି, ବୁଟ ଭଜା ଓ ନଳୀ ଭଳି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ଏହାକୁ ପ୍ୟାକେଟିଂ କରି ସ୍ଥାନୀୟ ବଜାରରେ ବିକ୍ରି କରି କିଛି ରୋଜଗାର କରିପାରୁଛନ୍ତି ।

Advertisment

ଘର କାମ ସାରି ଏହି ୟୁନିଟ୍ରେ ଏକାଠି ହୁଅନ୍ତିି ଏସଏଚଜି ଗ୍ରୁପର ୧୦ ଜଣ ମହିଳା । ସେଠାରେ ମୁଢି ପ୍ରସ୍ତୁତ ପାଇଁ ରହିଥିବା ଚାଉଳକୁ ପ୍ରଥମେ ଧୋଇ ଶୁଖାଇଥାଆନ୍ତି । ସେହିପରି ବୁଟ ଓ ଅନ୍ୟ ଶସ୍ୟ ଜାତୀୟ ସାମଗ୍ରୀ ଭାଜିବା ପରେ ଏହାକୁ ପ୍ୟାକେଟିଂ କରି ବିକ୍ରି କରନ୍ତି । ସେହିପରି ନଳି ପାମ୍ପଡ଼ ପରି ଚଟ୍ପଟି ଆଇଟମ୍ ପ୍ରସ୍ତୁତ କରି ଏହାକୁ ପ୍ୟାକେଟ କରି ସ୍ଥାନୀୟ ଦୋକାନ ବଜାରରେ ବିକ୍ରୟ କରନ୍ତି ।

ଏଥିପାଇଁ ମହିଳା ମାନଙ୍କୁ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ପ୍ରଥମେ ସ୍ୱତନ୍ତ୍ର ତାଲିମ ଦିଆଯାଇଥିଲା । ଏହା ପରେ ମହିଳା ମାନେ ସ୍ଥାନୀୟ ବ୍ୟଙ୍କରୁ ରୁଣ ଆଣି ମୁଢ଼ି ମେସିନ୍ ପକାଇଥିଲେ । ଧିରେ ଧିରେ ଏମାନଙ୍କ ବ୍ୟବସାୟ ବଢ଼ିବା ସହ ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆସିପାରିଛି ।